ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ,ସ୍ୱଚ୍ଛତା ଅଭିଯାନ

0
ବାଳିକା ଉଚ୍ଚ ବିଦ୍ୟାଳୟ ସ୍ବଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ (1)

ପଟ୍ଟାମୁଣ୍ଡାଇ ୨/୧୦-ପଟ୍ଟାମୁଣ୍ଡାଇ ଅଂଚଳର ସମସ୍ତ ସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ସମେତ ବେସରକାରୀ ସ୍କୁଲମାନଙ୍କରେ ଶୁକ୍ରବାର ଶ୍ରଦ୍ଧାର ସହ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟ ପରିସରରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯିବା ପରେ ଦୁଇ ମହାନାୟକଙ୍କ ଜୀବନୀ, ଆଦର୍ଶ ଓ ଦେଶ ଗଠନରେ ସେମାନଙ୍କ ଅବଦାନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଉର୍ମିଳା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ସ୍ୱରାଜ୍ୟ ଓ ସ୍ୱଚ୍ଛତାର ମହାନ ସନ୍ଦେଶ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ବିଶ୍ୱକୁ ଅହିଂସାର ପଥ ଦେଖାଇଥିବା ଗାନ୍ଧୀଜୀ କେବଳ ସ୍ୱାଧୀନତା ସଂଗ୍ରାମର ପୁରୋଧା ନଥିଲେ, ବରଂ ନିଜ ଆଚରଣ ଦ୍ୱାରା ସ୍ୱଚ୍ଛତା ଓ ସ୍ୱାବଲମ୍ବନର ଶିକ୍ଷା ଦେଇଥିଲେ। ସେହିପରି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସରଳତା, ନିଷ୍ଠା ଓ ଦୃଢ଼ ନେତୃତ୍ୱକୁ ମନେ ପକାଯାଇଥିଲା। ଜୟ ଯବାନ, ଜୟ କିଷାନ ନାରା ଦେଇ ଦେଶର ସୁରକ୍ଷା ଓ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବାରେ ଶାସ୍ତ୍ରୀଜୀଙ୍କ ଯୋଗଦାନ ଚିରସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ଏହାପରେ ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ଏକ ବିଶେଷ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରଦ୍ଧାଂଜଳି ନାଥଶର୍ମା, ବାସନ୍ତୀ ଗାହାଣ, ସସ୍ମିତା କର, ଲକ୍ଷ୍ମୀପ୍ରୀୟା ମହାଳିକ, ସରୋଜିନ ପ୍ରଣୀଗ୍ରାହୀ, ଅନୁପମା ସାହୁ, ସରୋଜିନ ପରିଡା, ସଂଘମିତ୍ରା ସାହୁ ବରିଷ୍ଠ ଶିକ୍ଷକ ପ୍ରଦିପ୍ତ ନାୟକ, ପ୍ରଣତ ଜ୍ୟୋତି ସାମଲ,ଜିତେନ୍ଦ୍ର ଦଳାଇ, ଦେବାଶିଷ ପରିଡା, ସାଇଶୁଭଲକ୍ଷ୍ମୀ ରଥଙ୍କ ସମେତ ବହୁଛାତ୍ରୀମାନେ ସକ୍ରିୟ ଭାବେ ଯୋଗଦେଇ ବିଦ୍ୟାଳୟ ପରିସର, ଶ୍ରେଣୀଗୃହ ସହ ବିଦ୍ୟାଳୟ ସନ୍ନିକଟ ଉପଖଣ୍ଡ ଚିକିତ୍ସାଳୟ ପରିସର, ସ୍ଥାନୀୟ ଶ୍ରୀରାମ ମନ୍ଦିର ଏବଂ ଆଖପାଖର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ କରିଥିଲେ। ସ୍ୱଚ୍ଛତାକୁ ନିଜର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବାକୁ ଏହି ଅବସରରେ ଶପଥ ନିଆଯାଇଥିଲା।


Leave a Reply

Your email address will not be published. Required fields are marked *