ଅଚଳ ହୋଇପଡ଼ିଛି ଉଠା ଜଳସେଚନ ପ୍ରକଳ୍ପ

ରବି ଫସଲକୁ ନେଇ ଚିନ୍ତାରେ ଧୋୟାଂଚଳ ଚାଷୀ

ପଟ୍ଟାମୁଣ୍ଡାଇ ୧୬/୧୧-ପ୍ରାକୃତିକ ଦୁର୍ବିପାକ ଓ ବନ୍ୟା ଯୋଗୁଁ ସର୍ବସ୍ୱ ହରାଇଥିବା ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅଣ୍ଢରା ପଂଚାୟତର ଚାଷୀମାନେ ଏବେ ପୁଣି ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗତ ବନ୍ୟାରେ ଖରିଫ୍ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ବେଳେ ଏବେ ରବି ଜାତୀୟ ଫସଲ କରି କ୍ଷତି ଭରଣା କରିବାକୁ ଆଶା ରଖିଥିବା ପଥୁରିଆଡିଆ, ଦାଣ୍ଡିଉପର ଏବଂ ନଦୀକୂଳ ମଳିକସାହିର ଚାଷୀମାନେ ଜଳସେଚନ ଅଭାବରୁ ଚିନ୍ତାରେ ପଡ଼ିଛନ୍ତି। ବିଭାଗୀୟ ଅବହେଳା ଯୋଗୁଁ ସ୍ଥାନୀୟ ଉଠା ଜଳସେଚନ ପ୍ରକଳ୍ପଟି ଅଚଳ ହୋଇପଡ଼ିଥିବାରୁ ଶୀତଦିନିଆ ପନିପରିବା ଓ ରବି ଚାଷ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
ସୂଚନା ଅନୁଯାୟୀ, ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପଥୁରିଆଡିଆ-୨ ଶ୍ରୀରାମ ପାଣି ପଂଚାୟତର ଉଠା ଜଳସେଚନ ପଏଂଟଟି ଗତ ବନ୍ୟାରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ବନ୍ୟା ଜଳ ପ୍ରବାହରେ ପ୍ରକଳ୍ପର ମୋଟର ପ୍ଲାଟଫର୍ମ ଏବଂ ସକ୍ସନ ପାଇପ୍ ଲାଇନ୍ ନଷ୍ଟ ହୋଇଯାଇଥିବାରୁ ଦୀର୍ଘ ଦିନ ହେବ ଏହି ପାଣି ପ୍ରକଳ୍ପଟି ବନ୍ଦ ହୋଇପଡ଼ିଛି। ବର୍ତମାନ ରବି ଋତୁ ଆରମ୍ଭ ହୋଇସାରିଥିବା ବେଳେ ଚାଷୀମାନେ ବିଭିନ୍ନ ପନିପରିବା ଓ ଡାଲି ଜାତୀୟ ଫସଲ କରିବା ପାଇଁ ଜମି ପ୍ରସ୍ତୁତ କରିସାରିଛନ୍ତି। ମାତ୍ର ଏଲଆଇ ପଏଂଟରୁ ପାଣି ବାହାରୁ ନଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ।ଧୋୟାଂଚଳର ଏହି ଚାଷୀମାନେ ପୂର୍ବରୁ ବନ୍ୟାରେ ନିଜର ସାରଦ ଧାନ ଏବଂ କାଳିମୁଣ୍ଡି ବିରି ଫସଲ ହରାଇ ଆର୍ôଥକ ମେରୁଦଣ୍ଡ ହରାଇ ବସିଛନ୍ତି। ଏଭଳି ସ୍ଥିତିରେ ରବି ଫସଲ ହିଁ ସେମାନଙ୍କ ଜୀବିକା ନିର୍ବାହର ଏକମାତ୍ର ବିକଳ୍ପ ହୋଇ ରହିଛି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଉଠା ଜଳସେଚନ ଉପଖଣ୍ଡ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ମୋଟର ପ୍ଲାଟଫର୍ମ ଓ ପାଇପ୍ ଲାଇନର ମରାମତି କାର୍ଯ୍ୟ ଆରମ୍ଭ ହେଉ ନଥିବାରୁ ସ୍ଥାନୀୟ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଯଦି ଖୁବ୍ ଶୀଘ୍ର ଏହି ପ୍ରକଳ୍ପର ମରାମତି କରାଯାଇ ଜଳ ଯୋଗାଣ ସ୍ୱାଭାବିକ ନହୁଏ, ତେବେ ଶହ ଶହ ଏକର ଚାଷଜମି ପଡ଼ିଆ ପଡ଼ିବାର ଆଶଙ୍କା ଦେଖାଦେଇଛି। ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କାଳବିଳମ୍ବ ନକରି ପଥୁରିଆଡିଆ-୨ ଶ୍ରୀରାମ ପାଣି ପଂଚାୟତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଅଂଚଳର ଚାଷୀମାନେ ଦୃଢ଼ ଦାବି କରିଛନ୍ତି।
