ନାବାଳକଙ୍କୁ ନିଶା ଦ୍ରବ୍ୟ ଦେବା କିମ୍ବା କାରବାର କରାଇବା ଗୁରୁତର ଅପରାଧ

ସାତଭଉଣୀ ହାଇସ୍କୁଲରେ ଆଇନ ସଚେତନତା ଶିବିର ଓ ନିଶା ନିବାରଣ ଶପଥ ପାଠ

ପଟ୍ଟାମୁଣ୍ଡାଇ ୧୮/୧୧ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ପଂଚାୟତ ସାତଭଉଣୀ ହାଇସ୍କୁଲ ପରିସରରେ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଏକ ଆଇନ ସଚେତନତା ଶିବିର ଏବଂ ନିଶା ନିବାରଣ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନଙ୍କୁ ବିଭିନ୍ନ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହ ସମାଜକୁ ନିଶାମୁକ୍ତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା। ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଜଜ୍ ବିଦ୍ୟାଧର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଯୁବପିଢ଼ି ହେଉଛନ୍ତି ଯେକୌଣସି ରାଷ୍ଟ୍ରର ଶକ୍ତି ଓ ସାମର୍ଥ୍ୟର ପ୍ରତୀକ। କିନ୍ତୁ ସମ୍ପ୍ରତି ୧୦ରୁ ୧୭ ବର୍ଷ ବୟସର ପିଲାମାନେ ନିଶା ଦ୍ରବ୍ୟର ଶିକାର ହୋଇ ନିଜର ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଉଛନ୍ତି। ଯାହକୁନେଇ ଏଡିଯେ କିଶୋର ନ୍ୟାୟ ଆଇନ ୨୦୧୫ର ଧାରା ୭୭ ଏବଂ ୭୮ ଉପରେ ସଚେତନକରି କହିଥିଲେ ଯେ ଏହି ଆଇନ ଅନୁଯାୟୀ ନାବାଳକମାନଙ୍କୁ ନିଶା ଦ୍ରବ୍ୟ ଦେବା କିମ୍ବା ସେମାନଙ୍କ ଦ୍ୱାରା ନିଶା କାରବାର କରାଇବା ଏକ ଗୁରୁତର ଅପରାଧ, ଯେଉଁଥିରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବିଧାନ ରହିଛି । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ସିଭିଲ ଜଜ୍ ଡି.କେ. ବାଲକ୍ରୀଷ୍ଣନ କହିଥିଲେ ଯେ, ଜାତୀୟ ଆଇନ ସେବା ପ୍ରାଧିକରଣ ଯୋଜନା ଅନୁଯାୟୀ ନିଶାଗ୍ରସ୍ତଙ୍କୁ ଅପରାଧୀ ଭାବେ ନ ଦେଖି ମାଗଣା ଆଇନ ସହାୟତା ମାଧ୍ୟମରେ ସେମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଅଣାଯାଇପାରିବ। ନିଶାସକ୍ତ ପ୍ରବଣତାକୁ ରୋକିବା ପାଇଁ ପରିବାର ଓ ସମାଜର ମିଳିତ ପ୍ରୟାସ ନିହାତି ଆବଶ୍ୟକ। ସେ ନିଶା ମୁକ୍ତି ସମ୍ବନ୍ଧୀୟ ପରାମର୍ଶ ପାଇଁ ଭାରତ ସରକାରଙ୍କ ଟୋଲ୍-ଫ୍ରି ହେଲ୍ପଲାଇନ ନମ୍ବର ୧୪୪୪୬ ବିଷୟରେ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଓକିଲ ସୁରେଶ ନରେନ୍ଦ୍ର, ସ୍କୁଲର ପ୍ରଧାନଶିକ୍ଷକ ଦିନେଶ ସିଂ, ଶିକ୍ଷୟିତ୍ରୀ ସଞ୍ଜୁଲତା ତରାଇ ପ୍ରମୁଖ ଯୋଗ ଦେଇ ଛାତ୍ରୀଛାତ୍ରମାନେ ପାଠପଢ଼ା ଓ ସୃଜନଶୀଳ କାର୍ଯ୍ୟରେ ମନୋନିବେଶ କରି ସୁସ୍ଥ ନାଗରିକ ଭାବେ ଗଢ଼ି ଉଠିବାକୁ ସେମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସାତଭଉଣୀ ହାଇସ୍କୁଲର ଛାତ୍ରୀଛାତ୍ରମାନଙ୍କୁ ସବୁ ପ୍ରକାର ନିଶା ସେବନଠାରୁ ଦୂରେଇ ରହିବା ଏବଂ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ଅତିରିକ୍ତ ଜିଲା ଜଜ୍ ବିଦ୍ୟାଧର ପୃଷ୍ଟି ଶପଥ ପାଠ କରାଇଥିଲେ। ପ୍ରାରମ୍ଭରେ ସରକାରୀ ଓକିଲ ଧୀରେନ୍ଦ୍ରନାଥ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ଦେଇଥିଲେ। ଶେଷରେ ରିଟେନର ଆଇନଜୀବୀ ମନୋଜ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର ଏବଂ ଲିଗାଲ ଏଡ଼ର ଅପର୍ଣ୍ଣା ସାମଲ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ଶିବିରକୁ ସଫଳ କରିଥିଲେ।
