କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ୭୧.୨୬ ପ୍ରତିଶତ ମତଦାନ . ଅଂଶୁମାନ ଓ ବୈଜୟନ୍ତଙ୍କ ସମେତ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ



କେନ୍ଦ୍ରାପଡ଼ା, ୨ା୬: କେନ୍ଦ୍ରାପଡା ଲୋକସଭା ଆସନରେ ପ୍ରାୟ ୭୧.୨୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଆଳି ବିଧାନସଭା କ୍ଷେତ୍ରରେ ୬୩.୬୭ ପ୍ରତିଶତ, କେନ୍ଦ୍ରାପଡାରେ ୬୭.୬୬ ପ୍ରତିଶତ, ମହାକାଳପଡାରେ ୭୫.୩୨ ପ୍ରତିଶତ, ପାଟକୁରାରେ ୭୨.୭୨ ପ୍ରତିଶତ, ରାଜନଗରରେ ୬୬.୩୩ ପ୍ରତିଶତ, ମାହାଙ୍ଗାରେ ୭୬.୦୮ ପ୍ରତିଶତ ଓ ସାଲେପୁର ବିଧାନସଭା କ୍ଷେତ୍ରରେ ୭୭.୦୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ମୁଖ୍ୟତଃ ହେଭିୱେଟ ନେତା ଅଂଶୁମାନ, ବୈଜୟନ୍ତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହୋଇଛି । କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଓ ବିଜେପି ବିଧାୟକ ପ୍ରାର୍ଥୀ ଗିତାଞ୍ଜଳୀ ସେଠୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେଉଥିବା ବେଳେ ଆଳିରେ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସହିତ କଂଗ୍ରେସ ବିଧାୟକ ପ୍ରାର୍ଥୀ ଡା. ଦେବସ୍ମୀତା ଶର୍ମାଙ୍କ ମଧ୍ୟରେ କଡ୍ଡା ଟକ୍କର ହୋଇଛି । ରାଜନଗର ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁଙ୍କ ସହିତ କଂଗ୍ରେସ ପ୍ରାର୍ଥୀ ଅଶୋକ ପ୍ରତିହାରୀଙ୍କ ପ୍ରତିଦ୍ୱନ୍ଦୀତା ହେଉଥିବା ଜଣାପଡିଛି । ମହାକାଳପଡାରେ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ବିଜେପିର ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କର କଡ୍ଡା ଟକ୍କର ହେଉଥିବା ବେଳେ ପାଟକୁରାରେ ବିଜେଡି ବିଧାୟକ ପ୍ରାର୍ଥୀ ତଥା ବିଜୟ ମହାପାତ୍ରଙ୍କ ପୁତ୍ର ଅରବିନ୍ଦ ମହାପାତ୍ରଙ୍କ ସହ ବିଜେପି ପ୍ରାର୍ଥୀ ତେଜେଶ୍ୱର ପରିଡାଙ୍କର ପ୍ରତିଦ୍ୱନ୍ଦୀତା ହେଉଛି । ସମସ୍ତ ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଥିବା ବେଳେ ସମସ୍ତ ଇଭିଏମ ଗୁଡିକୁ କଡ୍ଡା ପୋଲିସ ପ୍ରହରା ମଧ୍ୟରେ ଷ୍ଟ୍ରଙ୍ଗରୁମ ମଧ୍ୟରେ ସିଲ କରିଦିଆଯାଇଛି । ସବୁ ପ୍ରାର୍ଥୀଙ୍କ ମନରେ ଆଶା ଓ ଆଶଙ୍କା ଭରି ରହିଥିବା ବେଳେ ଆସନ୍ତା ୪ତାରିଖରେ ଭୋଟ ଗଣତି ପରେ ସମସ୍ତ ପ୍ରାର୍ଥୀମାନଙ୍କ ଭାଗ୍ୟ ଫଳ ପ୍ରକାଶ ପାଇବ । କେନ୍ଦ୍ରାପଡା ଲୋକସଭା ଆସନ ଅନ୍ତର୍ଗତ ଆଳି, ମହାକାଳପଡା ଓ ପାଟକୁରା ବିଧାନ ସଭା କ୍ଷେତ୍ରରେ କେତେକ ସ୍ଥାନରେ ସାମାନ୍ୟ ଗଣ୍ଡଗୋଳକୁ ଛାଡି ଦେଲେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି ।


Discover more from

Subscribe now to keep reading and get access to the full archive.

Continue reading