ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ



ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଂଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ସାଧାରଣ ଖାଉଟି ଟମାଟୋ ବଜାରରୁ କିଣିପାରୁନାହିଁ । ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଁଚି ଥିବା ବେଳେ ଶୁକ୍ରବାର ୬୦/୭୦ରେ ବିକ୍ରି ହେଉଛି ।ଚାଷୀ ସୁରେନ୍ଦ୍ର ପରିଡା କୁହନ୍ତି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଟମାଟୋ ଗଛଗୁଡ଼ିକ ଭୁରୁଙ୍ଗା ମାରିଯିବା ଫଳରେ ଫଳ ଧରୁନାହିଁ । କେନାଲ ପାଣି ନ ଆସିବାରୁ ଗାଡିଆ, ପୋଖରୀ ସବୁ ଶୁଖିଲା ପଡ଼ିଛି । ଚାଷୀମାନେ ଟମାଟୋ ଫସଲରେ ପାଣି ମଡ଼ାଇ ପାରୁନାହାନ୍ତି । ଫଳରେ ଗଛଗୁଡ଼ିକ ମରିଯିବାକୁ ବସିଥିବା ବେଳେ ରବିିବାରଠାରୁ କେତେ ବେଳେ କେମିତି ଝିପିଝିପି ବର୍ଷା ହେଉଛି । ମାତ୍ର ଟମାଟୋ ଫସଲ ଉଜୁଡ଼ି ଯାଉଥିବାରୁ ଦର ବଢ଼ିଛି ବୋଲି ସେ କହୁଛନ୍ତି । ସେହିପରି ଧୋୟାଂଚଳ ଚାଷୀ ନରେନ୍ଦ୍ର ଧଳ କୁହନ୍ତି, ଧୋୟାଂଚଳରେ ପ୍ରାୟ ଚାଷୀ ଟମାଟୋ ଚାଷ କରିଥାନ୍ତି । ଏକର ଏକର ଜମିରେ ଟମାଟୋ ଫଳେ । କିନ୍ତୁ ଏବର୍ଷ ଚିତ୍ର ଭିନ୍ନ । ଟମାଟୋ ଗଛ ଲାଗିଲା । ଗଛ ହୃଷ୍ଟପୁଷ୍ଟ ହୋଇ ବଢିଲା, କିନ୍ତୁ ଟମାଟୋ ଫଳିଲାନି । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଫଳ ଧରି ନ ଥିବା କ୍ଷେତକୁ ଦେଖି ଟମାଟୋ ଚାଷୀ ଚିନ୍ତାରେ ପଡିଛନ୍ତି । ଧାର କରଜ କରି ଚାଷ କରିଥିବାବେଳେ ପରିବାର ପ୍ରତିପୋଷଣ ଓ ଋଣ ଟଙ୍କା ଶୁଝିବାକୁ ନେଇ ଚିନ୍ତାରେ ପଡିଛନ୍ତି । ଏଠାକାର ଟମାଟୋ ଆଖପାଖ ଅଂଚଳରେ ବିକ୍ରି ସହ କଟକ ଓ ଯାଜପୁର ପରି ମାର୍କେଟକୁ ସୁଲଭ ଦରରେ ଯୋଗାଇ ଦିଆଯାଏ । ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଅଂଚଳରେ ଶୀତଳଭଣ୍ଡାର ନ ଥିବାରୁ ଟମାଟୋକୁ ସଂରକ୍ଷଣ କରାଯାଇ ପାରୁ ନାହିଁ । ବାହାର ରାଜ୍ୟରୁ ଟମାଟର ଆସୁଥିବାରୁ ରେଟରେ ପରିବର୍ତନ ହେଇ କେତେବେଳେ ୮୦ ତ କେତେବେଳେ ୬୦ରେ ବିକ୍ରି ହେଉଛି । ଆଜି ପଟ୍ଟାମୁଣ୍ଡାଇକୁ ବାଙ୍ଗାଲୋରରୁ ଟମାଟର ଅସିଥିବାରୁ କାଳେ ଗୁଳୁଗୁଳୁରେ ନଷ୍ଠ ହୋଇଯିବ ସେଥି ନେଇ ୬୦ ଟଙ୍କାରେ ମପେଇ ଦେଉଛୁ ବୋଲି ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି । ଟମାଟୋ ଆମଦାନୀ କମ୍ ହେଉଥିବାରୁ ଏହା ଲୋକଙ୍କ ଚାହିଦା ପୂରଣ କରିବାରେ ସକ୍ଷମ ହେଉନାହିଁ । ଏହି ସୁଯୋଗରେ ପାଇକାରୀ ବିକ୍ରେତାମାନେ ଦର ବଢ଼ାଇ ଚାଲିଛନ୍ତି ବୋଲି ବହୁ ଗ୍ରାହକ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading