
ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । ଏହା ଏମିତି ଏକ ସତ୍ୟ ଯାହାକୁ ଆଜି ପର୍ଯ୍ୟନ୍ତ କିଏ ମିଛ ବୋଲି ପ୍ରମାଣିତ କରିପାରିନାହିଁ । ମୃତ୍ୟୁ କେତେବେଳେ ଯେ ଆସେ ତାର ସମୟ ନଥାଏ । କିନ୍ତୁ ବୟସ ହେବା ପୂର୍ବରୁ ଯଦି କେହି ମୃତ୍ୟୁବରଣ କରେ ତାହାହେଲେ ପରିବାର ଭାଙ୍ଗିପଡେ ଓ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଏ । ଏଭଳି ଏକ ହୃଦୟ ସ୍ପର୍ଶୀ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ପେଣ୍ଠପାଳ ଦାଣ୍ଡିସାହି ଗ୍ରାମରେ । ବାପାଙ୍କ ମୃତ୍ୟୁର ୯ ଦିନ ପରେ ପୁଅ ଯେ ହଠାତ ଆରପାରିକୁ ଚାଲିଯିବା ଏହାକୁ ପରିବାର ଠାରୁ ଗାଁ ଲୋକ ପର୍ଯ୍ୟନ୍ତ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ଅଭାବନୀୟ ଘଟଣା ନେଇ ଚାରି ଆଡେ ଖେଳି ଯାଇଛି ଶୋକର ଛାୟା । ପଟ୍ଟାମୁଣ୍ଡାଇ ବ୍ଲକ ପୂର୍ବତନ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସାମଲଙ୍କର (୮୩) ଗତ ମାସ ୩୧ ତାରିଖରେ ପରଲୋକ ହେଇଥିଲେ । ସ୍ୱର୍ଗତ ସାମଲଙ୍କ ଶୁଦ୍ଧିକ୍ରିୟା କର୍ମ ପାଇଁ ପରିବାର ଓ ବନ୍ଧୁ ବାନ୍ଧବ ସମସ୍ତେ ଘରେ ଏକାଠି ହୋଇଛନ୍ତି । ତେବେ ବାପାଙ୍କର ୮ ଦିନରେ ହଠାତ ଦ୍ୱିତୀୟ ପୁତ୍ର ରଞ୍ଜିତ ରଞ୍ଜନ ସାମଲ (୫୬)ଙ୍କର ଦେହ ଖରାପ ହେଇଥିଲା । ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଲିଭର ଜଣ୍ଡିସରେ ଆକ୍ରାନ୍ତ ଥିବା ଡାକ୍ତର କହି ଚିକିତ୍ସା ଜାରି ରଖିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଅପରାହ୍ନ ୪ଟାରେ ରଞ୍ଜିତଙ୍କର ମୃତ୍ୟୁ ଘଟିଥିଲା । ତେବେ ୯ ଦିନ ତଳେ ଘରର ମୁରବୀଙ୍କର ମୃତ୍ୟୁ ଘଟିଥିବା ବେଳେ ଘର ଦାଇତ୍ୱ ବୁଝୁଥିବା ପୁଅର ମୃତ୍ୟୁ ପରିବାରର ଦୁଃଖକୁ ଦ୍ୱିଗୁଣିତ କରିଥିଲା । ରବିବାର ଘରର ମୁରବୀଙ୍କ ଶୁଦ୍ଧିରେ ଉଭୟଙ୍କ ସୁଦ୍ଧିକ୍ରିୟା ଗୋଟିଏ ଘାଟରେ ବଡମୁଣ୍ଡରେ ସମ୍ପର୍ଣ୍ଣ ହୋଇଛି ।











