ଉଠାଦୋକାନ ଗହଳି ଯୋଗୁ ଉପୁଜୁଛି ଟ୍ରାଫିକ ସମସ୍ୟା


  • ଭେଣ୍ଡିଂ ଜୋନ୍ ଖତ ଖାଉଛି,
  • ରାସ୍ତାକଡ ଫୁଟ୍‌ପାଥ୍‌ରେ ବେପାରୀ
  • ଦିଆଯାଉନି ଭେଣ୍ଡିଂ ଜୋନ୍‌


କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ତଥା ଓଡିଶାର ପ୍ରସିଦ୍ଧ ବାଣିଜ୍ୟ ପେଣ୍ଠ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ନିମନ୍ତେ ରାସ୍ତାକଡ଼ ଓ ଫୁଟପାଥ୍ ବ୍ୟବସାୟୀଙ୍କୁ କିଭଳି ଥଇଥାନ କରିହେବ ସେ ନେଇ ବିଭିନ୍ନ ସ୍ଥାନରେ ପୌରପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ କରାଯାଇଥିଲା । ତେବେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲେ ମଧ୍ୟ ଏଯାଏ କୌଣସି ରାସ୍ତାକଡ଼ ବ୍ୟବସାୟୀଙ୍କୁ ଦିଆଯାଇନାହିଁ । ଫଳରେ ସେମାନେ ପୂର୍ବଭଳି ରାସ୍ତାକଡରେ ବେପାର କରୁଥିବାରୁ ଟ୍ରାଫିକ୍ ସମସ୍ୟା ଉପୁଜି ଦୁର୍ଘଟଣା ମାନ ଘଟୁଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ସାମାଜିକ କର୍ମୀ ଅନନ୍ତ ଦାଶ, ଗୌତମ ବେହେରା, ଆଇନଜିବୀ ସୌମ୍ୟରଞନ ଧଳ କୁହନ୍ତି କ୍ରମବର୍ଦ୍ଧିଷ୍ଣୁ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ଓ ଜନସାଧାରଣଙ୍କୁ ଉତମ ଗମନାଗମନ ଦେବା ଉଦ୍ଧେଶ୍ୟରେ ଫୁଟ୍‌ପାଥ୍ ଓ ରାସ୍ତାକଡ଼ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ପୌରପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ ଦୋକାନ ନିର୍ମାଣ କରାଯାଇଥିଲା । ଦୋକାନ ନିର୍ମାଣ ହେବାର ପ୍ରାୟ ୨ ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଆଜିଯାଏ କୌଣସି ଫୁଟପାଥ ଓ ରାସ୍ତାକଡ଼ ବ୍ୟବସାୟୀ ସେଠାରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିନାହିଁ । ଆହାର କେନ୍ଦ୍ର କେନାଲ ପାଖ ରାସ୍ତାକଡ଼ରେ ତିଆରି ହୋଇଥିବା ଭେଣ୍ଡିଂ ଜୋନରେ ୧୦୦ରୁ ଊର୍ଦ୍ଧ୍ୱ ଦୋକାନ ତାଲା ପଡ଼ିଥିବାବେଳେ ମହାବିର ବାଜାରରେ ୫୦ରୁ ଊର୍ଦ୍ଧ୍ୱ ଦୋକାନ ଖୋଲିନାହିଁ । ସହରର ବିଭିନ୍ନ ସ୍ଥାନରେ ଏକାଧିକ ଭେଣ୍ଡିଂ ଜୋନ୍‌ରେ ତାଲା ପଡ଼ିଥିବାରୁ ଏହି ବ୍ୟବସାୟୀମାନେ ବାଧ୍ୟ ହୋଇ ସହରର ମୁଖ୍ୟ ରାସ୍ତାକଡ଼ ନଚେତ ଫୁଟ୍‌ପାଥକୁ କବ୍‌ଜ୍ଜା କରି ନିଜ ବ୍ୟବସାୟ କରୁଛନ୍ତି । ଫଳରେ ରାସ୍ତା ଅଣଓସାରିଆ ହେବା ସାଙ୍ଗକୁ ଟ୍ରାଫିକ ସମସ୍ୟା ଉପୁଜୁଛି ।ସହରର ବାଇପାସ ଛକ ପାଖରୁ ଡକବଙ୍ଗଳା ଛକ ପର୍ଯ୍ୟନ୍ତ ଜନଗହଳି ରାସ୍ତା ହୋଇଥିବାବେଳେ ଏଠାରେ ଫୁଟପାଥ ବ୍ୟବସାୟୀ ଭେଣ୍ଡିଂ ଜୋନରେ ଦୋକାନ ନ ପାଇ ରାସ୍ତାକୁ କବ୍‌ଜ୍ଜା କରି ନିଜ ପସରା ମେଲାଇଛନ୍ତି । ଏହି ରାସ୍ତା ଦେଇ କୋଟ, ବ୍ଲକ, ସରକାରୀ ଚିକିତ୍ସାଳୟ, ପଶୁ ଡାକ୍ତରଖାନା, ସବରେଜେଷ୍ଟି, ତେଡଜୋରୀ, ତହସିଲ ଓ ଆରଡି, ଅରଆଂଡବି କାର୍ଯ୍ୟାଳୟକୁ ଯିବାକୁ ପଡ଼ିଥିବା ବେଳେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ରାଜନଗର ଉପରରାସ୍ତା ଆମ୍ବେଦକର ଛକରୁ ବାଲିପଡା ଗଡାଣୀ ଛକ ପର୍ଯ୍ୟନ୍ତ ରାସ୍ତାକଡ଼କୁ ପରିବା ଓ ମାଛ ବ୍ୟବସାୟୀ ଦଖଲ କରି ରଖିଛନ୍ତି । ଫଳରେ ଏହିରାସ୍ତା ଦେଇ ଚଳାଚଳକରୁଥିବା ବଡଗାଡି ଅସୁବିଧା ଭୋଗ କରୁଛନ୍ତି । ସେହିପରି ବଙ୍ଗଳା ଛକପାଖରୁ ଦୈନିକ ମାର୍କେଟ ବଜାର ଅଂଚଳର ପାଦଚଲା ରାସ୍ତା ଉପରେ ବ୍ୟବସାୟୀ ନିଜର ଠେଲା ଲଗାଇ ବେପାର କରୁଛନ୍ତି । ବ୍ୟବସାୟୀମାନେ ପଲିଥିନ ବାନ୍ଧି ରାସ୍ତାକଡରେ ପଚାପରିବା, ଆଳୁପିଆଜ ଚୋପା, ଅଇଁଠା ପତ୍ର ପକାଇ ରାସ୍ତାକୁ ଅପରିଷ୍କାର କରୁଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ଏଲଆଇସି ଅଫିସ ଛକର ଫୁଟପାଥ ବ୍ୟବସାୟୀ ଜଣକ କୁହନ୍ତି, ଦୀର୍ଘ ବର୍ଷ ଧରି ଏହି ଫୁଟ୍‌ପାଥ ଉପରେ ବ୍ୟବସାୟ କରୁଛି । ଗତବର୍ଷ ପୌରପରିଷଦ ପକ୍ଷରୁ ଭେଣ୍ଡିଂ ଜୋନରେ ଦୋକାନ ମିଳିବ ବୋଲି କୁହାଗଲା । ମାତ୍ର ଏଯାଏ ମିଳିନାହିଁ । ଯେଉଁଦିନ ଆମକୁ ଦୋକାନ ମିଳିବ ସେଦିନ ଆମେ ଫୁଟ୍‌ପାଥରେ ବ୍ୟବସାୟ କରିବା ଛାଡ଼ିଦେବୁ ବୋଲି ସେ କହିଥିଲେ । 


Next Post

ଜିଲ୍ଲା ନିମ୍ନମାଧ୍ୟମିକ ଶିକ୍ଷକ ସଙ୍ଘ କର୍ମକର୍ତ୍ତାଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସୈାଜନ୍ୟମୂଳକ ସାକ୍ଷାତ

Tue Jun 18 , 2024
କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡା ଜିଲ୍ଲା ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ କେନ୍ଦ୍ରାପଡା ଗସ୍ତରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୈାଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଓଡିଶା ନିମ୍ନମାଧ୍ୟମିକ ଶିକ୍ଷକ ସଙ୍ଘର ରାଜ୍ୟ ଉପସଭାପତି ଧନେଶ୍ୱର ପାତ୍ରଙ୍କ ନେତୃତ୍ୱରେ ସଙ୍ଘର କେନ୍ଦ୍ରାପଡା ବ୍ଲକ ସହ -ସମ୍ପାଦକ ସେକ୍ ମନସୁର ଅଲ୍ଲୀ, ପଟ୍ଟାମୁଣ୍ଡାଇ […]

KANIKA