କାକଟ-ଦାନପୁର କେନାଲବନ୍ଧ ଆର.ଡି. ରାସ୍ତା ଗମନାଗମନ ପାଇଁ ଅନୁପଯୁକ୍ତ



କେନ୍ଦ୍ରାପଡ଼ା, ୨୬ା୬: କାକଟ- ଦାନପୁର କେନାଲବନ୍ଧ ଆର.ଡି. ରାସ୍ତା ଗମନାଗମନ ପାଇଁ ଅତ୍ୟନ୍ତ ଅନୁପଯୁକ୍ତ ହୋଇପଡିଛି । ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଏହି ରାସ୍ତାଟିରେ ଦୈନିକ ଦୂର୍ଘଟଣାମାନ ଘଟି ଧନଜୀବନ ହାନୀ ହେଉଥିବା ଦେଖାଯାଇଛି । ପୂର୍ବରୁ ଜଳସେଚନ ବିଭାଗ ଅଧିନରେ ଥିବା ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ(ଆର.ଡି.) ବିଭାଗକୁ ହସ୍ତାନ୍ତର ହେବା ପରେ ପ୍ରାୟ ୧୦ବର୍ଷ ତଳେ କାକଟ ଠାରୁ ଦାନପୁର ପର୍ଯ୍ୟନ୍ତ ପିଚୁ କରାଯାଇଥିଲା । କିନ୍ତୁ ନିମ୍ନମାନର କାର୍ଯ୍ୟ ହୋଇଥିବା ଦୃଷ୍ଟିରୁ ଏହି ରାସ୍ତାଟି ଅଧିକ ଦିନ ଭଲ ଅବସ୍ଥାରେ ରହିଲା ନାହିଁ । ସେହି ବର୍ଷ ଠାରୁ ପ୍ରତିବର୍ଷ ଏହି ରାସ୍ତାକୁ ମରାମତି କରାଯିବା ନାମରେ ଗ୍ରାମ୍ୟ ଉନ୍ନୟନ (ଆର.ଡି.) ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ବିଲ କରାଯାଉଥିବା ବେଳେ ରାସ୍ତାଟି କିନ୍ତୁ ଗମନାଗମନ ପାଇଁ ଅନୁପଯୁକ୍ତ ହୋଇପଡଛି । ଏହି ରାସ୍ତା ଦେଇ କେନ୍ଦ୍ରାପଡା ବ୍ଲକର ଚକ୍ରୋଡା, ଭରତପୁର, ଶ୍ୟାମସୁନ୍ଦରପୁର, ଭାଗବତପୁର ପଞ୍ଚାୟତ ସମେତ ଡେରାବିଶ ବ୍ଲକର ଦାନପୁର, ମୁକୁନ୍ଦପୁର, ଜଅଁରାବାରିମୂଳ, ହରିଅଙ୍କ ଓ ଇନ୍ଦାଳୋ ଏବଂ ଗରଦପୁର ବ୍ଲକର ନଡିଆବରେଇ, ଭଗବାନପୁର, ବଙ୍ଗାଳପୁର ଓ ମାର୍ଶାଘାଇ ବ୍ଲକର ଜଳପୋକ ପ୍ରଭୃତି ପ୍ରାୟ ୧୩ଟି ଗ୍ରାମପଞ୍ଚାୟତର ୫ହଜାରରୁ ଉର୍ଦ୍ଧ୍ୱ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକମାନେ ଜିଲ୍ଲା ସଦରମହକୁମାକୁ ଯାତାୟତ କରିଥାନ୍ତି । ରାସ୍ତାଟିର ଦୂରାବସ୍ଥା ଯୋଗୁଁ ଦୈନିକ ଏହି ରାସ୍ତାରେ ଦୂର୍ଘଟଣାମାନ ଘଟି ଧନଜୀବନ ହାନୀ ହେବା ସହିତ ଯାତାୟତରେ ଗୁରୁତ୍ତର ବାଧା ସୃଷ୍ଟି ହେଉଛି । ଅଞ୍ଚଳବାସୀଙ୍କ ପକ୍ଷରୁ ଏହି ରାସ୍ତାର ଆବଶ୍ୟକ ନିର୍ମାଣ ଓ ମରାମତି ନିମନ୍ତେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ରାସ୍ତାଟିର ଅବସ୍ଥାରେ କୈାଣସି ପରିବର୍ତ୍ତନ ହୋଇନଥିବା ଦେଖାଯାଇଛି । ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ପୂର୍ବତନ ସରପଞ୍ଚ ବସନ୍ତ କୁମାର ରାଉତ, ଶାରଦା ପ୍ରସନ୍ନ ରାଉତ, ଚିତ୍ତରଞ୍ଜନ ଦାସ, ଶିବପ୍ରସାଦ ବିଶ୍ୱାଳ, ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading