ପୋଷକତତ୍ୱପୂର୍ଣ୍ଣ ଫଟିଫାଏଡ୍ ଚାଉଳ ବ୍ୟବହାର ନିମନ୍ତେ ସଚେତନତା ବୈଠକ


କେନ୍ଦ୍ରାପଡ଼ା, ୨୭ା୬: ପୋଷକତତ୍ୱପୂର୍ଣ୍ଣ ଫର୍ଟିଫାଏଡ୍ ଚାଉଳ ବ୍ୟବହାର ନିମନ୍ତେ ଏକ ସଚେତନତା ବୈଠକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ଭୁବନେଶ୍ୱରର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଓଡ଼ିଶା ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ମୋନା ଜେଠୱା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଫଟଫାଏଡ୍ ଚାଉଳର ଆବଶ୍ୟକତା ସମ୍ପର୍କରେ ପାୱାର ପଏଂଟ୍ ମାଧ୍ୟମରେ ସମସ୍ତଙ୍କୁ ବୁଝାଇଥିଲେ । ସାଧାରଣତଃ ଚାଉଳକୁ ମିଲିଙ୍ଗ୍ ଓ ପଲିସିଙ୍ଗ୍ କରିବା ସମୟରେ ସେଥିରେ ଥିବା ଚର୍ବି ଓ ପୋଷକତତ୍ୱ ଏବଂ ୭୫ରୁ ୯୦ ଭାଗ ଭିଟାମିନ୍ ଚୋକଡ଼ ଆକାରରେ ବାହାରି ଯାଇଥାଏ । ତେଣୁ ଚାଉଳରେ ପୋଷକ ତତ୍ୱଗୁଣ ହ୍ରାସ ପାଇଥାଏ । ଅଙ୍ଗନୱାଡ଼ି, ମଧ୍ୟାହ୍ନ ଭୋଜନ ଏବଂ ରାସନ୍ ଦୋକାନରେ ଲୋକମାନଙ୍କୁ ପୋଷକତତ୍ୱପୂର୍ଣ୍ଣ ଫଟଫାଏଡ୍ ଚାଉଳ ଗତ ଦୁଇ ବର୍ଷ ହେଲା ରାଜ୍ୟ ସରକାର ଯୋଗାଇ ଆସୁଛନ୍ତି । ପୋଷକତତ୍ୱ ବିନା ଶିଶୁ, ଗର୍ଭବତୀ ମହିଳାମାନେ ଆନିମିଆ ବା ରକ୍ତହୀନତା ରୋଗର ଶିକାର ହୋଇଥାନ୍ତି । ବେଳେବେଳେ ଏହା ଶିଶୁ ଓ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ । ଅଧିକ ଦିନ ରକ୍ତହୀନତା ଲାଗି ରହିଲେ ହୃଦ୍‌ଘାତର ଆଶଙ୍କା ମଧ୍ୟ ରହିଛି । ଏଣୁ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଏହି ଫର୍ଟିଫାଏଡ୍ ଚାଉଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ମାଧ୍ୟମରେ ଲୋକମାନଙ୍କୁ ସାଧାରଣ ଚାଉଳ ସହ ୧ ପ୍ରତିଶତ ଫଟଫାଏଡ୍ ଚାଉଳ ମିଶ୍ରଣ କରାଯାଇ ଲୋକଙ୍କୁ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସିଏଚ୍‌ସି / ପିଏଚ୍‌ସିର ସ୍ୱାସ୍ଥ୍ୟ ଅଧିକାରୀ, ଡା. ମୁରଲିଧର ପାଢ଼ୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପି. କେ. ମହାପାତ୍ର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଡିପିସି (ମମତା) ମନୋରଞ୍ଜନ ଦାସ, କୃଷ୍ଣଚନ୍ଦ୍ର ଲୋହା, ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଡିପିଏମ୍ ଏବଂ କର୍ମକର୍ତ୍ତା ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ ଡା. ନୃପେନ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading