

କେନ୍ଦ୍ରାପଡ଼ା,୧୯ା୯:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦଣ୍ଡାମୁଣ୍ଡ ଛକରେ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ଅଟୋଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଅଟୋ ଚାଳକ ହେଉଛନ୍ତି ନିକିରାଇ ଥାନା ଅନ୍ତର୍ଗତ ନିକିରାଇପଟଣା ଗ୍ରାମର ନୃସିଂହ ଚରଣ ସାହୁ(୫୭)। ଖବର ନେବାରୁ ଜଣାପଡିଛି ନୃସିଂହ ୨ ଜଣ ମହିଳା ଓ ଜଣେ ଛୋଟ ପିଲାକୁ ଅଟୋରେ ବସାଇ ଗ୍ରାମରୁ କେନ୍ଦ୍ରାପଡ଼ା ସହର ଅଭିମୁଖେ ଆସୁଥିଲେ। ଦଣ୍ଡାମୁଣ୍ଡ ଛକ ନିକଟରେ ଏକ ଲୁହା ପଥର ବୋଝେଇ ଟ୍ରକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରୁ ଅଟୋ ଚାଳକ ନୃସିଂହ ଛିଟିକି ପଡିଥିଲେ। ତାଙ୍କ ଉପରେ ଟ୍ରକ ଚଢି ଯାଇଥିଲା। ଏହାଦ୍ୱାରା ଦୁର୍ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଟୋରେ ବସିଥିବା ଯାତ୍ରୀମାନେ ଭାଗ୍ୟ ବଶତଃ ସୁରକ୍ଷିତ ଥିବା ଜଣାପଡିଛି। ଟ୍ରକ ଚାଳକ ଅଟୋକୁ ଧକ୍କା ଦେବା ପୂର୍ବରୁ ଏକ ସ୍କୁଟି ଓ ଏକ କାରକୁ ମଧ୍ୟ ଧକ୍କା ଦେଇଥିଲେ ବୋଲି ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି। ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଟ୍ରକ ଚାଳକ ସଞ୍ଜୟ ବେହେରାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ଲୁହା ପଥର ବୋଝେଇ ଟ୍ରକର ମାଲିକ ନିକିରାଇ ଗ୍ରାମର ମହେଶ୍ୱର ଜେନା ବୋଲି ପୋଲିସ କହିଛି। ଅପରପକ୍ଷରେ ଟ୍ରକ ମାଲିକମାନେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମାନୁ ନାହାଁନ୍ତି। ଜିଲ୍ଲାପାଳ ନିକଟରେ ନିର୍ଦ୍ଦେଶ ଦେଇଥିଲେ ଯେ ଭାରୀଯାନ ସକାଳ ୭ଟାରୁ ରାତି ୯ଟା ମଧ୍ୟରେ ଚଳ ପ୍ରଚଳ କରିପାରିବ ନାହିଁ। ହେଲେ ଏହି ନିର୍ଦ୍ଦେଶକୁ ଟ୍ରକ ମାଲିକମାନେ ପାଳନ କରୁନାହଁନ୍ତି। ଯାହା ଫଳରେ ଏଭଳି ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଦୀପ ଲିଭି ଯାଉଛି। ଗତ ବର୍ଷ ଜଣେ ମହିଳା ସ୍କୁଟିରେ ଯାଉଥିବା ବେଳେ ତିନିମୁହାଣୀ ଛକ ନିକଟରେ ଏକ ହାଇୱା ଧକ୍କା ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଜିଲ୍ଲାପାଳ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରିଥିଲେ। କିଛି ଦିନ ପୋଲିସ ସେହି ନିର୍ଦ୍ଦେଶ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଟାଉନ୍ ଥାନାର ପୂର୍ବତନ ଆଇଆଇସି ଦିଲ୍ଲୀପ ସାହୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଆଦାୟ କରିଥିଲେ। ଏହାସହ ୧୦ଟି ଟ୍ରକକୁ ଜବତ କରିଥିଲେ। ଫଳରେ ଟ୍ରକ ମାଲିକମାନଙ୍କ ମନରେ ଛନକା ପସିଥିଲ। ଫଳରେ ସେହି ସମୟରେ ଦୁର୍ଘଟଣା ହ୍ରାସ ପାଇଥିଲା। ହେଲେ ତାଙ୍କର କେନ୍ଦ୍ରାପଡ଼ ଟାଉନ ଥାନାରୁ ଅନ୍ୟତ୍ର ବଦଳି ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆଉ କାର୍ଯ୍ୟକାରୀ ହେଲା ନାହିଁ ବୋଲି ସହରର ବୁଦ୍ଧିଜୀବୀମାନେ କହିଛନ୍ତି।

Leave a Reply