ବଜେଟ୍ ୨୦୨୪: ପଡୋଶୀକୁ ସବୁ ଦେଲେ, ଓଡ଼ିଶା ଭାଗକୁ ନାହିଁ! ,

ବଜେଟ୍ ୨୦୨୪: ପଡୋଶୀକୁ ସବୁ ଦେଲେ, ଓଡ଼ିଶା ଭାଗକୁ ନାହିଁ! ,


ଭୁବନେଶ୍ୱର,୨୩/୭- ମୋଦି ସରକାର ତୃତୀୟ ପାଳି ପୂର୍ଣ୍ଣାଙ୍ଗ ବଜେଟ୍‌ର ସିଂହ ଭାଗ ବିହାର ଓ ଆନ୍ଧ୍ର ପ୍ରଦେଶକୁ ଓଜାଡି ଦେଇଛନ୍ତି । ଏହି ଦୁଇ ରାଜ୍ୟରେ ସ୍ୱତନ୍ତ୍ର ପ୍ୟାକେଜ ସହ ଏକାଧିକ ବିକାଶ କାର୍ଯ୍ୟ ନେଇ ଘୋଷଣା କରାଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ର ବଜେଟ ୨୦୨୪-୨୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଟଙ୍କା ବର୍ଷା କରିଛନ୍ତି । ଏହି ଦୁଇ ରାଜ୍ୟରେ ଭାଜପାର ମେଣ୍ଟ ସରକାର ରହିଛି । କାଳେ ଏମାନେ ବିଦ୍ରୋହ କରି ବିରୋଧୀଙ୍କୁ ବଳ ଦେବେ ତେଣୁ ଦୁଇ ଗେହ୍ଲାପୁଅଙ୍କୁ ଭାଗବାଣ୍ଟି ବଜେଟ୍‌ର ସିଂହଭାଗ ବାଣ୍ଟି ଦେଇଛନ୍ତି ।

ଦଳର ୧୬ ଓ ୧୨ ଏମପି ନିଜ ହାତରେ ରଖିବା ପାଇଁ ମୋଦି ସରକାର ତୁଷ୍ଟିକରଣ ଉପାୟରେ ଏହି ଦୁଇ ରାଜ୍ୟକୁ ଅଗ୍ରାଧିକାର ଦେଇଛନ୍ତି ବୋଲି ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ଓଡ଼ିଶାରେ ଭାଜପାର ଏକଚାଟିଆ ଭାବେ ସରକାର ଗଠନ କରିଥିଲେ ବି ରାଜ୍ୟ ପାଇଁ ସେ ଭଳି କିଛି ଆଖିଦୃଶିଆ ଘୋଷଣା କରାଯାଇ ନାହିଁ ବୋଲି ଚର୍ଚ୍ଚା ହେଉଛି ।ବଜେଟ ଉପସ୍ଥାପନବେଳେ ସୀତା ରମଣ ଆନ୍ଧ୍ର ଓ ବିହାର ପାଇଁ ଏକାଧିକ ଆର୍ଥିକ ସହାୟତା ଓ ବିକାଶମୂଳକ ପ୍ରୋଜେକ୍ଟ ଘୋଷଣା କରିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ଆନ୍ଧ୍ର ପ୍ରଦେଶର ବିକାଶ ପାଇଁ ୧୫ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି । କେବଳ ସେତିକି ନୁହେଁ ଆଗାମୀ ବର୍ଷରେ ଆହୁରି ଅର୍ଥ ମଞ୍ଜୁରି କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଆନ୍ଧ୍ରପ୍ରଦେଶ ପୁନପୁର୍ଗଠନ ଆଇନ ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁୁତ୍ୱାରୋପ କରି ଏହି ରାଶି ଆବଣ୍ଟିତ କରାଯାଇଛି ବୋଲି ସୀତା ରମଣ କହିଛନ୍ତି । ପୋଲାଭରମ ପ୍ରୋଜେକ୍ଟ ଓ ରାଜ୍ୟର ପଛୁଆ ଅଳର ବିକାଶ ପାଇଁ ଅନୁଦାନ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେହିପରି ବିହାର ପାଇଁ ନୂଆ ବିମାନବନ୍ଦର, ମେଡିକାଲ କଲେଜ, କ୍ରୀଡ଼ା ଭିତ୍ତିଭୂମି ଆଦିର ଗଠନ ହେବ । ଏଥିସହ, ବିହାରର ପାଟନା -ର୍ପୂର୍ଣ୍ଣିିୟା , ବକ୍ସର-ଭାଗଲପୁର, ଇତ୍ୟାଦି ଏକ୍ସପ୍ରେସୱେ ସମେତ ବିହାରର ନ୍ୟାଶନାଲ ହାଇୱେ ପାଇଁ ୨୬,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେହିପରି ଗୟା ପାଇଁ ୨,୪୦୦ ମେଗା ୱାଟର ପାୱାର ପ୍ଲାଣ୍ଟ ଓ ଇଣ୍ଡଷ୍ଟ୍ରିଆଲ କରିଡର ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।ବଜେଟରେ ବିହାର ଓ ଆନ୍ଧ୍ର ପାଇଁ ଅର୍ଥ ବର୍ଷା ହୋଇଥିବାବେଳେ ଓଡ଼ିଶା ପାଇଁ ହାତଜାକି ଦେଇଛନ୍ତି ସରକାର । ଅର୍ଥମନ୍ତ୍ରୀ କହିଛନ୍ତି ପୂର୍ବୋଦୟ ବିକାଶକୁ ଗୁରୁତ୍ୱ ଦିଆଯାଇଛି ।ଏହି ଯୋଜନାରେ ବିହାର, ଆନ୍ଧ୍ର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରହିଛି । ହେଲେ ବିହାର ଓ ଆନ୍ଧ୍ର ପାଇଁ ଯେପରି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ସେପରି କିଛି ଓଡ଼ିଶା ପାଇଁ ନାହିଁ । ଆଉ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଅନେକ ଦିନ ଧରି ଦାବି କରାଯାଉଥିଲେ ମଧ୍ୟ ଏଥିରେ କୌଣସି ଲାଭ ମିଳିନାହିଁ । ଯେଉଁ କାରଣରୁ ରାଜ୍ୟ ସଭାରେ ଆଜି କକ୍ଷତ୍ୟାଗ କରିଛି ବିଜେଡି । ଏମପି ସସ୍ମିତ ପାତ୍ର କହିଛନ୍ତି, ଆନ୍ଧ୍ର ଓ ବିହାରକୁ ସ୍ୱତନ୍ତ୍ର ଅନୁଦାନ ମିଳିଥିବା ବେଳେ ଓଡ଼ିଶାକୁ ବିଚାରକୁ ନିଆଯାଇନି । ଓଡ଼ିଶାରୁ ୨୧ରୁ ୨୦ ଏମପି ଜିତିଛି ଭାଜପା । ହେଲେ ୨୧ରୁ ୨୦ ଏମପି ଜିତିବା ଓଡ଼ିଶା ପାଇଁ ଦଣ୍ଡ ସଦୃଶ୍ୟ । ଭାଜପା ମେଣ୍ଟ ଥିବା ଦୁଇ ରାଜ୍ୟକୁ ପୁରସ୍କାର ମିଳିଛି । ହେଲେ ଓଡ଼ିଶାକୁ ଦଣ୍ଡ ଦିଆଯାଇଛି ।

ସେହିପରି ବଜେଟ୍ ଦେଖି ଅସନ୍ତୋଷ ଝାଡିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ । ଭାଜପା ନିଜ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଥିଲା । ନିର୍ବାଚନବେଳେ ଭାଜପା ନେତା ବହୁ ବଡ଼ ବଡ଼ କଥା କହିଥିଲେ । କିନ୍ତୁ କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ କହିଲେ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାର ର୍ନିବାଚନୀ ଇସ୍ତାହାରରେ ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ପ୍ରତିଶ୍ରୁତି ଦେଇଥିଲା, ହେଲେ ତାହା ପୂରଣ କଲାନାହିଁ ।

ଆନ୍ଧ୍ର ଓ ବିହାର ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଲେ । ହେଲେ ପ୍ରତିଶ୍ରୁତି ଦେଇ ବି ଓଡ଼ିଶା କଥା ବିଚାର କଲେନି । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି । ସ୍ୱତନ୍ତ୍ର ଅନୁଦାନ ପାଇଁ ରାଜ୍ୟ ବାରମ୍ବାର ଅନୁରୋଧ କରିଆସୁଛି । ଅନ୍ୟ ରାଜ୍ୟ କଥା ଶୁଣିଲେ, ଓଡ଼ିଶା କଥା ଶୁଣିଲେନି । ରାଜ୍ୟ ସରକାର ବାରମ୍ବାର କୋଇଲା ରୟାଲିଟି ସଂଶୋଧନ ପାଇଁ ଦାବି କରୁଥିବା ବେଳେ ବଜେଟରେ ଏନେଇ କେନ୍ଦ୍ର ସରକାର କିଛି ସମାଧାନ କରିନାହାଁନ୍ତି । କୋଇଲା ରୟାଲିଟି କ୍ଷେତ୍ରରେ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଥିବା କଥା ନବୀନ ପଟ୍ଟନାୟକ କହିଛନ୍ତିବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ଓଡ଼ିଶା ଏବେ ବି ପଛୁଆ ତଥା ଗରିବ ରାଜ୍ୟ । ହେଲେ କେନ୍ଦ୍ର ପୂର୍ବୋଦୟ ବିକାଶ କହିଥିବା ବେଳେ ଓଡ଼ିଶାକୁ ଅନୁଦାନ ନ ଦେବା ଦୁଃଖର ବିଷୟ । ଆଉ ଜବାବ ଦେଇ ଭାଜପା ବିଧାୟକ ସନତ ଗଡ଼ତିଆ କହିଛନ୍ତି, ପୋଲାଭରମ ପାଇଁ ଅର୍ଥ ଦିଆଯାଇଛି । ହେଲେ ଓଡ଼ିଶା ପାଇଁ କ୍ଷତିକାରକ ହେଲେ ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରିବେ ।

କହିରଖୁଛୁ କି, ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଥିଲା ତତ୍କାଳୀନ ସରକାର । ହେଲେ କେନ୍ଦ୍ର ଆଗ୍ରହ ଦେଖାଉନଥିଲେ । ସେପଟେ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ଦ୍ୱାରା ମାଲାକାନଗିରିର ଶତାଧିକ ଗାଁ ବୁଡିଯିବା ଅଭିଯୋଗ ହୋଇଆସୁଛି । ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ଆନ୍ଧ୍ରପ୍ରଦେଶର ଟିଡିପି ସହ ମିଶି ସରକାର ଗଠନ କରିଥିଲା । ସେହିପରି ବିହାରରେ ଭାଜପା ମେଣ୍ଟ ନୀତିଶଙ୍କ ଜେଡିୟୁକୁ ଅଧିକ ଆସନ ମିଳିଛି । ତେଣୁ ଏହି ଦୁଇ ରାଜ୍ୟକୁ ନିଜ ହାତରେ ନ ରଖିଲେ କେନ୍ଦ୍ରରେ ମୋଦି ସରକାର କ୍ଷମତାଚ୍ୟୁତ ହୋଇପାରେ ।