ଡେପୁଟେସନ୍ ଆଦେଶ ବାତିଲ କଲେ ଡିଇଓ ,୧୫ ସ୍କୁଲରେ ପଡିଲା ତାଲା


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ଅଧିନରେ ଥିବା ୧୫ଟି ବିଦ୍ୟାଳୟର ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶନାମା ଓ ମନମାନୀକୁ ବିରୋଧ କରି ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଫଳରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ/ଶିକ୍ଷକ ଓ କର୍ମଚାରୀମାନେ ବାହାରେ ଛିଡ଼ା ହୋଇ ଫେରିଥିବା ଜଣାପଡ଼ିଛି । ଜିଲା ଶିକ୍ଷାଧିକାରୀ ସ୍କୁଲର ସମସ୍ୟା ବିଷୟରେ ଅବଗତ ନଥାଇ କିପରି ଏଭଳି ନିର୍ଦ୍ଦେଶନାମା ଜାରି କଲେ ତାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂଚନା ମୁତବାକ, ଗତ କିଛି ବର୍ଷ ହେଲା ନୂତନ ଶିକ୍ଷକ ନିଯୁକ୍ତି ନ ହେବା ଓ ଶିକ୍ଷକମାନେ ଅବସର ନେବା ଯୋଗୁ ପଟ୍ଟାମୁଣ୍ଡାଇ ମଣ୍ଡଳରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଅଚଳାବସ୍ଥା ଦେଖାଦେଇଥିଲା । ବିଭିନ୍ନ ସମୟରେ ସ୍କୁଲ କମିଟି ଓ ଅଭିଭାବକମାନେ ପଟ୍ଟାମୁଣ୍ଡାଇ ମଣ୍ଡଳଶିକ୍ଷାଧିକାରୀ ଓ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକ ନିଯୁକ୍ତି ଦାବି ଓ ଆନ୍ଦୋଳନ ଧାରଣା ଦେଇଆସୁଥିଲେ । ଏହାକୁ ନେଇ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସ୍ୱଭାବିକ ପରିସ୍ଥିତି ଆଣିବା ପାଇଁ ତତକାଳୀନ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଧେଶରେ ଅଧିକ ଶିକ୍ଷକ ଥିବା ସ୍କୁଲରୁ ଡେପୁଟେସନ ଦ୍ୱାରା ଶିକ୍ଷକମାନଙ୍କୁ ଶିକ୍ଷକ ନଥିବା ଏବଂ ଅତି କମ ଶିକ୍ଷକ ଥିବା ବିଦ୍ୟାଳୟରେ ନିଯୁକ୍ତି ଦେଇ ଶିକ୍ଷା ବ୍ୟବସ୍ଥାକୁ ସ୍ୱଭାବିକ କରି ଆସୁଥିଲେ । ମାତ୍ର ଗତ କାଲି ଅଚାନକ ଭାବେ ଡିଇଓ ପ୍ରଦୀପ କୁମାର ନାଗଙ୍କ ପତ୍ର ସଂଖ୍ୟା ୮୧୩୯ ଏମ ୩୧ ।୭ ।୨୦୨୪ ଅନୁସାରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଶିକ୍ଷା ଅଧିକାରୀ ୧ ।୮ ।୨୦୨୪ ପତ୍ର ସଂଖ୍ୟା ୧୪୮୦ ଅନୁସାରେ ୬୬ ଜଣ ଶିକ୍ଷକଙ୍କ ଡେପୁଟେସନ ଆଦେଶ ବାତିଲ ନିର୍ଦ୍ଧେଶ ଦେଇଥିଲେ ।


ନିର୍ଦ୍ଧେଶ ଅନୁଯାଇ ଶନିବାର ପଟ୍ଟାମୁଣ୍ଡାଇ ଶିକ୍ଷା ମଣ୍ଡଳ ଅଧିନ ବିଭିନ୍ନ ଅଂଚଳର ୬୩ ପ୍ରାଥମିକ ବିଦ୍ୟାଳୟର ୬୬ ଡେପୁଟେସନ ଶିକ୍ଷକଙ୍କ କାର୍ଯ୍ୟଦେଶ ବାତିଲ କରି ନିଯୁକ୍ତି ପାଇଥିବା ମୂଳସ୍କୁଲରେ ଯୋଗଦେବାକୁ କୁହାଯାଇଥିଲା । ନିର୍ଦ୍ଦେଶନାମା ମିଳିବା ପରେ ଶିକ୍ଷକମାନେ ନିଯୁକ୍ତ ପାଇଥିବା ମୂଳ ସ୍କୁଲରେ ଯୋଗଦେବା ପରେ ଶିକ୍ଷକ ଅଭାବ ସ୍କୁଲଗୁଡ଼ିକରେ ଅସନ୍ତୋଷ ଦେଖା ଦେଇଛି । ଶନିବାର ପାଖାପାଖି ୧୫ଟି ସ୍କୁଲର ମୋ ସ୍କୁଲ କମିଟି, ସ୍ଥାନୀୟ ସରପଂଚ, କଉନସିଲର ଏବଂ ସ୍କୁଲ କମିଟି ସଭ୍ୟ ମାନେ ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେବା ସହିତ ଆଦେଶ ବାତିଲ ନ ହେଲେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବିଦ୍ୟାଳୟକୁ ବନ୍ଦ ରଖାଯିବ ବୋଲି ପଟ୍ଟାମୁଣ୍ଡାଇ ବିଇଓ ହରିହର ଦଳାଙ୍କୁ ଚେତାଇ ଦେଇଛନ୍ତି । ଏନେଇ ବିଇଓ ଦାଳାଇଙ୍କୁ ପଚାରିବାରେ ଏହାର ସମାଧାନର ବାଟ ବହାରିବ ବୋଲି କହିଥିଲେ ।


Discover more from

Subscribe now to keep reading and get access to the full archive.

Continue reading