
କେନ୍ଦ୍ରାପଡା,୪/୮: ମାଧପୁରସ୍ଥିତ ପୁନର୍ବାସ ପରିସରରେ ପଦ୍ମା ରାଉତ ଭିନ୍ନକ୍ଷମ ବାଳିକା ମେଧାବୃତ୍ତି ଓ ସଫଳ ସମର୍ଥା ସମ୍ମାନ ପ୍ରଦାନ କରାଯାଇଛି । ବିଶିଷ୍ଟ କଥାକାର ତଥା ପୁନର୍ବାସର ମୁଖ୍ୟ ଉପଦେଷ୍ଟା ଡ଼. ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କବି ତଥା ପ୍ରାକ୍ତନ ଅଧ୍ୟକ୍ଷା ଡ. ଅପର୍ଣ୍ଣା ମହାନ୍ତି, ବିଶିଷ୍ଟ ଚିକିତ୍ସକ ଡା. ଗୌରାଙ୍ଗ ଚରଣ ସାମନ୍ତରାୟ, ସ୍ୱତନ୍ତ୍ର ଅତିଥି ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସସ୍ମିତା ଅଧିକାରୀ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ଏହି ଆର୍ôଥକ ସହାୟତା ବୃତ୍ତି ସେମାନଙ୍କ ମନୋବଳ ଦ୍ୱିଗୁଣିତ କରିବା ସହ ଆଗକୁ ବଢ଼ିବାକୁ ଅଧିକ ପ୍ରେରଣା ଦେବ ବୋଲି କହିଥିଲେ । ଅତିଥିମାନଙ୍କୁ ସବୁଜ ଫଳଚାରା ପ୍ରଦାନ କରି ପୁନର୍ବାସର କର୍ମଚାରୀମାନେ ସ୍ୱାଗତ୍ କରିଥିଲେ । ଇତ୍ୟବସରରେ ମାଟ୍ରିକ୍, ଯୁକ୍ତଦୁଇ ଓ ଯୁକ୍ତତିନି ଛାତ୍ରୀ ସର୍ବଶ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ, ବି ଶୁଭ୍ରାଙ୍ଗିନୀ ରାଉତରାୟ, ଶୁଭଶ୍ରୀ ଖଣ୍ଡୁଆଳ, ଭାରତୀ ଦାସ, ହରପ୍ରିୟା ଦାସ, ମୋନାଲିସା ବଳ, ଉଷଶ୍ରୀ ବେହେରାଙ୍କୁ ପଦ୍ମା ରାଉତ ଭିନ୍ନକ୍ଷମ ବାଳିକା ମେଧାବୃତ୍ତି ବାବଦରେ ପ୍ରତ୍ୟେକଙ୍କୁ ପାଞ୍ଚ ହଜାର ଟଙ୍କାର ଚେକ୍ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ପରେ ପରେ ଶତ ପ୍ରତିଶତ ଦୃଷ୍ଟିବାଧିତା ଓ ଉତ୍କଟ ଦାରିଦ୍ର୍ୟତା ସତ୍ତ୍ୱେ କଠୋର ସାଧନା ବଳରେ ଅଧ୍ୟାପିକା ହୋଇପାରିଥିବା ସଶ୍ମିତା ଅଧିକାରୀଙ୍କୁ ପୁନର୍ବାସ ପକ୍ଷରୁ “ସଫଳ ସମର୍ଥା’ ସମ୍ମାନ ପ୍ରଦାନ କରାଯାଇଥିଲା । ସହସମ୍ପାଦକ ବଂଶୀଧର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ଅତିଥି ସଶ୍ମିତା ଅଧିକାରୀ ନିଜର ପ୍ରେରଣାଦାୟୀ ସଂଘର୍ଷମୟ ଜୀବନ ଗାଥାକୁ ବର୍ଣ୍ଣନା କରିଥିଲେ । ୧୦ନମ୍ବର ୱାର୍ଡ ପୌରସଭ୍ୟା ରଶ୍ମିତା ସିଂହ, କବିତା ମୁଦୁଲି ଓ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ଭିନ୍ନକ୍ଷମ ବାଳିକାଙ୍କ ଏହି ସଫଳତାକୁ ପ୍ରଶଂସା କରିଥିଲେ । ପୁନର୍ବାସର ପକ୍ଷରୁ ପରିଚାଳନା ବୋର୍ଡ ସଭ୍ୟ ଶିବଚରଣ ସାମଲ, ମହମ୍ମଦ ଜାହିଦ ଖାଁ, ଜ୍ୟୋତିରଞ୍ଜନ ନାୟକ, ଶେଷଦେବ ଦାସ, ପ୍ରଫୁଲ୍ଲ ବେହେରା, ସଂଗ୍ରାମ ଚୌଧୁରୀ, କ୍ଷୀରୋଦ କର, ଅମରିନ ସାହାଦତ ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ସଂଗ୍ରାମ ନାୟକ, ସଂଜୀବ ଜେନା, ଗୌତମ ସାହୁ, ମନୋଜ ମହାନ୍ତି, ରଞ୍ଜନ ସ୍ୱାଇଁ, ମନୋଜ ବିଶ୍ୱାଳ, ପ୍ରତାପ ସ୍ୱାଇଁ, ବିଜୟ ବିରୁହା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ନିମାଇଁ ଚରଣ ମାନସିକ ଅନଗ୍ରସର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।










