କେନ୍ଦ୍ରାପଡ଼ାରେ ମିଳିତ ଅଭିଯୋଗ ଶୁଣାଣି ଶିବିର



କେନ୍ଦ୍ରାପଡ଼ା, ୫ା୮: କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ୍‌ହଲ୍‌ଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, ଜିଲ୍ଲାପରିଷଦର ଉପ-ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାସିନ୍ଧୁ ପରିଡ଼ା, କେନ୍ଦ୍ରାପଡ଼ା ତହସିଲଦାର ତାପସ ଦେହୁରୀ ଓ ବିଡିଓ ବନ୍ଦନା ଖଟୁଆ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍‌ର ନିର୍ବାହୀ ଯନ୍ତ୍ରୀ ପ୍ରମୂଖ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ । ଏହି ଅଭିଯୋଗ ଶୁଣାଣିରେ ମୋଟ୍ ୧୪୭ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୧୫ ଗୋଟି ସାମୁହିକ ଏବଂ ୧୩୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲଫ୍ ଫଣ୍ଡରୁ ଏକ ଲକ୍ଷ ୩୫ ହଜାର ଟଙ୍କା ୧୬ଜଣ ଆବେଦନକାରୀଙ୍କୁ ଦେବା ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିବା ବେଳେ ରେଡ୍‌କ୍ରସ୍ ପାଣ୍ଠିରୁ ୯ଜଣ ଆବେଦନକାରୀଙ୍କୁ ଚିକିତ୍ସା ସହାୟତା ଓ ଉଚ୍ଚଶିକ୍ଷା ବାବଦରେ ମୋଟ୍ ୬୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ମୋଟ୍ ୧୪୭ଟି ଅଭିଯୋଗ ମଧ୍ୟରୁ ୬୩ଟି ଅଭିଯୋଗର ତତ୍‌କାଳ ସମାଧାନ ହୋଇଥିବା ବେଳେ ନିଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅନ୍ୟ ସମସ୍ତ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ୍‌କାର୍ଡ଼ ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ବିଧବା ଭତ୍ତା, ମଧୁବାବୁ ପେନସନ ଯୋଜନା, ଜମିଜମା କେସ୍ ଫଇସଲା, ବକେୟା ଦରମା ପ୍ରାପ୍ତି, ନିଯୁକ୍ତି, ଚାକିରୀ ବଦଳି ଆବେଦନ ଆଦି ଦରଖାସ୍ତଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ପାନୀୟ ଜଳ ଯୋଗାଣ, ଶିକ୍ଷକ ବଦଳି ଓ ନିଯୁକ୍ତି, ଗ୍ରାମ୍ୟ ରାସ୍ତା ମରାମତି ଓ ନିର୍ମାଣ, ଜମିଜମା ସମାଧାନରେ ବିଳମ୍ବ, ସରକାରୀ ରାସ୍ତା ଅବରୋଧ ହଟାଇବା, ସର୍ବସାଧାରଣ ସମ୍ପତିର ସୁରକ୍ଷା, ସରକାରୀ ଜମିର ସୁରକ୍ଷା ଓ ବେଆଇନ ଅବରୋଧ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଭିଯୋଗଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ଏଗୁଡ଼ିକର ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading