ଡେପୁଟେସନ ବାତିଲ ନିର୍ଦ୍ଦେଶ ସ୍ଥଗିତ ପରେ ବିଇଓଙ୍କ ବିଭିନ୍ନ ସ୍କୁଲ ପରିଦର୍ଶନ


କେନ୍ଦ୍ରାପଡା,୬/୮-ପଟ୍ଟାମୁଣ୍ଡାଇ ବ୍ଳକର ୬୬ ପ୍ରାଥମିକ ଶିକ୍ଷକଙ୍କର ଡେପୁଟେସନ ବାତିଲ ନିର୍ଦ୍ଦେଶ ସ୍ଥଗିତ ହେବା ପରେ ପଟ୍ଟାମୁଣ୍ଡାଇ ମଣ୍ଡଳ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସ୍ୱଭାବିକ ହୋଇଥିବା ବେଳେ ଆଜି ବ୍ଳକ ଶିକ୍ଷା ଅଧିକାରୀ ହରିହର ଦଳାଇ କେସି ରାଜଭଟ୍ଟ ନୋଡାଲ ଉଚ୍ଚ ବିଦ୍ୟାଳୟ, ଆମ୍ବେର, ମୁଳଗାଇଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟ, ମୁଳବସନ୍ତ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ପାଠପଢ଼ା ସହିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ତଦାରଖ କରିଛନ୍ତି । ଅନୁରୁପ ଭାବେ ବିଆରସିସି ଚନ୍ଦ୍ର ଶେଖର ତ୍ରିପାଠୀ ପୌରାଚଂଳର ବିଭିନ୍ନ ସ୍କୁଲ ମଧ୍ୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାର ସ୍ଥାୟୀ ସମାଧାନ ପାଇଁ ଡେପୁଟେସନରେ ଯାଇଥିବା ଶିକ୍ଷକ ମାନେ ସେହି ସ୍କୁଲରେ କିପରି ନିୟମିତ ହେବେ ସେଥିନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ବ୍ଳକ ଶିକ୍ଷା ଅଧିକାରୀ ଓ ବିଆରସିସିଙ୍କ ସହ ଆଲୋଚନା କରିଛନ୍ତି । ପୁନଃ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଶିକ୍ଷକ ମାନେ ପୂର୍ବରୁ କାର୍ଯ୍ୟ କରୁଥିବା ବିଦ୍ୟାଳୟ ମାନଙ୍କରେ ନିୟମିତ ଭାବେ କାର୍ଯ୍ୟ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ସମଗ୍ର ପଟ୍ଟାମୁଣ୍ଡାଇ ବ୍ଳକରେ ପ୍ରାଥମିକ ଶିକ୍ଷାରେ ଲାଗି ରହିଥିବା ଅବଚଳାବସ୍ଥା ସାମୁହିକ ଭାବେ ଦୂର ହୋଇଛି । ସମସ୍ତ ଶିକ୍ଷକ ତାଙ୍କ ପୂର୍ବ ବିଦ୍ୟାଳୟରେ ଯେମିତି କାର୍ଯ୍ୟ କରୁଥିଲେ ସେଭଳି କାର୍ଯ୍ୟ କରୁଛନ୍ତି କି ନାହିଁ ଉକ୍ତ ବିଦ୍ୟାଳୟ ଗୁଡିକୁ ତଦାରଖ କରିବା ପାଇଁ ପଟ୍ଟାମୁଣ୍ଡାଇ ବିଇଓ, ଏବିଇଓ ଓ ସିଆରସିସି ମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଏହି ନିର୍ଦ୍ଦେଶ ପରେ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସ୍ୱଭାବିକ ପରିସ୍ଥିତି ଆସିବ ବୋଲି ବୁଦ୍ଧିଜିବୀ ମାନେ ଆଶା ପୋଷଣ କରୁଛନ୍ତି ।
ପ୍ରକାଶ ଥାଉକି ଅଚାନକ ଭାବେ ପଟ୍ଟାମୁଣ୍ଡାଇ ବ୍ଳକର ୬୬ ଜଣ ପ୍ରାଥମିକ ଶିକ୍ଷକଙ୍କୁ ଡେପୁଟେସନ ଅର୍ଡକୁ ବାତିଲ କରାଯାଇଥିଲା । ଫଳରେ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳର ଅଭିଭାବକ ଓ ଜନସାଧାରଣ ମାନଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇବା ସହ ବିଭିନ୍ନ ସ୍କୁଲରେ ଶିକ୍ଷକ ମାନଙ୍କୁ ନଛାଡିବାକୁ ଦାବି କରି ସ୍କୁଲ ତାଲା ପକାଇବା ସହ ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସ୍ଥାନୀୟ ସ୍କୁଲ ସମସ୍ୟା ବିଷୟରେ ଅବଗତ ନଥାଇ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ପ୍ରରୋଚନାରେ ଏଭଳି ନିର୍ଦ୍ଦେଶନାମା ଜାରିକଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏହି ବାତିଲ ନିର୍ଦ୍ଦେଶକୁ ପଟ୍ଟାମୁଣ୍ଡାଇର ବୁଦ୍ଧିଜିବୀ ମାନେ ସ୍ୱାଗତ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading