ଚାକିରୀ ହରାଇବା ଆଶଙ୍କାରେ ଏକ ହଜାର ସ୍ୱାସ୍ଥ୍ୟମିତ୍ର


କେନ୍ଦ୍ରାପଡା,୭ା୮: ରାଜ୍ୟରେ ଥିବା ଏକ ହଜାର ସ୍ୱାସ୍ଥ୍ୟମିତ୍ର ଏବେ ଚାକିରୀ ହରାଇବା ଆଶଙ୍କାରେ ରହିଛନ୍ତି। ଏ ନେଇ ଓଡିଶା ସ୍ୱାସ୍ଥ୍ୟମିତ୍ର ସଂଘ ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ନିବେଦନ କରାଯାଇଛି। ସଂଘ ପକ୍ଷରୁ ନିବେଦନ କରାଯାଇଛି ଯେ ୨୦୧୯ ମସିହାରେ ସମଗ୍ର ରାଜ୍ୟରେ ୩୦ଟି ଜିଲ୍ଲାର ୭୦୦ରୁ ଅଧିକ ପଞ୍ଜୀକୃତ ବେସରାକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦେବା ପାଇଁ ସେମାନେ ନିଯୁକ୍ତି ପାଇଥିଲେ। ସେମାନଙ୍କର ବୟସ ପ୍ରାୟତଃ ୪୦ବର୍ଷ ଉପରେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ଲୋକମାନେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଲେ ସେମାନେ ରୋଗୀ ଓ ସମ୍ପର୍କୀୟଙ୍କୁ ସ୍ୱାସ୍ଥ୍ୟ ବୀମା କରାଇବାରେ ସହଯୋଗ କରିଥାନ୍ତି। ସେମାନେ ସମସ୍ତେ ବାହ୍ୟ ଠିକା ସଂସ୍ଥା ଜରିଆରେ ସ୍ୱଳ୍ପ ବେତନରେ ଦିନରାତି କାର୍ଯ୍ୟ କରୁଛନ୍ତି । କିନ୍ତୁ ସରକାର ପରିବର୍ତ୍ତନ ହେବା ପରେ କିଛିଦିନ ତଳେ ସ୍ୱାସ୍ଥ୍ୟ ବିଭାଗରୁ ଚିଠି ହୋଇଥିଲା ଯେ ସେପ୍ଟେମ୍ବର ୩୦ରେ ସେମାନଙ୍କ ଅବଧି ଶେଷ ହୋଇଯିବ। ଏହି ଭୟରେ ସ୍ୱାସ୍ଥ୍ୟମିତ୍ରମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେଣୁ ଏକ ୫୦ ଜଣିଆ ପ୍ରତିନିଧି ମଣ୍ଡଳୀ ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍କୁ ଭେଟି ସେମାନଙ୍କ ଗୁହାରି କରିଥିବା ପ୍ରକାଶ କରିଛନ୍ତି। ସେମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ଚାକିରୀ ଯିବ ନାହିଁ। କିନ୍ତୁ ଏ ନେଇ କୌଣସି ଲିଖିତ ପ୍ରତିଶ୍ରୁତି କିମ୍ବା ବିଭାଗ ପକ୍ଷରୁ କୌଣସି ପ୍ରତିଶ୍ରୁତି ମିଳି ନଥିବାରୁ ସେମାନେ ଏବେବି ଚାକିରୀ ହରାଇବା ଭୟରେ ରହିଥିବା ପ୍ରକାଶ କରିଛନ୍ତି। ଏଥିସହ ସେମାନଙ୍କ ଚାକିରୀର ସ୍ଥାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମାନସ କୁମାର ଲେଙ୍କା, ସନ୍ଦୀପ ମାଝୀ, ସତ୍ୟଶଙ୍କର ମହାପାତ୍ର, ଶ୍ରୀକାନ୍ତ କୁମାର ସେଠୀ, ରୁନା ସେଠୀ, ସୁଚିସ୍ମିତା ସାହୁ, ଲିପ୍ସା ଦାସ, ଶୁଭଲକ୍ଷ୍ମୀ ବିଶ୍ୱାଳ, ଭାଗ୍ୟଶ୍ରୀ ହୋତା ପ୍ରମୁଖ ୫୦ରୁ ଅଧିକ ସ୍ୱାସ୍ଥ୍ୟମିତ୍ର ଉପସ୍ଥିତ ଥିଲେ।


Next Post

କଷଣଅଂଟା ହାଇସ୍କୁଲ ଠାରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା

Thu Aug 8 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଷଣଅଂଟା ହାଇସ୍କୁଲ ଠାରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଶିକ୍ଷା ମଣ୍ଡଳ ଅଧିନରେ ଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ପ୍ରତିଭା ଉନ୍ମେଷ ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ରାଜ୍ୟ ସ୍ତରୀୟ ଶିକ୍ଷକନେତା ସିଆରସିସି ମଳୟ ଜେନା ପୌରହିତ୍ୟ କରିଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟ ଅତିଥି, ବିଆରସିସି ଚନ୍ଦ୍ରଶେଖର ତ୍ରିପାଠୀ, ଏବିଇଓ ସୁନିତ୍ ଦାଶ ସମ୍ମାନିତ ଅତିଥି,ପୁର୍ବତନ […]

KANIKA