କେନ୍ଦ୍ରାପଡା,୯ା୮ :କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କହ୍ନେଇପୁର ଗ୍ରାମର ଜନୈକ ଚାଷୀ ଋଣ ବୋଝ ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ମହେନ୍ଦ୍ର ପ୍ରଧାନ(୫୦)। ମହେନ୍ଦ୍ର ଗୋଟିଏ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ ମହେନ୍ଦ୍ର ସକାଳ ୯ଟାରେ ଘରୁ ବିଲକୁ ବାହାରି ଯାଇଥିଲେ। କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ତେଣୁ ପରିବାର ଲୋକେ ବିଲକୁ ତାଙ୍କୁ ଖୋଜିବାକୁ ଯାଇଥିଲେ। ବିଲ ନିକଟ ରାସ୍ତାରେ ଥିବା ଏକ ଆମ୍ବ ଗଛରେ ତାଙ୍କ ମୃତଦେହ ଝୁଲୁଥିବା କେତେକ ଲୋକ କହିଥିଲେ। ଫଳରେ ପରିବାର ଲୋକେ ଘଟଣାସ୍ଥଳକୁ ଯାଇଥିଲେ। ଏ ନେଇ ପରିବାର ଲୋକେ କେନ୍ଦ୍ରାପଡ଼ା ସଦର ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପରିବାର ଲୋକଙ୍କ କହିବା କଥା ହେଲା ମହେନ୍ଦ୍ର ଚାଷ କାର୍ଯ୍ୟ କରିବା ପାଇଁ ଗତ ବର୍ଷରୁ ପ୍ରାଥମିକ କୃଷି ସମବାୟ ସମିତିରୁ ଋଣ ଆଣିଥିଲେ। ଏଥିସହ କେତେକ ଲୋକଙ୍କ ଠାରୁ ହାତ ଉଦ୍ଧାରି ମଧ୍ୟ ଆଣିଥିଲେ। କିନ୍ତୁ ଭଲ ଫସଲ ହେଉନଥିବାରୁ ସେ ଋଣ ଟଙ୍କା ସୁଝି ପାରୁ ନଥିଲେ। ଚଳିତ ବର୍ଷ ମଧ୍ୟ ଭଲ ଅମଳ ହେବ ନାହିଁ ବୋଲି ସେ କହୁଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।
ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀ ସନ୍ତୋଷ କୁମାର ବେହେରା କୁହନ୍ତି ଯେ ମହେନ୍ଦ୍ର ମାନସିକ ଚାପରେ ଥିଲେ। ବିଭିନ୍ନ ସୂତ୍ରରୁ ଋଣ ଆଣି ସୁଝି ପାରୁ ନଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ତାଙ୍କ ୨୨ ବର୍ଷର ପୁଅ ଦାଦନ ଖଟିବାକୁ ଗୁଜୁରାଟ ଯାଇଛି। ତାଙ୍କ ଝିଅ ତୁଳସୀ ମହିଳା ମହାବିଦ୍ୟାଳୟରେ +୩ରେ ପାଠ ପଢୁଛି। ଝିଅର ପାଠ ପଢା ଖର୍ଚ୍ଚ ମଧ୍ୟ ସେ ଦେଇ ପାରୁ ନଥିଲେ। ଫଳରେ ମାନସିକ ଚାପରେ ସେ ରହୁଥିବା ପ୍ରକାଶ କରିଥିଲେ। ମହେନ୍ଦ୍ରଙ୍କ ପରିବାରକୁ ତୁରନ୍ତ ଆବଶ୍ୟକ ସରକାରୀ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି।