‘ସାଫ୍ରନ୍ ସୋର୍ଡସ୍‌’କୁ ନେଇ “ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ

‘ସାଫ୍ରନ୍ ସୋର୍ଡସ୍‌’କୁ ନେଇ “ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ

କେନ୍ଦ୍ରାପଡା,୧୧/୮:ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ତିନିମୁହାଣୀସ୍ଥିତ ଶ୍ରୀରାମ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆରେ ଅନୁବାଦ ହୋଇଥିବା ବଙ୍ଗଳା ଲେଖିକା ମାନସୀ ସିହ୍ନା ରାଓଲଙ୍କ ରଚିତ ଇଂରାଜୀ ପୁସ୍ତକ “ସାଫ୍ରନ୍ ସୋର୍ଡସ୍‌’ ସମ୍ପର୍କରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ଏହି ନିଆରା ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅନୁବାଦିକା ନବଜ୍ୟୋତି ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସେ ଏହା ମଧ୍ୟ କହିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସକୁ ସଙ୍କୁଚିତ କରିଦେବା ପାଇଁ ନାନା ଉଦ୍ୟମ ହେବା ସତ୍ତ୍ୱେ “ସାଫ୍ରନ୍ ସୋର୍ଡସ୍‌’ ପରି ପୁସ୍ତକ ସ୍ୱାଧୀନତା ସଂଗ୍ରାମର ପୂର୍ଣ୍ଣ ସତ୍ୟକୁ ଉନ୍ମୋଚନ କରିବାରେ ସଫଳ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କଥାକାର ପ୍ରଦୀପ ନାୟକ “ସାଫ୍ରନ୍ ସୋର୍ଡସ୍‌’ ପୁସ୍ତକ ସ୍ରଷ୍ଟାଙ୍କର ଏକ କାଳଜୟୀ କୃତି ବୋଲି ମତବ୍ୟକ୍ତ କରିଥିଲେ । ଏହି ପୁସ୍ତକରେ ବିଗତ ୧୩ଶହ ବର୍ଷର ସ୍ୱାଧୀନତା ସଂଗ୍ରାମର ଲହୁ ଲୁହର ଇତିହାସ ଉଲ୍ଲେଖ କରାଯାଇଛି । ଭାରତ ସ୍ୱାଧୀନତା ସଂଗ୍ରାମର ଅନେକ ଅକୁହା କଥା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି ବୋଲି ମୁଖ୍ୟବକ୍ତା ପ୍ରଦୀପ କୁମାର ନାୟକ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ “ସାଫ୍ରନ୍ ସୋର୍ଡସ୍‌’ର ଓଡ଼ିଆ ଅନୁବାଦକ ଅନ୍ତର୍ଯାମୀ ମହାରଣା ଅନୁବାଦ ବେଳରେ ଅନୁଭବ ବଖାଣିବା ସହିତ ଏହି ପୁସ୍ତକ ପ୍ରତିଟି ଭାରତୀୟ ପାଇଁ ଏକ ଅମୂଲ୍ୟ ଗ୍ରନ୍ଥ ବୋଲି କହିଥିଲେ । କେବଳ ଇତିହାସର ଛାତ୍ର ନୁହଁ ବରଂ ପ୍ରତିଟି ଭାରତୀୟ ଏହି ପୁସ୍ତକ ପାଠ କରିବା ଉଚିତ୍ । ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଳୟ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିରେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ । ରଶ୍ମିରଞ୍ଜନ ସ୍ୱାଇଁ, ଜ୍ଞାନରଞ୍ଜନ ଦାସ, ପଙ୍କଜ ସିହ୍ନା, ଗୌତମ ସାହୁ, ସୁଶାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଯୁବ ଅନୁବାଦକ ଅନ୍ତର୍ଯାମୀ ମହାରଣାଙ୍କୁ ତାଙ୍କ ସାହିତ୍ୟ କୃତି ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ଜୟ ରାଷ୍ଟ୍ର ପକ୍ଷରୁ ପ୍ରତି ମାସରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।