
ସ୍ୱାଧିନତା ଦିବସରେ ଅପେକ୍ଷା କରିଥିଲା ମୃତ୍ୟୁ। ସ୍କୁଲରେ ପ୍ୟାରେଡ ସାରି ଘରକୁ ପାହଁଚିବା ପରେ ଘରେ ହଟାତ ଗ୍ୟାସ୍ଟାଙ୍କି ବିସ୍ଫୋରଣ ହେଲା । କିଛି ବୁଝିବା ଆଗରୁ ପୁରା ଘର ଜଳି ବାକୁ ଲାଗିଲା । ନିଆଁର ପ୍ରଖର ଧାସରେ ଭଉଣୀ-ଭାଇ ଘରୁ ବାହାରି ପାରିଲେନାହିଁ । ଗ୍ରାମବାସୀ, ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କଲେ । କିନ୍ତୁ ସେତେବେଳକୁ ଘର ସହ ଦୁଇ ନିଷ୍ପାପ ଜୀବନ ଆଉ ନଥିଲା। ଏଭଳି ଏକ ଦୁଃଖଦ ଘଟଣା ଆଜି ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ବଳରାମପୁର ଗାଁରେ ଘଟିଛି। ମୃତକ ଭଉଣୀଭାଇ ହେଲେ ୧୧ ବର୍ଷର ଅନୁପମା ସାହାଣୀ ଓ ଭାଇ ରିଷି ସାହାଣୀ (୯)। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ରାଜନଗର ବ୍ଲକ ଅନ୍ତର୍ଗତ କୁରୁଣ୍ଟି ପଞ୍ଚାୟତ ବଳରାମପୁର ଗ୍ରାମରେ ସୁକାନ୍ତ ସାହାଣୀ ବିଦେଶରେ କାମ କରନ୍ତି । ଘରେ ସ୍ତ୍ରୀ ଅନିତା ଓ ଝିଅପୁଅ ରହି ଗାଁ ସ୍କୁଲରେ ପାଠ ପଢୁଥିଲେ । ଆଜି ସ୍ୱାଧିନତା ଦିବସ ଥିବାରୁ ସକାଳୁ ଦୁଇ ଭଉଣୀଭାଇ ସ୍କୁଲକୁ ଯାଇଥିଲେ । ସେଠାରେ ପ୍ୟାରେଡ ସାରି ଘରକୁ ଫେରି ଘରେ ମା’ କୁ ଖାଇବାକୁ ମାଗିଥିଲେ । ମା ଖାଇବା ବନାଇ ବାସନ ଧୋଇବାକୁ ବାହାରକୁ ଯାଇଥିବା ବେଳେ ହଟାତ ଘରେ ନିଆଁ ଲାଗିଯାଇଥିଲା। ନିକଟରେ ଥିବା ମା’ ଘରେ ନିଆଁ ଲାଗି ଯିବା ଦେଖି ଉଭୟଙ୍କୁ ଉଦ୍ଧାର କରିବାକୁ ଘର ଭିତରକୁ ଯିବାକୁ ଚେଷ୍ଟା କରିଥିବା ବେଳେ ପାଖ ପଡୋସି ତାଙ୍କୁ କାବୁ କରିନେଇଥିଲେ । ବିସ୍ଫୋରଣ ପରେ ନିଆଁ ବ୍ୟାପିବାରୁ ଉଭୟଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା ବୋଲି ପଡୋସି କହିଛନ୍ତି । ଖବର ପାଇ ଦମକଳ ବାହିନୀ ପହଞ୍ଚିଥିଲେ ମଧ୍ୟ ଭଉଣୀ ଭାଇଙ୍କୁ ଉଦ୍ଧାର କରିବା ବେଳକୁ ଦୁଇ ଜଣ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲେ। ସ୍ଥାନୀୟ ବିଧାୟକ ଧ୍ରୁବ ସହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମବେଦନା ଜଣାଇବା ସହ କିପରି ସରକାରୀ ସହାୟତା ଯୋଗାଇ ଦିଆଯିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପରେ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଏସ୍ପି ସିଦ୍ଧାର୍ଥ କାଟରିଆ ପହଞ୍ଚି ଆର୍ôଥକ ସହାୟତା ଯୋଗାଇ ଦେଇଛନ୍ତି।











