କେନ୍ଦ୍ରାପଡା କଲେଜକୁ ସରକାରୀ ମାନ୍ୟତା ଦାବି



କେନ୍ଦ୍ରାପଡା,୧୭ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ହେଉଛି ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ। ଏହା ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟରୁ ଅଧ୍ୟୟନ କରି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଅର୍ଜ୍ଜନ କରିଛନ୍ତି। ଏହି ମହାବିଦ୍ୟାଳୟରେ ଏବେ ୨୫ଶହରୁ ଅଧିକ +୨ ଛାତ୍ରଛାତ୍ରୀ ଓ ୩୫ଶହରୁ ଅଧିକ +୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେହିପରି ୧୫ଟି ବିଷୟରେ ପିଜି ପାଠ୍ୟକ୍ରମ ରହିଛି। ଏଥିରେ ୩୫୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁିଛନ୍ତି। ଏହାସହ ବିବିଏ, ବିସିଏ, ବି.ଲାଇବ୍ରେରୀ ଭଳି ସ୍ୱତନ୍ତ୍ର ପାଠ୍ୟକ୍ରମ ରହିଛି। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ପାଇଁ ବହୁ ସୁନାମ ଧନ୍ୟ ଅଧ୍ୟାପକ, ଅଧ୍ୟାପିକା ଅଛନ୍ତି। ମହାବିଦ୍ୟାଳୟ ପରିସରରେ ଲାବୋରୋଟୋରୀ, ଜିମନାସିଅମ, ପ୍ରେକ୍ଷାଳୟ, ଛାତ୍ରାବାସ ଓ ଛାତ୍ରୀନିବାସ, ଇନଡୋର ଷ୍ଟାଡିୟମ, ପ୍ରଶାସନିକ ଭବନ ରହିଛି। ଏହିସବୁ ସୁବିଧା ପାଇଁ ଏହି କଲେଜକୁ ନାକ୍ ମାନ୍ୟତା ମିଳିଛି। ଏହା ବିଶ୍ୱ ବିଦ୍ୟାଳୟରେ ରୁପାନ୍ତରିତ ହେବା ପାଇଁ ମଧ୍ୟ ଯୋଗ୍ୟ ଅଟେ। କିନ୍ତୁ ବିଶ୍ୱ ବିଦ୍ୟାଳୟରେ ପରିଣତ ହେବାକୁ ହେଲେ ମହାବିଦ୍ୟାଳୟଟି ପ୍ରଥମେ ସରକାରୀ ମାନ୍ୟତା ପ୍ରାପ୍ତ ହେବା ଆବଶ୍ୟକ। ଜିଲ୍ଲାରେ ଗୋଟିଏ ହେଲେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ନାହିଁ। ତେଣୁ ଏହି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କଲେ ବିଭିନ୍ନ ଉତ୍ସରୁ ଅଧିକରୁ ଅଧିକ ଅନୁଦାନ ଆସିପାରିବ। ଫଳରେ ଛାତ୍ରଛାତ୍ରୀମାନେ ଉଚ୍ଚମାନର ଓ ଗୁଣାତ୍ମକ ଶିକ୍ଷା ପାଇପାରିବେ । ସେହିପରି ଏହା ସରକାରୀ କଲେଜରେ ପରିଣତ ହେଲେ ଗରିବ ଛାତ୍ରଛାତ୍ରୀମାନେ ନାମଲେଖା ଓ ପୁନଃ ନାମଲେଖା ସ୍ୱଳ୍ପ ଅର୍ଥରେ କରିପାରିବେ। ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱ ବିଦ୍ୟାଳୟ ଏହା ପରିସରରେ କାର୍ଯ୍ୟ କରୁଛି। ଦୀର୍ଘ ଦିନ ଧରି କେନ୍ଦ୍ରାପଡାର ଜନସାଧାରଣ ଏହାକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ପାଇଁ ୧୯୯୦ମସିହାରୁ ଦାବି କରି ଆସୁଛନ୍ତି। ଏହି ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି। ତେଣୁ ଏହାକୁ ତୁରନ୍ତ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଉ ବୋଲି ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଛାତ୍ରଛାତ୍ରୀମାନେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସତ୍ୟରଞ୍ଜନ ପୃଷ୍ଟି, ତପନ କୁମାର ପାଣି, ଜ୍ୟୋତିଶଙ୍କର ସାହୁ, ସସ୍ମିତା ସାହୁ, ବିଜୟିନୀ ଘଡେଇ, ସାଜେଦା ବେଗମ, କୁମକୁମ କୁମାରୀ, ସୋନାଲିଶା ସାହୁ, ସାଗରିକା ସିଂ, ପ୍ରତିଭା ରାୟ, ମନୋଜ କୁମାର ଲେଙ୍କା, ସ୍ୟାତିପ୍ରକାଶ ଜେନା, ଶୁଭକାନ୍ତ ନାୟକ, ଆଶୁତୋଷ ଶୁଭକାନ୍ତ ମାଝୀ, ସୈାଭାଗ୍ୟରଞ୍ଜନ ସାହୁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Next Post

ଚିକିତ୍ସାରେ ଅର୍ଥ ବାଧକ, ସହାୟତା ଲୋଡ଼ିଲେ କର୍କଟ ଆକ୍ରାନ୍ତ

Sat Aug 17 , 2024
କେନ୍ଦ୍ରାପଡା – ଜୀବନରେ ଦୁଃଖ କେତେବେଳେ ଆସେ କାହାକୁ ବି ଜଣାନଥାଏ । ଆଉ ଚିକିତ୍ସାରେ ଯେବେ ଅର୍ଥ ବାଧକ ସାଜେ ସେତେବେଳେ ଦୁଃଖ ଆହୁରି ବଢିଯାଏ । ଆଜକୁ ପାଖାପାଖି ୨ ବର୍ଷ ହେବ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ପିଡିତା। ଆଗକୁ ଚିକିତ୍ସା ହେବା ପାଇଁ ଆଉ ସାମର୍ଥ୍ୟ ନାହିଁ । ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ […]

You May Like