
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ରବିବାର ବଜ୍ରାଘାତ ହୋଇଛି। ଏଥିରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦୋଷିଆ ପଂଚାୟତ ବାସୁଦେବପୁର ଗାଁର ବିଜୟ ମଳିକ(୪୯) ଅନ୍ୟଜଣେ ଚାଷୀ ହେଲେ ବିଲିକଣା ପଂଚାୟତ ଗରା ଗ୍ରାମର ରାଜକିଶୋର ପ୍ରଧାନ (୬୫) ବୋଲି ଜଣାପଡିଛି ।
ସୂଚନା ଅନୁସାରେ ରବିବାର ପୂର୍ବାହ୍ନରେ ବାସୁଦେବପୁର ଗାଁର ବିଜୟ ବିଲକୁ ଚାଷ କାମ ପାଇଁ ଯାଇଥିଲେ। ବିଲରେ କାମ ଚାଲିଥିବା ବେଳେ ପୁର୍ବାହ୍ନ ୧୧ଟାରେ ବଜ୍ରପାତ ହୋଇଥିଲା। ଫଳରେ ବିଜୟ ବଜ୍ରପାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟରେ ଗରା ଗ୍ରାମରେ ବର୍ଷୀୟ ରାଜକିଶୋର ମୃତ୍ୟୁ ହୋଇଛି। ସେ ବିଲରେ ରୁଆପୋତା କାମକରୁଥିବା ବେଳେ ବଜ୍ରପାତ କାରଣରୁ ଗୁରୁତର ହୋଇପଡିଥିଲେ ।ନିକଟରେ କାମ କରୁଥିବା ଅନ୍ୟ ଚାଷୀ ମାନେ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଅନ୍ୟପକ୍ଷରେ ଉଭୟ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ପଟ୍ଟାମୁଣ୍ଡାଇ ଥାନା ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା(ନଂ.୨୧/୨୪ ଓ ୨୨/୨୪) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।











