ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବରପୁତ୍ରଙ୍କୁ ଅସମ୍ମାନ



କେନ୍ଦ୍ରାପଡ଼ା,୧୯ା୮ : ବିଭିନ୍ନ ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। କିନ୍ତୁ କିଛିଦିନ ପରେ ଏହି ପ୍ରତିମୂର୍ତ୍ତି କେଉଁ ଅବସ୍ଥାରେ ରହୁଛି ତାହାକୁ କେହି ନଜର ଦେଉ ନାହାଁନ୍ତି। ସମସ୍ତେ ନିଜ ନିଜ ସ୍ୱାର୍ଥରେ ବୁଡି ରହୁଛନ୍ତି। ଫଳରେ ବରପୁତ୍ରମାନଙ୍କୁ ଅସମ୍ମାନ କରାଯାଉଥିବା ନେଇ ଅଭିଯୋଗ ହେଉଛି। କେବଳ ଲୋକଦେଖାଣିଆ ଭାବେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ହେଲେ ବାସ୍ତବରେ ଅନୁଷ୍ଠାନର ମୁଖ୍ୟମାନଙ୍କର ଏଥିପ୍ରତି କୌଣସି ଆନ୍ତରିକତା ରହୁନାହିଁ। ଏହା ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ଙ୍କୁ ଭୀଷଣ ଭାବରେ ଆନ୍ଦୋଳିତ କରିଛି। ସେହିଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସ୍ଥାପନ କରାଯାଇଥିବା ବରପୁତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରତିମୂର୍ତ୍ତିଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଏହି ପ୍ରତିମୂର୍ତ୍ତିର କେତେକ ସ୍ଥାନ ଭାଙ୍ଗିରୁଜି ଗଲାଣି। ପ୍ରତିମୂର୍ତ୍ତି ଯେଉଁଠାରେ ସ୍ଥାପନ କରାଯାଇଛି ତାହା ଉପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନଜର ପଡୁନାହିଁ। ଅନୁଷ୍ଠାନ ଓ କାର୍ଯ୍ୟାଳୟର ମରାମତି ପାଇଁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଆସୁଛି। ଅଥଚ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ଅବହଳିତ ଅବସ୍ଥାରେ ପଡି ରହିଲେ ମଧ୍ୟ ତାହାକୁ କିପରି ମରାମତି ଓ ରଙ୍ଗ କରାଯିବ ତାହା ସେମାନେ ଭୁଲି ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶିକ୍ଷାବିତ ଡ. ଚୈତନ୍ୟଚରଣ ପରିଡ଼ା।

ସେ କହିଛନ୍ତି ଏକ ଅନୁଷ୍ଠାନର ମୁଖ୍ୟଙ୍କ ଆର୍ଥିକ କ୍ଷମତା ରହିଛି । ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିକୁ ମରାମତି କରିବା ଓ ଏଥିରେ ରଙ୍ଗ ଦେବା। ଏହାଦ୍ୱାରା ବର୍ତ୍ତମାନର ପିଢିମାନେ ବରପୁତ୍ରମାନଙ୍କର ମୂଲ୍ୟବୋଧକୁ ବୁଝି ପାରିବେ। କିନ୍ତୁ ଅନୁଷ୍ଠାନର ମୁଖ୍ୟମାନେ ଯଦି ଏଥିପ୍ରତି ଧ୍ୟାନ ନଦେବେ ଓ କେବଳ ନିଜ ସ୍ୱାର୍ଥ ପାଇଁ ଲାଗିଯିବେ ତେବେ ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଆଗାମୀ ପିଢି ବୁଝି ପାରିବେ ନାହିଁ। ଏହାଦ୍ୱାରା ସେମାନଙ୍କ ଆଦର୍ଶ ଓ ଚିନ୍ତାଧାରା ମଳିନ ପଡିଯିବ ବୋଲି ସେ କହିଛନ୍ତି।

ଏ ସଂକ୍ରାନ୍ତରେ ଡେରାବିଶ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରାଙ୍କୁ ପଚାରିବାରୁ ସେ କହିଲେ ସେ ଯୋଗଦେବା ପୂର୍ବରୁ ଏହି ଅବସ୍ଥା ସେ ଦେଖିଛନ୍ତି। କିନ୍ତୁ ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୁଦର୍ଶନ ବିଦ୍ୟାଳୟ ପରିସରରେ କାର୍ଯ୍ୟ କରୁଛି। ଏ ନେଇ ସେ ସୁଦର୍ଶନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇଛନ୍ତି। ସରକାର ବିଦ୍ୟାଳୟର ମରାମତି ପାଇଁ ଯେଉଁ ବାର୍ଷିକ ଅନୁଦାନ ଦେଉଛନ୍ତି ସେଥିରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ମରାମତି ଓ ରଙ୍ଗ କରିବା ପାଇଁ ତାଙ୍କୁ କହିଛି। ତଥାପି ଏ ଦିଗରେ ସେ ନିଜେ ଉଦ୍ୟମ କରିବେ ବୋଲି କହିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading