ସିଲିଣ୍ଡର ଫାଟି ଭାଇ ଭଉଣୀଙ୍କ ମୃତ୍ୟୁ ଘଟଣା ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଏନ୍‌ଏଚ୍‌ଆରସିରେ ମାମଲା



କେନ୍ଦ୍ରାପଡ଼ା,୨୨ା୮: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ସଂପୃକ୍ତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜାତୀୟ ମାନବାଧିକାର ଆୟୋଗରେ ଏକ ମାମଲା ରୁଜୁ କରାଯାଇଛି। ଏଥିସହ ପରିବାର ସଦସ୍ୟଙ୍କୁ ମାନସିକ ଯନ୍ତ୍ରଣା ପାଇଁ ଅତିରିକ୍ତ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି। ଏହି ମାମଲା ରୁଜୁ କରିଛନ୍ତି ମାନବାଧିକାରୀ କର୍ମୀ ଜୟନ୍ତ କୁମାର ଦାସ। ଶ୍ରୀ ଦାସ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସିଲିଣ୍ଡରରେ ବ୍ୟବହାର କରାଯାଉଥିବା ଓ-ରିଙ୍ଗରେ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିଲା। ଫଳରେ ଦୁଇଟି ନିରୀହ ଜୀବନ ଚାଲିଗଲା। ଯଦି ସିଲିଣ୍ଡର ହସ୍ତାନ୍ତର ସମୟରେ ଓରିଙ୍ଗ ସଠିକ ଅଛି କି ନାହିଁ ଯାଞ୍ଚ କରାଯାଇଥାନ୍ତା ତାହା ହେଲେ ଏଭଳି ଅଘଟଣ ଘଟି ନଥାନ୍ତା କିମ୍ବା ଦୁଇଟି କୋମଳମତି ଶିଶୁଙ୍କ ଜୀବନ ଦୀପ ଲିଭି ଯାଇ ନଥାନ୍ତା। ତେଣୁ ଓ-ରିଙ୍ଗ କିପରି ରହିଛି ତାହାକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବା ଉଚିତ। ଯଦି ଏହା ତ୍ରୁଟିପୂର୍ଣ୍ଣ ରହିଥାଏ ତାହା ହେଲେ ତାହାକୁ ବଦଳାଇ ଦିଆଯିବା ଉଚିତ। କାରଣ ଏହି ଓରିଙ୍ଗ ହୋସ ପାଇପ ସହ ସଂଯୋଗ ହୋଇଥାଏ। ଯଦି ଓରିଙ୍ଗ ତ୍ରୁଟିପୂର୍ଣ୍ଣ ରହିଥାଏ ତେବେ ସିଲିଣ୍ଡର ବ୍ୟବହାର ସମୟରେ ଗ୍ୟାସ ଲିକ ହୋଇ ଦୁର୍ଘଟଣା ଘଟିବାର ଯଥେଷ୍ଟ ଆଶଙ୍କା ରହିଛି। ସେହିପରି ସିଲିଣ୍ଡର ବ୍ୟବହାର କରାଯିବା ପାଇଁ ପେଟ୍ରୋଲିୟମ ଓ ନାଚୁରାଲ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହେଉନାହିଁ। ଫଳରେ ଲୋକଙ୍କୁ ତ୍ରୁଟିପୂର୍ଣ୍ଣ ସିଲିଣ୍ଡର ପ୍ରଦାନ କରାଯାଉଛି। ଏହାଦ୍ୱାରା ଦୁର୍ଘଟଣା ଘଟି ଲୋକଙ୍କ ଜୀବନଦୀପ ଲିଭି ଯାଉଛି। ରାଜନଗରରେ ଯେଉଁ ଦୁଇ କୋମଳମତି ଶିଶୁଙ୍କ ଜୀବନ ଚାଲିଗଲା ସେହି ପରିବାରର ସଦସ୍ୟଙ୍କୁ ପବ୍ଲିକ ଲାଇବିଲିଟି ଇନ୍‌ସ୍ୟୁରାନ୍ସ ପଲିସି ଯୋଜନାରେ ସ୍ୱତନ୍ତ୍ର କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇପାରିବ। ଏହି ବୀମା ରାଶି ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (ପିଏସ୍‌ୟୁ) ତେଲ କମ୍ପାନୀ ପ୍ରଦାନ କରିଥାଏ। ଯେତେବେଳେ କୌଣସି ଉପଭୋକ୍ତା ଏଲପିଜି ସଂଯୋଗ ନେଇଥାନ୍ତି ସେହି ସମୟରେ ସେ ବୀମାଭୁକ୍ତ ହୋଇଥାନ୍ତି। ତେଣୁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ଯୋଜନା ଲାଗୁ କରାଯାଇ ସଂପୃକ୍ତ ପରିବାରକୁ ୫୦ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଏହିଭଳି କ୍ଷେତ୍ରରେ ସହାୟତା ପ୍ରଦାନ ପାଇଁ ଏଲପିଜି ଡିଷ୍ଟ୍ରିବ୍ୟୁଟରମାନେ ତୃତୀୟ ପକ୍ଷ ବୀମା କରିଥାନ୍ତି। ଏତେସବୁ ନୀତି ନିୟମ ଥାଇ ସୁଧା ସଂପୃକ୍ତ ପରିବାରକୁ ତେଲ କମ୍ପାନୀ କିମ୍ବା ଏଲପିଜି ଡିଷ୍ଟ୍ରିବ୍ୟୁଟରଙ୍କ ପକ୍ଷରୁ କୌଣସି ବୀମା ସହାୟତା ପ୍ରଦାନ କରାଯାଇନାହିଁ। ଫଳରେ ଭାରତୀୟ ସମ୍ବିଧାନର ଧାରା ୧୪,୧୯(୧ )(ଏ), ୨୧ ଅନୁଯାୟୀ ଏବଂ ସାର୍ବଜନୀନ ମାନବାଧିକାର ସୁରକ୍ଷା ଘୋଷଣାର ଧାରା ୩ ଓ ୧୯ ଅନୁଯାୟୀ ବୀମା ରାଶି ପ୍ରଦାନ କରିବାରେ ଅସଫଳ ହୋଇଥିବା ତଥା ଉପଭୋକ୍ତାଙ୍କୁ ସୁରକ୍ଷା ଯୋଗାଇଦେବାରେ ବିଫଳ ହୋଇଥିବାରୁ ଏହା ଗୁରୁତର ମାନବାଧିକାର ଉଲଙ୍ଘନ ବୋଲି ଶ୍ରୀ ଦାସ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ଶ୍ରୀ ଦାସ ଆୟୋଗଙ୍କୁ ନିବେଦନ କରିଛନ୍ତି ଯେ ଆୟୋଗ ତୁରନ୍ତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ମୃତକଙ୍କ ପରିବାରକୁ ତୁରନ୍ତ ୫୦ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରିବା ପାଇଁ। ଏଥିସହ ଏଲପିଜି ବୀତରକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିନଥିବାରୁ ପରିବାର ସଦସ୍ୟମାନେ ଯେଉଁ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ସେଥିପାଇଁ ଅତିରିକ୍ତ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରନ୍ତୁ। ସେହିପରି ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଉପଭୋକ୍ତା, ଏଲପିଜି ଡିଷ୍ଟ୍ରିବ୍ୟୁଟର ଓ ସିଲିଣ୍ଡର ହସ୍ତାନ୍ତର କରୁଥିବା କର୍ମଚାରୀଙ୍କ ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ଆୟୋଗ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଅନ୍ତୁ। ଏଥିସହ ସୁରକ୍ଷିତ ଗ୍ୟାସ ସିଲିଣ୍ଡରର ବ୍ୟବହାର, ନିୟମିତ ଭାବେ ଓରିଙ୍ଗ ଯାଞ୍ଚ ଓ ଏଥିପାଇଁ ରହିଥିବା ବୀମା ଯୋଜନା ଉପରେ ସଚେତନତା ସୃଷ୍ଟି କରନ୍ତୁ। ସୂଚନା ଥାଉକି କି ଗତ ୧୫ ତାରିଖରେ ଏଲପିଜି ସିଲିଣ୍ଡର ଫାଟି ରାଜନଗର ଥାନା ଅଧିନ ବଳରାମପୁର ଗ୍ରାମର ସୁକାନ୍ତ ସାହାଣୀଙ୍କ ୧୧ ବର୍ଷର ଝିଅ ଅନୁପମା ସାହାଣୀ ଓ ୯ ବର୍ଷର ପୁଅ ସତ୍ୟରଞ୍ଜନ ସାହାଣୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।


Discover more from

Subscribe now to keep reading and get access to the full archive.

Continue reading