“ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ , ପରିବେଶ ସୁରକ୍ଷା ଆମ କର୍ତ୍ତବ୍ୟ – ଜିଲ୍ଲାପାଳ



କେନ୍ଦ୍ରାପଡ଼ା, ୨୩ା୮: ପରିବେଶର ସୁରକ୍ଷା ଓ ମାଟି ମା’ ପାଇଁ ବୃକ୍ଷର ଆବଶ୍ୟକତା ରହିଛି ଓ ରହିବ ବୋଲି ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ କାର୍ଯ୍ୟାଳୟ ପରିସରରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମତବ୍ୟକ୍ତ କରିଛନ୍ତି ଓ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱ ପରିବେଶ ଦିବସ ଅବସରରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି ଓ ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରତ୍ୟେକ ଲୋକ ନିଜ ମାଟି ମା’ ପାଇଁ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ସମାଜ ପାଇଁ ପ୍ରେରଣାଦାୟୀ ଦାୟିତ୍ୱ ସମ୍ପନ୍ନ କରିବା ଆବଶ୍ୟକ। ଫଳରେ ଆମ ମାଟି ଆମ ପରିବେଶ ପ୍ରଦୂଷଣମୁକ୍ତ ହେବା ସହ ଜୀବନ ଧାରଣର ମାର୍ଗ ପ୍ରଶସ୍ତ ଓ ସୁଦୂରପ୍ରସାରୀ ହୋଇପାରିବ। ପରିବେଶର ସୁରକ୍ଷା ଓ ସନ୍ତୁଳନ ପାଇଁ ବୃକ୍ଷର ଆବଶ୍ୟକତା ରହିଛି ବୋଲି ଆମେ ସମସ୍ତେ ବୁଝିଲେଣି। ଏହାକୁ ଅଧିକ କ୍ରିୟାଶୀଳ କରିବା ହେଉଛି “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ କାର୍ଯ୍ୟାଳୟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଓ ଆଜିର ଆହ୍ୱାନ ହେଉଛି :- ଆସ ଆମେ ସମସ୍ତେ ନିଜ ପାଇଁ ନିଜ ମାଟି ମା’ ପାଇଁ ଗଛଟିଏ ଲଗାଇବା। ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ଜିଲ୍ଲା ପରିଷଦର ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ନୀଲୁ ମହାପାତ୍ର, ଉପ-ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଘନଶ୍ୟାମ ସା, ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା ପରିଷଦର ପ୍ରକଳ୍ପ ପରିଚାଳକ (ଦକ୍ଷତା ବିକାଶ) ଅବଦୁଲ୍ ରହେମାନ୍‌, ଛତା ପଲିଟେକ୍ନିକର ଛାତ୍ର-ଛାତ୍ରୀ, କେନ୍ଦ୍ରାପଡା ଦକ୍ଷତା ବିକାଶ କାର୍ଯ୍ୟାଳୟରେ ତାଲିମ୍ ନେଉଥିବା ଶିକ୍ଷାନବୀଶ ଏବଂ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ଗଣେଶ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୨୩ା୮ : ଆସନ୍ତା ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ ଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିବା ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଭ୍ୟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ଧୂମ୍ ଧାମ୍‌ରେ ପାଳନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ମୂର୍ତ୍ତିଗୁଡିକୁ ନିର୍ଦ୍ଧିଷ୍ଟ ଉଚ୍ଚର କରିବା ସହ ଗଠନ ସମୟରେ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ବ୍ୟବହାର ନ କରିବା, ୬୫ ଡେସିବଲ୍‌ରୁ କମ୍ ସାଉଣ୍ଡ୍ ସିଷ୍ଟମ୍ ବ୍ୟବହାର କରିବା, ମେଲୋଡି ସମୟରେ ଅଶ୍ଳୀଳ ନାଚ ଗୀତର ବ୍ୟବସ୍ଥା ନ କରିବା, ରାତି ୧୦ଟା ପରେ ଗୀତ ବନ୍ଦ କରିବା, ପୂଜା ପେଣ୍ଡାଲ୍‌କୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆଦି ବିଷୟରେ ସମସ୍ତ ପୂଜା କମିଟିର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ଅଶ୍ଳୀଳ ନାଚ ଓ ଗୀତ ପୂଜା ସମୟରେ ଆମ ସଂସ୍କୃତିର ପରିପନ୍ଥୀ। ତେଣୁ ଆମେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାର ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆସନ୍ତା ୭ ତାରିଖରେ ଗଣେଶ ପୂଜା ହେବ। ୧୧ ତାରିଖରେ ବିସର୍ଜନ ଓ ୧୨ ତାରିଖରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ତେଣୁ ୭, ୧୧ ଓ ୧୨ ତାରିଖରେ କେନ୍ଦ୍ରାପଡା ସହରରେ ମଦ ଦୋକାନ ଖୋଲା ରହିବ ନାହିଁ। ପୂଜା କମିଟିର ସଦସ୍ୟମାନେ ଭସାଣୀ ସମୟରେ ଡି.ଜେ. ବଜାଇବେ ନାହିଁ ଓ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ୬୫ ଡେସିବଲ୍‌ରୁ ଉଚ୍ଚ ଶବ୍ଦ ବ୍ୟବହାର କରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନକୁ ପ୍ରତିଶ୍ରୁତି ଦେଇଥିଲେ। ରାସ୍ତାଘାଟ ମରାମତି, ପରିଷ୍କାର ଓ ପରିଚ୍ଛନ୍ନ ଏବଂ ରାସ୍ତାରୁ ହୋର୍ଡ଼ିଂ ହଟାଇବାକୁ ପୂଜା କମିଟି କର୍ମକର୍ତ୍ତାମାନେ ପ୍ରଶାସନକୁ ଅନୁରୋଧ କରିଥିଲେ। ଗଣେଶ ପୂଜାରେ ମୋଟ ୨୯ଟି ମେଢ଼ରୁ ୨୭ ଗୋଟି ମେଢ଼ ଭସାଣୀରେ ଭାଗ ନେବେ ବୋଲି ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଟ୍ରାଫିକ୍ ନିୟନ୍ତ୍ରଣ, ଚୋରି ଓ ଶାନ୍ତି ଶୃଙ୍ଖଳା ପ୍ରତି ଧ୍ୟାନ ଦିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ମତ ରଖିବା ସହ ପୂଜା କମିଟିର ସଦସ୍ୟ ମାନେ କୌଣସି ଅପ୍ରୀତିକର ପରିସ୍ଥିତିରେ ଆଇନ୍‌କୁ ହାତକୁ ନ ନେଇ ପୋଲିସର ସହାୟତା ନେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, କେନ୍ଦ୍ରାପଡା ଏସ୍‌.ଡି.ପି.ଓ. ଦେବେନ୍ଦ୍ର ମଲିକ, (ଡି.ଆଇ.ବି.) ଡି.ଏସ୍‌.ପି. ଲକ୍ଷ୍ମୀନାରାୟଣ ତିୱାରୀ, କେନ୍ଦ୍ରାପଡା ତହସିଲଦାର ତାପସ ଦେହୁରୀ, କେନ୍ଦ୍ରାପଡା ବି.ଡି.ଓ.ବନ୍ଦନା ଖଟୁଆ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, କେନ୍ଦ୍ରାପଡ଼ା ପୌରପରିଷଦର ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବିଭିନ୍ନ ପୂଜା କମିଟିର ସଭାପତି/ସମ୍ପାଦକ/ସଦସ୍ୟ ମାନେ ଯୋଗ ଦେଇଥିଲେ। ଶେଷରେ ଉପ-ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ପୂଜା କମିଟିର ସହଯୋଗ କାମନାକରି ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading