
କେନ୍ଦ୍ରାପଡ଼ା ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ପରିଦର୍ଶନ କରି ବ୍ଲକ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ସମସ୍ତ ଯୋଜନା ଠିକଣା ଭାବେ କାର୍ଯକାରୀ କରି ନିର୍ଧାରିତ ସମୟରେ ଶେଷ କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳ ପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ଥିତି ସମୀକ୍ଷା କରି କେତେ ହିତାଧିକାରୀ ଗୃହ ସଂପୂର୍ଣ୍ଣ କରିଛନ୍ତି । କେତେ ବାକି ରହିଛି ପଚାରି ବୁଝିବା ସହିତ ଗୃହ ନିର୍ମାଣ ସଂପୂର୍ଣ୍ଣ କରୁନଥିବା ହିତାଧିକାରୀଙ୍କୁ ତାଗିଦ କରିବା ସହିତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କିପରି ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇ ଗ୍ରାମାଂଚଳ ଲୋକମାନଙ୍କୁ କର୍ମସଂସ୍ଥାନ ଓ ରୋଜଗାର ଯୋଗାଇ ଦିଆଯାଇପାରିବ ସେ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ପରିବେଶ ସୁରକ୍ଷା ଏକ ଆହ୍ୱାନ ଭାବେ ଦେଖା ଦେଇଥିବାରୁ ବ୍ୟାପକ ବୃକ୍ଷରୋପଣ ଓ ବଜ୍ରପାତ ଜନିତ ମୃତ୍ୟୁ ହାର ରୋକିବା ପାଇଁ ତାଳ ଗଛ ଲଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଗ୍ରାମ୍ୟ ପୋଖରୀ ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଓ ବାଡ଼ିରେ ପୁଷ୍ଟିଯୁକ୍ତ ଉଦ୍ୟାନ କରି ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସ୍ୱଚ୍ଛ ଭାରତ ମିଶନକୁ ସଫଳ ଭାବେ କାର୍ଯ୍ୟକାରୀ କରି ପଟ୍ଟାମୁଣ୍ଡାଇ ବ୍ଲକକୁ ବାହ୍ୟ ମଳମୁକ୍ତ ବ୍ଲକ ଘୋଷଣା କରିବା ଦିଗରେ ତତ୍ପରତାର ସହ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନିର୍ଧାରିତ ସମୟରେ ଅଫିସ ଯିବା ଓ ଛାଡିବା ଠିକଣା ଭାବେ ନିର୍ବାହ ନକଲେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକରେ ବିଭିନ୍ନ ଯୋଜନା ସଫଳତାର ସହ କାର୍ଯ୍ୟକରି ବିକାଶ ଧାରାକୁ ଆଗେଇ ନେବା ପାଇଁ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ନିଲୁ ମହାପାତ୍ର, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ, ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଅବଦୁଲ ରହେମାନ ଇତିଶ୍ରୀ ରାଉତ, ପୁଷ୍ପାଞ୍ଜଳୀ ରାଉଳ, ପଟ୍ଟାମୁଣ୍ଡାଇ ବ୍ଲକ ଏବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ ସହକାରୀ ଯନ୍ତ୍ରୀ ଇଂ ଜଳଧର ବେହେରା ଓ କତୃଶେଷ ବ୍ରହ୍ମା, କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ରାଉତ, ବିନୟ ମିଶ୍ର, ସଂଘମିତ୍ରା ଦାସ, ସିଂଗ୍ଧା ସାହୁ, ଜ୍ୟୋତିର୍ମୟୀ ସାହୁ, ଜି ପି ଟି ଓ ପିତାମ୍ବର ଜେନା,କମ୍ପୁଟର ପ୍ରୋଗ୍ରାମମର ପ୍ରିୟ ରଞ୍ଜନ ସ୍ୱାଇଁ, ପ୍ରଭାତ ମଲ୍ଲିକ ପ୍ରମୁଖ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ପଂଚାୟତ ନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ ।











