ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲ୍ଲା ପ୍ରଶାସନ ସତର୍କ



କେନ୍ଦ୍ରାପଡ଼ା, ୩୧ା୮: ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲ୍ଲା ପ୍ରଶାସନର ସତର୍କତା ବୈଠକ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇ ଯାଇଛି। ସୂଚନା ଯୋଗ୍ୟଯେ ବାର୍ଡ ଫ୍ଲୁ ଏକ ମାରାତ୍ମକ ଆଭିଆନ୍ ଇନଫ୍ଲୁଏଞ୍ଜା ଟାଇପ୍ ଏ (ଏଚ୍‌-୫ ଏନ୧) ଭୁତାଣୁ ଜନିତ ରୋଗ। କୁକୁଡା, ବତକ, ଟର୍କି, ଗିନି ଫାଉଲ ଓ ପାଣି କୁଆ ଆଦି ପକ୍ଷୀମାନେ ସାଧାରଣତଃ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ବିଦେଶାଗତ ପକ୍ଷୀମାନଙ୍କ ଠାରୁ କୁଆ, ବଗ ପ୍ରଭୃତି ବନ୍ୟ ପକ୍ଷୀମାନଙ୍କ ମାଧ୍ୟମରେ ଗୃହପାଳିତ ପକ୍ଷୀମାନଙ୍କୁ ଏହି ଭୁତାଣୁ ସଂକ୍ରମଣ ହୋଇଥାଏ। କୁକୁଡ଼ାମାନଙ୍କ ଦ୍ୱାରା ମନୁଷ୍ୟ ସଂକ୍ରମିତ ହୋଇଥାନ୍ତି। ଏହି ରୋଗ ପ୍ରତ୍ୟେକ୍ଷ ଭାବେ ଆକ୍ରାନ୍ତ ବା ମୃତ ପକ୍ଷୀର ସଂସ୍ପର୍ଶରେ ଆସିଲେ କିମ୍ବା ପରୋକ୍ଷ ଭାବେ ସେମାନଙ୍କ ଠାରୁ ନିର୍ଗତ ଲାଳ, ମଳ ଓ ମୂତ୍ର ଦ୍ୱାରା ଜଳ, ମାଟି କିମ୍ବା ଖାଦ୍ୟ ମାଧ୍ୟମରେ ବ୍ୟାପିଥାଏ। ରୋଗ ଆରମ୍ଭ ହେବାର ୪୮ଘଣ୍ଟା ମଧ୍ୟରେ ଶତକଡା ୭୦-୮୦ ଭାଗ ପକ୍ଷୀ ମୃତ୍ୟୁବରଣ କରିଥାନ୍ତି। ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ଭାବେ ରାଜ୍ୟ ବାହାରୁ ଆସୁଥିବା କୁକୁଡା ଓ ଅଣ୍ଡା ଉପରେ କଟକଣା ଜାରି କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ଯଥା ଚାନ୍ଦୋଳ, ରାଜକନିକା ବ୍ରିଜ ଓ ଇନ୍ଦୁପୁର ବ୍ରିଜ ନିକଟରେ ଚେକିଂ ପୋଷ୍ଟ କରିବାକୁ ସ୍ଥିର କରାଯାଇଛି। ଜିଲ୍ଲାରେ ଯଦି କୌଣସି ସ୍ଥାନରେ ବାର୍ଡ ଫ୍ଲୁ ହେବାର ରକ୍ତ ନମୁନା ପରୀକ୍ଷାରୁ ଜଣାପଡେ ତେବେ ଏହାକୁ ରୋକିବା ପାଇଁ ଟିମ ଗଠନ କରାଯାଇଛି। ଏହି ରୋଗ ସମ୍ପର୍କରେ କୁକୁଡ଼ା ଚାଷୀ ଏବଂ ବ୍ୟବସାୟୀ ମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଯେପରି ଏହି ରୋଗ ଦ୍ୱାରା ମନୁଷ୍ୟ ସଂକ୍ରମିତ ନ ହୁଅନ୍ତି ସେଥି ପ୍ରତି ସତର୍କ ରହିବା ଆବଶ୍ୟକ ବୋଲି ଜିଲ୍ଲାପାଳ ମତ ଦେଇଥିଲେ। ଏହି ରୋଗର ନିରାକରଣ ପାଇଁ ବିଦେଶୀ ଆଗନ୍ତୁକ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା ଅନୁଚିତ୍‌। କୁକୁଡ଼ାଙ୍କୁ ସୁଷମ ତଟକା ଖାଦ୍ୟ ପ୍ରଦାନ, ପରିଷ୍କାର ପରିଚ୍ଛନ୍ନ ଘର ତଥା ପାନୀୟ ଜଳ ଯୋଗାଣ ଓ ସମସ୍ତ ପ୍ରତିଷେଧକ ଟିକା ଆଦି ପ୍ରଦାନ କରିବା ଉଚିତ୍‌। ବାହ୍ୟ ପ୍ରାଣୀ, ଯାନବାହାନ ଓ ମନୁଷ୍ୟକୁ କୁକୁଡା ଭାଡି ବା ଫର୍ମ ମଧ୍ୟକୁ ଅବାଧ ପ୍ରବେଶ କରାଇବା ଅନୁଚିତ୍‌। ମୃତ ପକ୍ଷୀଙ୍କୁ ଏଣେତେଣେ ନ ଫୋପାଡି ଗଭୀର ଗାତ କରି ପୋତିଦେବା ଉଚିତ୍ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, କେନ୍ଦ୍ରାପଡା ଏସ.ଡି.ପି.ଓ ଦେବେନ୍ଦ୍ର ମଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ବିଭିନ୍ନ ସିଏଚସି, ପିଏଚସିର ମେଡ଼ିକାଲ ଅଫିସର, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌରପରିଷଦର ନିର୍ବାହୀ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Next Post

ପଟ୍ଟାମୁଣ୍ଡାଇ ଯୁବଛାତ୍ରବିଜେଡି ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା

Sun Sep 1 , 2024
ପଟ୍ଟାମୁଣ୍ଡାଇ ୧/୯-ପଟ୍ଟାମୁଣ୍ଡାଇ ନଗର ବିଜୁ ଯୁବଛାତ୍ରଜନତାଦଳ ପକ୍ଷରୁ ସ୍ଥାନୀୟ ଡିଭାଇନ ପ୍ୟାଲେସ ଠାରେ ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ପୌରହିତ୍ୟରେ ଆୟୋଜିତ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଗଠିତ ବିଜୁ ଜନତା ଦଳ, ବିଜୁ ଯୁବଜନତା ଦଳ, […]

KANIKA