ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪



କେନ୍ଦ୍ରାପଡ଼ା,୫ା୯: କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମହାକାଳପଡ଼ା ବିଧାୟକ ଦୂର୍ଗା ପ୍ରସନ୍ନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡ଼ା ଲୋକସଭା ସାଂସଦଙ୍କ ପ୍ରତିନିଧି କିଶୋର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, କେନ୍ଦ୍ରାପଡ଼ା ନଗରପାଳ ସରିତା ସାହୁ, ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାମଲ, ରାଜନଗର ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋଚିତ୍ର ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଗୁରୁଙ୍କ ସହ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଦେବାର ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ବିଷୟରେ ମତବ୍ୟକ୍ତ କରିବା ସହ ସମସ୍ତଙ୍କୁ ପବିତ୍ର ଗୁରୁଦିବସର ଶୁଭେଚ୍ଛା ଜଣାଇଥିଲେ। ଭାରତ ବର୍ଷରେ ଗୁରୁ ଶିଷ୍ୟ ପରମ୍ପରାର ଅନେକ ଉଦାହରଣ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଓ ପିଲାମାନଙ୍କୁ ଚରିତ୍ରବାନ ହେବା ସହ ଭଲ ମଣିଷ ଟିଏ ହେବାକୁ ଉପଦେଶ ଦେଇଥିଲେ। ଭଲ ମଣିଷ ଓ ସୁସ୍ଥ ରାଷ୍ଟ୍ର ଗଠନରେ ଶିକ୍ଷାର ଗୁରୁତ୍ୱ ରହିଛି। ଆଦିମ କାଳରୁ ଭାରତର ସଂସ୍କୃତି, ପରମ୍ପରା ଓ ଶିକ୍ଷା ପ୍ରତି ସାରା ବିଶ୍ୱ ଆକୃଷ୍ଟ ହୋଇଛି। ଅନ୍ଧାରରୁ ଆଲୋକ ଆଡକୁ ନେଇ ଯାଉଥିବା ବିନ୍ଧାଣୀ ହେଉଛନ୍ତି ଗୁରୁ। ପବିତ୍ର ଗୁରୁଦିବସରେ ଗୁରୁମାନଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିବା ସହ ବିକଶିତ ଓଡ଼ିଶା ବିକଶିତ ଭାରତ ପାଇଁ ଛାତ୍ରଛାତ୍ରୀମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପବିତ୍ର ଗୁରୁଦିବସ ଅବସରରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପୁରସ୍କୃତ ମେଧାବୀ ବିଦ୍ୟାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲାସ୍ତରୀୟ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାର ଦଶ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନୀତ କରାଯିବା ସହ ୯ ଟି ବ୍ଲକ ଓ ୨ଟି ପୌରପରିଷଦର ମୋଟ ୧୦୫୪ଜଣ ବିଦ୍ୟାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସ୍ୱରୂପ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଜିଲ୍ଲାପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା ମଂଚ ପରିଚାଳନା କରିଥିବା ବେଳେ ଶେଷରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବରେ ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ବ୍ଲକ ଶିକ୍ଷାଧିକାରୀ, ସିଆରସିସି, ବ୍ଲକ ୱାରୀ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗାଇଡ ଶିକ୍ଷକ, ଅଭିଭାବକ, ଏନସିସି ଓ ସ୍କାଉଟ ଗାଇଡ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ପାରାମେଡିକାଲ ଷ୍ଟାଫ, ଅଗ୍ନିଶମ ବିଭାଗର କର୍ମଚାରୀ, ଜନସାଧାରଣ ଏବଂ ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ଭାବଗ୍ରାହୀ କଳାନିକେତନର କଳାକାରମାନେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରିଥିଲେ। ଏହି ସମାରୋହକୁ ସଫଳ କରିବା ପାଇଁ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକଙ୍କ ସମେତ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading