
କେନ୍ଦ୍ରାପଡ଼ା, ୯/୯: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଓ ଗୁଲନଗର ପଞ୍ଚାୟତର ଅଧିବାସୀମାନେ ହନୁମାନ ମନ୍ଦିରଠାରୁ ଗରାପୁର ଭିଆଇପି ରୋଡ଼ କାଳୀମନ୍ଦିର ଛକକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଜମୁଛି ଦୀର୍ଘଦିନର ପଚା ବର୍ଷାପାଣି । ଉକ୍ତ ରାସ୍ତାଦେଇ କପାଳେଶ୍ୱର ଏବଂ ଗୁଲନଗର ଦୁଇଟି ଗ୍ରାମ ପଞ୍ଚାୟତ ଲୋକେ ମା’ ଦକ୍ଷିଣକାଳୀ ମନ୍ଦିରକୁ ଦର୍ଶନ କରିବା ନିମନ୍ତେ ଯିବା ସହ କେନ୍ଦ୍ରାପଡ଼ା ସହରକୁ ଗମନାଗମନ କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକି ଯେ ପଚା ବର୍ଷାଜଳ ଜମିବାରୁ ଲୋକେ ରାସ୍ତା ପାରି ହେବା ପାଇଁ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି ଏବଂ ଏହି ପଚା ପାଣିରେ ପଶି ମନ୍ଦିର ମଧ୍ୟ ଯିବାକୁ ପଡୁଛି । ଯାହାଦ୍ୱାରା ଶରୀରରେ କାଛୁ କୁଣ୍ଡିଆ ହେବାର ବହୁ ଆଶଙ୍କା ମଧ୍ୟ ରହିଛି । କାଳୀଛକ ବଜାର କମିଟିର କିଛି ଅଧିବାସୀମାନେ ଅଭିଯୋଗ କରିଛନ୍ତି । ଖାଲି ଏତିକି ନୁହେଁ କପାଳେଶ୍ୱର ପଞ୍ଚାୟତ ଓ ଗୁଲନଗର ପଞ୍ଚାୟତର ବିଭିନ୍ନ ୱାର୍ଡ ବୁଲି ଯଦି ଦେଖିବେ ରାସ୍ତା ରାସ୍ତାରେ ବର୍ଷାପାଣି ଜମି ରହିଛି । ମଶା ମାଛିର ଭୟ ବଢିବା ସାଙ୍ଗକୁ ଜର ଝାଡାର ମଧ୍ୟ ଆଶଙ୍କା ରହିଛି । ଲୋକେ ଚଲାବୁଲା କରିବାକୁ ମଧ୍ୟ ବହୁ ସମସ୍ୟା ସୃଷ୍ଟି ହେଉଛି । ଗ୍ରାମବାସୀଙ୍କ କହିବା କଥା ରାସ୍ତା ଉପରେ ଜମି ରହିଥିବା ଅପରିଷ୍କାର ପାଣି ନିଷ୍କାସନର ବ୍ୟବସ୍ଥା ନାହିଁ । ଏହାର ପ୍ରତିକାର କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଉଭୟ ପଞ୍ଚାୟତବାସୀ ଦାବି କରିଛନ୍ତି ।











