ହୀନ ରାଜନୈତିକ ଉଦ୍ଦେଶ୍ୟରେ ବରୁଣା ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ଅଭିଯୋଗ



କେନ୍ଦ୍ରାପଡ଼ା, ୧୧ା୯: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ବରୁଣା ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସମିତିର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ଏହି ସମିତି ସହ କୌଣସି ସଂପୃକ୍ତି ନଥାଇ ତଥା ସମିତିର ସଦସ୍ୟ ନଥିବା ପେଗରପଡା ପଞ୍ଚାୟତ ସମିତି ସଭ୍ୟ ନିଜର ରାଜନୈତିକ ପତିଆରା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ସମବାୟ ସମିତିର କେତେକ ଋଣ ଖିଲାପକାରୀ ଚାଷୀଙ୍କୁ ବିଭିନ୍ନ ମିଥ୍ୟା ପ୍ରଲୋଭନ ଦେଖାଇ ସମଗ୍ର ଅଞ୍ଚଳରେ ଏକ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଫଳରେ ଋଣ ପାଇବାକୁ ଯୋଗ୍ୟ ଚାଷୀମାନେ ମଧ୍ୟ ଚାଷ ସମୟରେ କୃଷି ଋଣ ନପାଇ ସମସ୍ୟାରେ ପଡିଛନ୍ତି । ଏତଦ୍‌ବ୍ୟତୀତ ଆଜି ସ୍ଥାନୀୟ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଆମରଣ ଅନଶନ ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଇ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ଭାବେ ହୀନ ଚକ୍ରାନ୍ତ କରିବାକୁ ବୃଥା ପ୍ରଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଏକ ଅଶାନ୍ତ ବାତାବରଣ ଓ ଅସ୍ଥିରତା ସୃଷ୍ଟି କରିବାକୁ ସେ ପ୍ରଚେଷ୍ଟା କରୁଛନ୍ତି । ଫଳରେ ଏହି ଅଶାନ୍ତ ପରିବେଶ ଆଗକୁ ଏକ ବିରାଟ ଗଣ ଆନ୍ଦୋଳନ ପାଇଁ ପଥ କରିଷ୍କାର କରୁଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସମିତିର ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଏହି ସମିତି ଅଧିନସ୍ଥ ଓଳାଭର, ବଳରାମପୁର, ପାରିନୂଆପଡା ଓ ବରୁଣା ଗ୍ରାମପଞ୍ଚାୟତର ଅଧିବାସୀ ତଥା ସମିତିର ସଦସ୍ୟମାନଙ୍କର ଏହାଦ୍ୱାରା ସମ୍ମାନହାନୀ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏହା ମଧ୍ୟରେ କେନ୍ଦ୍ର ସମବାୟ ବ୍ୟାଙ୍କ, ଜିଲ୍ଲା ଅଧିକାରୀ ଓ ଜଣେ ବରିଷ୍ଠ ବ୍ୟାଙ୍କ ପରିଚାଳକ ବ୍ୟାଙ୍କରେ ଅନୁସନ୍ଧାନ କରିବା ସହ ଅଭିଯୋକାରୀଙ୍କ ଉପସ୍ଥିତିରେ ତଦନ୍ତ କରିଥିବା ବେଳେ ଏ ପ୍ରକାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ପେଗରପଡା ପଞ୍ଚାୟତ ସମିତି ସଭ୍ୟ ବିନା କାରଣରେ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବାରୁ ଏହି ଅଞ୍ଚଳର ସାମୁହିକ ସ୍ୱାର୍ଥ ରକ୍ଷା ନିମନ୍ତେ ତାଙ୍କ ବିରୋଧରେ ତୁରନ୍ତ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ବରୁଣା ପ୍ରାଥମିକ କୃଷି ସମବାୟ ସମିତିର ସଦସ୍ୟ ନଳିନୀକାନ୍ତ ପୃଷ୍ଟି, ଡମ୍ବରୁଧର ଦାସ, ଅମର କୁମାର ବେହେରା, ପ୍ରକାଶ କୁମାର ବେହେରା, ଅସିତ ରାଉତ, ଆଲୋକ ପରିଡା, ହେମନ୍ତ ରାଉତ, ବିଜୟ କୁମାର ସାହୁ, ବିବେକାନନ୍ଦ ବେହେରା, ରବିନ୍ଦ୍ର ବେହେରା, ଗୈାରହରି ବେହୁରିଆ, ନିର୍ମଳ କୁମାର ନାୟକ ପ୍ରମୁଖ ଶତାଧିକ ସମବାର ସମିତି ସଦସ୍ୟମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଏହି ଅଭିଯୋଗର ନକଲ ଆରକ୍ଷୀ ଅଧିକ୍ଷକ, ସମବାୟ ସମିତି ସମୁହର ସହକାରୀ ନିବନ୍ଧକ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କଟକସ୍ଥିତ ମୁଖ୍ୟ ଶାଖାର ମୁଖ୍ୟ ନିର୍ବାହୀ ଅଧିକାରୀ, ତହସିଲଦାର ରାଜକନିକା, ଥାନାଧିକାରୀ, ରାଜକନିକା ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜକନିକା ଶାଖା ପରିଚାଳକଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି।


Discover more from

Subscribe now to keep reading and get access to the full archive.

Continue reading