
କେନ୍ଦ୍ରାପଡ଼ା, ୧୩ା୯: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବେଲପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ତିଳୋତ୍ତମା ବରାଳଙ୍କୁ ବହିଷ୍କାର କରିବା ପାଇଁ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟାମାନେ ଉପଜିଲ୍ଲାପାଳଙ୍କ ନିକଟରେ ଉପସ୍ଥିତ ହୋଇ ପ୍ରସ୍ତାବ ଆଗତ କରିଛନ୍ତି। ୱାର୍ଡ ସଭ୍ୟ/ସଭ୍ୟାମାନେ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସରପଞ୍ଚ ଶ୍ରୀମତୀ ବରାଳଙ୍କ ବେଆଇନ କାରବାର, ଦୁର୍ନୀତି, ପଞ୍ଚାୟତରେ ଅନୁପସ୍ଥିତ ରହିବା ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଥିବାରୁ ତାଙ୍କ ବିରୋଧରେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ଧାରା ୨୪ ଓ ଉପଧାରା ୧ ଏବଂ ୨ ଅନୁସାରେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ଏ ସମ୍ପର୍କରେ ଗତ ୧୧ ତାରିଖରେ ନାଏବ ସରପଞ୍ଚ ନଳିନୀକାନ୍ତ କୁଣ୍ଡଙ୍କ ସଭାପତିତ୍ୱରେ ବେଲପାଳ ଗ୍ରାମଦେବୀ ସିଦ୍ଧବାସୁଳାଇଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଜରୁରୀକାଳୀନ ବୈଠକ ବସିଥିଲା। ସେହି ବୈଠକରେ ସର୍ବସମ୍ମତିକ୍ରମେ ସରପଞ୍ଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଉପଜିଲ୍ଲାପାଳଙ୍କ ନିକଟରେ ଆଗତ କରିବା ପାଇଁ ଗୃହୀତ ହୋଇଥିଲା। ସେହି ଅନୁଯାଇ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟାମାନଙ୍କର ବିଶ୍ୱାସ ହରାଇଥିବା ସରପଞ୍ଚ ଶ୍ରୀମତୀ ବରାଳଙ୍କ ବିରୋଧରେ ଗ୍ରାମପଞ୍ଚାୟତ ଆଇନ ଅନୁଯାଇ ବହିଷ୍କାର କରାଯିବାକୁ ଆଗତ ଅନାସ୍ଥା ପ୍ରସ୍ତାବର ତାରିଖ ଧାର୍ଯ୍ୟ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ୱାର୍ଡ ସଭ୍ୟ/ସଭ୍ୟାମାନେ ଶୁକ୍ରବାର ଭେଟି ଅଭିଯୋଗ କରିଛନ୍ତି । ଏହି ପ୍ରସ୍ତାବରେ ସ୍ୱାକ୍ଷର କରିଥିବା ନାଏବ ସରପଞ୍ଚ ନଳିନୀ କୁଣ୍ଡ ଓ ଗୀତାଞ୍ଜଳୀ ଥାଟୋଇ, ମମତା ମଞ୍ଜରୀ ସେଠୀ, ସନ୍ଧ୍ୟାରାଣୀ ସ୍ୱାଇଁ, ମିନତୀ ପ୍ରଧାନ, କଳ୍ପତରୁ ସାହୁ, ରଙ୍ଗଲତା ଜେନା ପ୍ରମୁଖ ୱାର୍ଡ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ ।











