ପ୍ରାଥମିକ ଚିକିତ୍ସା ଅଭାବରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥାଏ : ଏମ ଏନ ହାଇସ୍କୁଲରେ ହିନ୍ଦି ପ୍ରାଥମିକ ଚିକିତ୍ସା ଦିବସ ଓ ସ୍ୱଛତା ପକ୍ଷ ପାଳିତ



ପଟ୍ଟାମୁଣ୍ଡାଇ ତା ୧୪/୯-ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ଠାରେ ହିନ୍ଦି ଦିବସ, ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି ଓ ଏହି ଉପଲକ୍ଷେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଜୟ କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ହିନ୍ଦି ଶିକ୍ଷକ ଅଶୋକ ଦାଶ ହିନ୍ଦି ଦିବସର ତାପର୍ଯ୍ୟ ଓ ରାଷ୍ଟ୍ରଭାଷା ହିନ୍ଦିର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି ପ୍ରତିବର୍ଷ ସେପ୍େଟମ୍ବର ୧୪ ଦିନକୁ ‘ହିନ୍ଦୀ ଦିବସ’ ଭାବେ ପାଳନ କରାଯାଉଛି। ହିନ୍ଦୀ ଭାଷାର ମହତ୍ତ୍ୱ ବଜାୟ ରଖିବା ତଥା ଏହାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ଭାରତ ସମେତ ଅନ୍ୟ ଦେଶରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଲାଗି ଜାନୁଆରୀ ୧୦ରେ ‘ବିଶ୍ୱ ହିନ୍ଦୀ ଦିବସ’ ପାଳନ କରାଯାଉଥିବା ବେଳେ ଭାରତରେ ସେପ୍େଟମ୍ବର ୧୪ରେ ପାଳନ ହିନ୍ଦୀ ଦିବସ କରାଯାଏ । ସେହିପରି ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ରାଜେନ୍ଦ୍ର ସିଂହ ହିନ୍ଦୀକୁ ରାଷ୍ଟ୍ର ଭାଷା କରିବାକୁ ପ୍ରଥମେ ବହୁ ପ୍ରୟାସ କରିଥିଲେ। ସେ ଏହିଦିନ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ଜନ୍ମଦିନକୁ ‘ହିନ୍ଦୀ ଦିବସ’ ଭାବେ ବି ପାଳନ କରାଯାଉଛି। ତେବେ ୧୯୪୯ରେ ସମ୍ବିଧାନ ସଭା ଦ୍ୱାରା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ସରକାରୀ ଭାଷା ଭାବେ ଗୃହୀତ କରାଗଲା। ମାତ୍ର ଏହାକୁ ବିଧିବଦ୍ଧ ଭାବେ ପ୍ରଥମଥର ପାଇଁ ୧୯୫୩ ମସିହା ସେପ୍େଟମ୍ବର ୧୪ରେ ଲାଗୁ କରାଯାଇଥିଲା। ସେବେଠାରୁ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି ବୋଲି କହିଥିଲେ।


ଏନ ସି ସି ଶିକ୍ଷକ ସରୋଜ ସ୍ୱାଇଁ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ କୌଣସି ଶାରୀରିକ ସମସ୍ୟା କ୍ଷେତ୍ରରେ ପ୍ରକୃତ ଡାକ୍ତରୀ ଚିକିତ୍ସା ଆରମ୍ଭ କରାଯିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ବା ଫାଷ୍ଟ ଏଡ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ପ୍ରାଥମିକ ଚିକିତ୍ସା ଜୀବନ ବଞ୍ଚାଇଥାଏ।ଆମ ଦେଶରେ ପ୍ରତି ବର୍ଷ ଲକ୍ଷାଧିକ ଲୋକଙ୍କର ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସା ନ ପାଇ ଅକାଳରେ ମୃତ୍ୟୁ ଘଟିଥାଏ। ବିଶ୍ୱସ୍ତରରେ ମଧ୍ୟ ପ୍ରାଥମିକ ଚିକିତ୍ସା ଅଭାବରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥାଏ। ତେଣୁ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍େଟମ୍ବର ମାସ ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଇଥାଏ।ଚଳିତ ୨୦୨୪ବର୍ଷରେ ଏହା ସେପ୍େଟମ୍ବର ୧୪ ହିନ୍ଦି ଦିବସରେ ପାଳନ କରାଯାଉଛି। ଏହି ଦିବସରେ ଲୋକମାନଙ୍କ ମଧ୍ୟରେ ପ୍ରାଥମିକ ଚିକିତ୍ସା ବିଷୟରେ ସଚେତନତା ଦିଆଯାଇଥାଏ। ଏହା ଦ୍ୱାରା କିଭଳି ଜୀବନ ବଞ୍ଚାଇବା ସହଜ ହୋଇଥାଏ ସେ ସମ୍ପର୍କରେ ଅବଗତ କରାଯାଇଥାଏ। ପ୍ରଥମେ ଇଣ୍ଟ୍ଚରନ୍ୟାଶନାଲ ଫେଡେରେଶନ ଅଫ୍ ରେଡକ୍ରସ କ୍ରିସେଣ୍ଟ ସୋସାଇଟି ୨୦୦୦ମସିହାରେ ଏହି ଦିବସର ପାଳନ ଆରମ୍ଭ କରିଥିଲା। ଜରୁରିକାଳୀନ ସ୍ୱାସ୍ଥ୍ୟସେବା ପରିସ୍ଥିତିରେ ଜଣେ ଲୋକର କିଭଳି ପ୍ରାଥମିକ ଚିକିତ୍ସା କରାଯାଇପାରିବ ସେ ବିଷୟରେ ଜାଣିବା ନିହାତି ଦରକାର। ଏଥିପାଇଁ କୌଣସି ପ୍ରଶିକ୍ଷଣ ଦରକାର ହୁଏନାହିଁ। ସାଧାରଣ ଭାବରେ ଆମ ପାଖରେ ହେଉ କିମ୍ବା ଘର କିମ୍ବା ଗାଡି ହେଉ ସବୁବେଳେ ଫାଷ୍ଟ ଏଡ୍ କିଟ୍ ରଖିବା ଜରୁରୀ ବୋଲି କହିଥିଲେ।

ଶିକ୍ଷକ ତାପସ ବେହେରା ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବର୍ଜନ ଓ ସ୍ୱଛତା ପକ୍ଷ ସମ୍ପର୍କରେ ପିଲାମାନଙ୍କୁ ବୁଝାଇ କହିଥିଲେ ଯେ ପରିବେଶ କହିଲେ ଆମ ଚାରି ପଟେ ଥିବା ବାୟୁ ମଣ୍ଡଳ, ବିସ୍ତୃତ ଜଳରାଶି, ମୂର୍ତ୍ତିକା, ତରୁଲତା, ଜୀବ ଜନ୍ତୁ ଆଦିଙ୍କୁ ବୁଝାଏ। ଜୀବ ଜଗତର ସୃଷ୍ଟି ଓ ପରିପୁଷ୍ଟି ପାଇଁ ଉତ୍ତମ ପରିବେଶ ଆବଶ୍ୟକ। ବାୟୁ ମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ମନୁଷ୍ୟ ଓ ଅନ୍ୟ ସବୁ ଜୀବଜନ୍ତୁ ମାନେ ତିଷ୍ଠି ରହନ୍ତି। ଜଳକ୍ଷେତ୍ରରୁ ଜଳ ପାନ ଓ ଅନ୍ୟାନ୍ୟ ବ୍ୟବହାର କରନ୍ତି। ମୂର୍ତ୍ତିକାରେ ଚାଷ, ମୂର୍ତ୍ତିକା ତଳେ ଜଳ ରାଶିର ସମ୍ଭାର, ପୁଣି ସେଥିରୁ ସୃଷ୍ଟ ନଦୀ, ନାଳ, କୂପ, ପୁଷ୍କରଣୀର ଜଳ ସମସ୍ତ ପ୍ରାଣୀ ଜଗତକୁ ଜଳଦାନ କରେ। ମାତ୍ର ଏବେ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ବିଭିନ୍ନ ନଦୀ, ହ୍ରଦ ଓ ଅନ୍ୟାନ୍ୟ ଜଳାଶୟରେ ପ୍ଲାଷ୍ଟିକ ଭସାଇ ଦିଆଯାଉଥିବା ଜଣା ପଡିଛି । ପ୍ଲାଷ୍ଟିକ, ଥର୍ମୋକୁଲ ଜଳରେ ମିଶି ମାଇକ୍ରୋ ପ୍ଲାଷ୍ଟିକ୍‌ରେ ପରିଣତ ହେଉଥିବା ବେଳେ ଏସବୁ ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି କରୁଛି।ତେବେ ଏକ ଆକଳନରୁ ଜଣାଯାଏ ଯେ, ବର୍ତ୍ତମାନ ଭଳି ପ୍ଲାଷ୍ଟିକ୍ ଆବର୍ଜନା ଧାରା ଅବ୍ୟାହତ ରହିଲେ ଆଗାମୀ ୨୦୫୦ ବେଳକୁ ସମୁଦ୍ରରେ ବିସର୍ଜିତ ମୋଟ ପ୍ଲାଷ୍ଟିକ୍‌ର ଓଜନ ସମୁଦାୟ ମାଛଙ୍କ ଓଜନକୁ ମଧ୍ୟ ଟପିଯିବ ।ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍‌ର ବ୍ୟବହାର ହ୍ରାସ କରିବାକୁ ପଡ଼ିବ। ଆମକୁ ପ୍ଲାଷ୍ଟିକ୍ ଓ ପଲିଥିନ ବ୍ୟାଗ୍ ପରିବର୍ତ୍ତେ କପଡ଼ା ତିଆରି ଥଳି କିମ୍ବା ଝୋଲା ବ୍ୟବହାର କରିବାକୁ ହେବ ।ପ୍ଲାଷ୍ଟିକ ଓ ପଲିଥିନ ଆମ ପରିବେଶକୁ ବ୍ୟାପକ ଭାବେ ପ୍ରଦୁଷଣ କରୁଥିବାରୁ ତାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ପାଇଁ ପଲିଥିନ ଓ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।
ପୁରାତନ ଛାତ୍ର ସଂସଦ କୋଷାଧକ୍ଷ ଗୋପୀନାଥ ତ୍ରିପାଠୀ ହିନ୍ଦି, ବିଶ୍ୱ ପ୍ରାଥମିକ ଚିକିତ୍ସା ଓ ସ୍ୱଚ୍ଛତା ପକ୍ଷ ସମ୍ପର୍କରେ ଭାଷଣ ଦେଇଥିଲେ । ସହକାରୀ ଶିକ୍ଷକ ଶଶାଙ୍କ ଶେଖର ସାହୁ, ଅନିଲ ଦାସ, ଗୋମତୀ ସ୍ୱାଇଁ ଶୈଳବାଳା ଆଚାର୍ଯ୍ୟ,ରଶ୍ମିତା ତରାଇ, ସ୍ଥିତପ୍ରଜ୍ଞଓ ରାଉତ ପ୍ରମୁଖ ଭାଷଣ ଦେଇଥିଲେ ।ଶେଷରେ ସହକାରୀ ଶିକ୍ଷୟତ୍ରୀ ଅନିତା ଧଳ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading