
କେନ୍ଦ୍ରାପଡ଼ା,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ସେହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ନିମନ୍ତେ କେନ୍ଦ୍ରାପଡା ବ୍ଲକ ପକ୍ଷରୁ କେନ୍ଦ୍ରାପଡା ସହରର ଇଛାପୁର ରଥଦାଣ୍ଡରେ ବ୍ୟବସ୍ଥା କରାଯାଇଥିଲା। ବ୍ଲକର ବିଡିଓ ବନ୍ଦନା ଖଟୁଆ ବ୍ଲକର ସମସ୍ତ ପଞ୍ଚାୟତ ଗୁଡିକରେ ଥିବା ଗ୍ରାମପଞ୍ଚାୟତ ମିଶନଶକ୍ତି ମହାସଙ୍ଘର ସିଆରପିମାନଙ୍କୁ ନିର୍ଦେଶ ଦେଇଥିଲେ ଯେ ସେହି ମହାସଙ୍ଘ ଅଧିନରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକର ସଦସ୍ୟାମାନଙ୍କୁ ଇଛାପୁରସ୍ଥିତ ରଥଦାଣ୍ଡକୁ ଆଣିବାକୁ। ସେହି ଅନୁଯାୟୀ ଆଜି କେନ୍ଦ୍ରାପଡା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ମିଶନଶକ୍ତି ମହାସଙ୍ଘର ପ୍ରାୟ ଦୁଇହଜାର ମହିଳା ସଦସ୍ୟା ଇଛାପୁରସ୍ଥିତ ରଥଦାଣ୍ଡକୁ ଶୁଭଦ୍ରା ଯୋଜନାର ସିଧା ପ୍ରସାରଣ ଦେଖିବାକୁ ଆସିଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୨ଟାରେ ଶେଷ ହୋଇଥିଲା। କାର୍ଯ୍ୟକ୍ରମର ସମାପ୍ତି ପରେ ମହିଳାମାନେ ଖରାରେ ଇଛାପୁରରୁ ନଖାଇନପିଇ ଚାଲି ଚାଲି ଆସି ସାନ୍ତସାହି ପୋଲ ପାଖରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଘାଘରା, ଚାରିଗାଁ, କୋରୋ, ଇନ୍ଦୁପୁର ପ୍ରଭୃତି ପଞ୍ଚାୟତର ମହିଳା ଥିଲେ। ସେମାନେ କହିଲେ ଯେ ଆମକୁ ସି.ଆର.ପି. ଘରୁ ଡାକି ଆଣିଲେ। ଆମେ ନିଜ ଖର୍ଚ୍ଚରେ ଆସିଲୁ। ଏବେ ନଖାଇ ନପିଇ ପ୍ରବଳ ଖରାରେ ନିଜ ଖର୍ଚ୍ଚରେ ଘରକୁ ଫେରିବୁ। ଆମକୁ ଡାକି ଖାଲି ଯାହା ହିନସ୍ତା କରାଯାଉଛି। ଆମକୁ ଘରୁ ନବା ଓ ଆଣିବା ବ୍ୟବସ୍ଥା ନାହିଁ କି ପାଣି ଟୋପେ ପିଇବାକୁ ଦେଲେ ନାହିଁ। ଗୁହାରି କଲେବି ପ୍ରଶାସନ କିଛି ବୁଝିଲା ନାହିଁ। ବାଧ୍ୟ ହୋଇ ଚାଲି ଚାଲି ଘରକୁ ଯିବୁ ବୋଲି ସେମାନେ କହୁଥିଲେ।

