କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ


କେନ୍ଦ୍ରାପଡ଼ା, ୧ା୧୦: କେନ୍ଦ୍ରାପଡ଼ା ମଣ୍ଡଳ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମଙ୍ଗଳବାର କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁ ଛାତ୍ରଛାତ୍ରୀମାନେ ଭଲ ପାଠ ପଢି ଆମ ଜିଲ୍ଲା, ରାଜ୍ୟ ଓ ଦେଶର ସୁନାମ ରଖନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ କେନ୍ଦ୍ରାପଡା ବିଡିଓ ବନ୍ଦନା ଖଟୁଆ, କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକ, ଗୁଲନଗର ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ପ୍ରଧାନ ଓ ଓଷ୍ଟାର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ କୁମାର ଜେନା ପ୍ରମୁଖ ଯୋଗଦେଇ କୁନି କୁନି ପିଲାମାନଙ୍କ ଶୈକ୍ଷିକ ବିକାଶ ପାଇଁ ବିଭିନ୍ନ ପରାମର୍ଶମାନ ଦେଇଥିଲେ। କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଦଳାଇ ତାଙ୍କ ଅଭିଭାଷଣରେ ଦେଶର ବିକାଶରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ନିମ୍ନ ସ୍ତରରେ ଥିବା ଛାତ୍ରଛାତ୍ରୀମାନଙ୍କୁ ବାଛି ଉଚ୍ଚ ସ୍ତରରେ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମରେ ପିଲାମାନଙ୍କ ଦକ୍ଷତା ବୃଦ୍ଧି କରାଯିବା ସହ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସେମାନଙ୍କ ଦକ୍ଷତାକୁ ବିକାଶ କରିବାକୁ ହେବ। ପିଲାମାନଙ୍କ ଗଣିତ ଓ ବିଜ୍ଞାନ ଭିତ୍ତିକ ଜ୍ଞାନକୁ ଅଧିକ ବିକଶିତ କରିବା ଏହି ଉତ୍ସବ ଆୟୋଜନର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏଦିଗରେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ସଂପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ଆମେ ଏକ ବ୍ରତ ଭାବେ ଗ୍ରହଣ କରିବା ଉଚିତ। ପିଲାମାନଙ୍କୁ ନିରୁତ୍ସାହିତ ନକରି ବରଂ ଉତ୍ସାହିତ କରିବା ଆବଶ୍ୟକ ବୋଲି ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଦଳାଇ କହିଥିଲେ। ସହ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ବିି.ଆର.ସି.ସି. ହିରଣ୍ୟ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅନନ୍ତ ପରିଡା ଉତ୍ସବର ସଂଯୋଜନା ଏବଂ ମା’ମଙ୍ଗଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କେନ୍ଦ୍ରାପଡା ବ୍ଲକର ବିଭିନ୍ନ ବିଦ୍ୟାଳୟର ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୫୦ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସବ୍ ଜୁନିଅର, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଜୁନିଅର ଓ ନବମ ଏବଂ ଦଶମ ଶ୍ରେଣୀର ସିନିଅର ଗ୍ରୁପରେ ବିଭକ୍ତ ହୋଇ ବିଜ୍ଞାନ, ସାମାଜିକ, ଗଣିତ ଓ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅପରାହ୍ନରେ ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥି ଭାବେ କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକ, ସହ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ବିି.ଆର.ସି.ସି. ହିରଣ୍ୟ ବାରିକ ଯୋଗଦେଇ ଉପରୋକ୍ତ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ। ଶିକ୍ଷକ ଅନନ୍ତ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ବିଷ୍ଣୁ ଚରଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତ୍ୟେକ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି। ସି.ଆର.ସି.ସି. ଅସଗର ଅଲ୍ଲୀ, ଶିକ୍ଷକ ରାଜକିଶୋର ବିଶ୍ୱାଳ, ଅଚ୍ୟୁତାନନ୍ଦ ସାମଲ, କିଶୋର ଚନ୍ଦ୍ର ଜେନା, ପ୍ରଦୀପ ଖଟୁଆ, ଦେବାଶିଷ ସାହୁ, ଶୈଲେନ ପରିଡା, ଗିୟା ସୁଦ୍ଦିନ, ସନ୍ତୋଷ ଦାସ, ଶ୍ରୀଧର ବେହେରା, ସନ୍ତୋଷ ଜେନା, ଶ୍ରୀଦର ସାହୁ, ବିଭୁ ପ୍ରସାଦ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading