କେନ୍ଦ୍ରାପଡା ଖାଦ୍ୟ ସୁରକ୍ଷା ଅଧିକାରୀ ଲାଞ୍ଚ ନେଇ ଧରା ପଡିଲେ


କେନ୍ଦ୍ରାପଡ଼ା,୧ା୧୦: ଜନୈକ ବ୍ୟବସାୟୀଙ୍କ ଠାରୁ ଲାଇସେନ୍ସ କରିଦେବାକୁ କହି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡିଛନ୍ତି। ମଙ୍ଗଳବାର ତିନିମୁହାଣୀ ଛକ ନିକଟସ୍ଥ ଆଖଣ୍ଡଳମଣୀ ମାର୍ବଲ ଦୋକାନ ନିକଟରେ ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ଶ୍ରୀ ମଜୁମଦାର । ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ତାଙ୍କୁ ଗିରଫ କରିବା ପରେ ଗରାପୁର ସ୍ଥିତ ଦୁର୍ନୀତି ନିବାରଣ ବିଭାଗ ଊପଆରକ୍ଷୀ ଅଧୀକ୍ଷକଙ୍କ କର୍ଯ୍ୟାଳୟକୁ ନେଇଥିଲେ। ସେଠାରୁ ତାଙ୍କୁ କଟକ ଦୁର୍ନୀତି ନିବାରଣ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା। ଦୁର୍ନୀତି ନିବାରଣ ବିଭାଗ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଖାଦ୍ୟ ସୁରକ୍ଷା ଅଧିକାରୀ କେନ୍ଦ୍ରାପଡ଼ା ସହରରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରିଥିଲେ। ଚଢାଉ କରିବା ବେଳେ ସଂପୃକ୍ତ ଦୋକାନୀଙ୍କ ଲାଇସେନ୍ସ ନଥିବା ଜଣାପଡିଥିଲା। ତେଣୁ ସେହି ବ୍ୟବସାୟୀଙ୍କୁ ଲାଇସେନ୍ସ କରିଦେବା ପାଇଁ ଶ୍ରୀ ମଜୁମଦାର କହିଥିଲେ। ଏ ନେଇ ବ୍ୟବସାୟୀ ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଲାଇସେନ୍ସ କରାଇ ଦେବାକୁ କହି ତାଙ୍କୁ ଶ୍ରୀ ମଜୁମଦାର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ବ୍ୟବସାୟୀ ଜଣକ ରାଜି ହୋଇଥିଲେ ମଧ୍ୟ ଏ ନେଇ ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ କରିଥିଲେ। ତେଣୁ ଦୁର୍ନୀତିଗ୍ରସ୍ତ ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ମଜୁମଦାରଙ୍କୁ ଗିରଫ କରିବା ପାଇଁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ଟିମ ପୂର୍ବରୁ ଆଖଣ୍ଡଳମଣୀ ମାର୍ବଲ ଦୋକାନ ନିକଟରେ ଛକି ରହିଥିଲେ। ସେଠାରେ ଶ୍ରୀ ମଜୁମଦାର ୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ପରେ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନେ ତାଙ୍କୁ ମାଡି ବସିଥିଲେ। ପରେ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟ, କେନ୍ଦ୍ରାପଡାକୁ ନେଇଯାଇଥିଲେ। ତାଙ୍କ ଠାରୁ ଜବତ ହୋଇଥିବା ଟଙ୍କାରେ ପୂର୍ବରୁ ରାସାୟନିକ ଦ୍ରବ୍ୟ ବୋଳା ଯାଇଥିଲା। ତେଣୁ ତାଙ୍କ ହାତ ଧୋଇବା ପରେ ହାତରୁ ରଙ୍ଗମିଶା ପାଣି ବାହାରିଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ସେ ଲାଞ୍ଚ ଟଙ୍କା ଗ୍ରହଣ କରିଛନ୍ତି। ଏହାପରେ ତାଙ୍କୁ ଗିରଫ କରି କଟକ ଭିଜିଲାନ୍ସ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ ବୋଲି ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ତାଙ୍କ ବିରୋଧରେ ଭିଜିଲାନ୍ସ ଥାନା କେସ ନଂ. ୨୮/୨୦୨୪ରେ ଦଫା ୭ ପିସି (ସଂଶୋଧନ ଆଇନ୍‌) ୨୦୧୮ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।


Discover more from

Subscribe now to keep reading and get access to the full archive.

Continue reading