୭ଦଫା ଦାବିକୁ ନେଇ ଅଡିବସିଛନ୍ତି ମିଲ ମାଲିକ . ୪ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ସାମିଲ ହେବ ଜିଲ୍ଲା ସଙ୍ଘ



କେନ୍ଦ୍ରାପଡ଼ା,୩ା୧୦: ରାଜ୍ୟ ମିଲର ସଙ୍ଘର ୭ଦଫା ଦାବିକୁ ନେଇ କେନ୍ଦ୍ରାପଡା ଜିଲ୍ଲା ରାଇସ ମିଲର୍ସ ସଙ୍ଘ ପକ୍ଷରୁ ଗୁରୁବାର କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଙ୍ଘର ସଭାପତି ଧ୍ରୁବ ଚରଣ ସାହୁ ସଭାପତିତ୍ୱ କରି କହିଥିଲେ ଯେ ଧାନ ସଂଗ୍ରହ ପାଇଁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ନୂଆ ଝୋଟ ବସ୍ତା ଯୋଗାଇ ଦିଆଯାଇଥିବା ବେଳେ ସେହି ଅଖା ନିମ୍ନମାନର ବୋଲି ମିଲ ମାଲିକମାନେ ଅଭିଯୋଗ କରିଛନ୍ତି। ଉନ୍ନତମାନର ଅଖା କିଣିବା ଲାଗି ପ୍ରାୟ ୨୫ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାଜ୍ୟ ସରକାର ଅଖା ବାବଦକୁ ମାତ୍ର ୧୪ଟଙ୍କା ଦେଉଛନ୍ତି। ନିୟମ ଅନୁଯାୟୀ ନିଗମ ଯୋଗାଉଥିବା ଅଖାର ଓଜନ ୫୮୦ଗ୍ରାମ୍ ରହିବା ବଦଳରେ ତାହା ଠାରୁ ବହୁ କମ୍ ଓଜନ ରହୁଥିବା ଅଭିଯୋଗ ହୋଇଛି। ସେହିଭଳି ଗୋଦାମରେ ଧାନକୁ ସୁରକ୍ଷିତ ଭାବେ ସାଇତି ରଖିବା ବାବଦକୁ ଧାନ କ୍ୱିଣ୍ଟାଲ ପ୍ରତି ଏକଶହରୁ ୧୨୦ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିଗମ ପକ୍ଷରୁ ମାତ୍ର ୭ଟଙ୍କା ୨୦ପଇସା ପ୍ରଦାନ କରାଯାଉଛି। ସରକାରଙ୍କ ନିୟମ ଅନୁସାରେ ଏକ କ୍ୱିଣ୍ଟାଲ ଚାଉଳ ପ୍ରସ୍ତୁତ କରିବା ପାଇଁ ଦେଢ କ୍ୱିଣ୍ଟାଲ ଧାନ ୪ଟି ବସ୍ତାରେ ୩୭.୫୦୦କେଜି ହିସାବରେ ପ୍ୟାକିଂ କରାଯାଏ। ଏହି କାର୍ଯ୍ୟକୁ ପ୍ୟାକ୍ସ କରିବା ଲାଗି ନିୟମ ରହିଥିବା ବେଳେ ତାହା ଏହି ଜିଲ୍ଲାରେ କରାଯାଉନଥିବା ଯୋଗୁଁ ମିଲ ମାଲିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚଳିତ୨୦୨୪-୨୫ଖରିଫ୍ ଧାନ କିଣା ପରେ ଜିଲ୍ଲାରେ ଥିବା ମିଲ ଗୁଡିକୁ ସେହି ଧାନ ମିଲିଂ ପାଇଁ ଯିବ। ସେହି ଧାନକୁ ମିଲିଂ କରିବା ବାବଦକୁ ମିଳୁଥିବା ଟଙ୍କା ବର୍ତ୍ତମାନ ସମୟରେ ପର୍ଯ୍ୟାପ୍ତ ନୁହେଁ ବୋଲି ଜିଲ୍ଲାର ମିଲ ମାଲିକମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ୨୫ବର୍ଷ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଦରରେ ଶେଷ ଥର ପାଇଁ ୨୦୧୮-୧୯ରେ ସାମାନ୍ୟ ବୃଦ୍ଧି କରାଯାଇ ୨୦ଟଙ୍କା ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ସମୟରେ ଏଥିପାଇଁ ୧୪୦ଟଙ୍କା ଆବଶ୍ୟକ ପଡୁଥିବା ବେଳେ ତାହାକୁ ବୃଦ୍ଧି ନକରି ଓଲଟି କମାଇ ଦିଆଯାଇଛି। ଯାହାକୁ ନେଇ ମିଲମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମିଲ୍ ମାଲିକମାନେ ଏସଓପି ମାନି କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିବା ବେଳେ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନୂତନ ଖାଦ୍ୟ ଓ ପ୍ରକ୍ରିୟାକରଣ ନୀତିର ସଂଶୋଧନ ଦାବି କରିବା ସହ ଧାନ ଯୋଗାଣ ଏବଂ ଏହାର ମାନକୁ ସୁନିଶ୍ଚିତ କରିବା, ସିକ୍ୟୁରିଟି ଡିପୋଜିଟ୍‌ରେ ନିଷ୍ପତ୍ତି ନେଇଥିବା ବେଳେ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନୂତନ ଖାଦ୍ୟ ଓ ପ୍ରକ୍ରିୟାକରଣ ନୀତିର ସଂଶୋଧନ ଦାବି କରିବା ସହ ଧାନ ଯୋଗାଣ ଏବଂ ଏହାର ମାନକୁ ସୁନିଶ୍ଚିତ କରିବା, ସିକ୍ୟୁରିଟି ଡିପୋସିଟରେ ପରିବର୍ତ୍ତନ, ଧାନ ସଂଗ୍ରହ ସମୟରେ ଦଲାଲଙ୍କୁ ନିୟନ୍ତ୍ରଣ, ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ବାବଦ ଅର୍ଥ ବୃଦ୍ଧି, କଷ୍ଟମ ମିଲିଂ ଦର ବୃଦ୍ଧି, ଧାନ ଯୋଗାଣ ପାଇଁ ଠିକାଦାର ବା ନିଜ କର୍ପୋରେଟରକୁ ପ୍ରାଧାନ୍ୟ ଦିଆଯିବା ଭଳି ୭ଦଫା ଦାବି ଉପସ୍ଥାପନା କରାଯାଇଛି। ଏନେଇ ଅକ୍ଟୋବର ୪ତାରିଖରେ ରାଜ୍ୟ ସ୍ତରୀୟ ସଙ୍ଘ ସହିତ ଆନ୍ଦୋଳନରେ ଜିଲ୍ଲା ସଙ୍ଘ ସାମିଲ ହେବା ନେଇ ଜିଲ୍ଲା ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଏହି ବୈଠକରେ ସଙ୍ଘର ଜିଲ୍ଲା ସମ୍ପାଦକ ସୈାମ୍ୟରଞ୍ଜନ ସ୍ୱାଇଁ, ସଙ୍ଘର ସଦସ୍ୟ ସତିଶ କୁମାର ସାହୁ, ଭାଗିରଥୀ ସାହୁ, ବିଶ୍ୱଜିତ ରାୟ, ବିମଳ କୁମାର ପଣ୍ଡା, କୃଷ୍ଣ ଚନ୍ଦ୍ର ଦାଶ, ଇଶ୍ୱର ଚନ୍ଦ୍ର ସ୍ୱାଇଁ, ତପନ କୁମାର ନାୟକ, ଉମେଶ କୁମାର ଶର୍ମା, ସୁଧାଂଶୁ ଜେନା, ବିଜୟ କେତନ ପଣ୍ଡା, ଶ୍ରୀକାନ୍ତ ରାଉତ, ନିର୍ମଳ ବେହେରା, ମହେଶ୍ୱର ପାତ୍ର, ପ୍ରଶାନ୍ତ ସାହୁ ଓ ସମିର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading