ତହସିଲଦାରଙ୍କୁ ଦିଆଯିବ ଅନ୍‌ଲାଇନ୍ ତାଲିମ : ଉଚ୍ଛେଦ ନୋଟିସ୍ ସଂପର୍କରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ



ପଟ୍ଟାମୁଣ୍ଡାଇ ୩/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖରିପାଳ ଗ୍ରାମର  ଜବରଦଖଲ  ଉଚ୍ଛେଦ ପାଇଁ ତହସିଲଦାରଙ୍କ ତରଫରୁ ଜାରି ନୋଟିସ୍‌କୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି ସମୟରେ ରାଜ୍ୟର ସମସ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କ ପାଇଁ ଏକ ଅନ୍‌ଲାଇନ୍ ତାଲିମ କାର୍ଯ୍ୟକ୍ରମ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ତରଫରୁ ଜବରଦଖଲ ଉଚ୍ଛେଦ ନେଇ ଜାରି କରାଯାଇଥିବା ନୋଟିସ୍‌କୁ ଚାଲେଞ୍ଜ କରି ଖରିପାଳ ଗ୍ରାମର ମଣିନାଥ ସ୍ୱାଇଁ ହାଇକୋର୍ଟରେ ଡବ୍ଲି ପିସି-୨୪୪୭୩/୨୦୨୪ ଦାୟର କରିଥିଲେ। ଏନେଇ ଜଷ୍ଟିସ୍ ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ମଣିନାଥ ସ୍ୱାଇଁଙ୍କ ଆବେଦନର ଶୁଣାଣି କରି ଏହି ନୋଟିସ୍ କେତେ ତାରିଖରେ ଜାରି କରାଯାଇଥିଲା ସେ ନେଇ କିଛି ଉଲ୍ଲେଖ କରାଯାଇ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଆଉ କେତେକ ମାମଲାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏନେଇ ହାଇକୋର୍ଟ ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦେଇ କେପରିି ଉପଯୁକ୍ତ ଭାବେ ସବିଶେଷ ତଥ୍ୟ ସମ୍ବଳିତ ଉଚ୍ଛେଦ ନୋଟିସ୍ ଜାରି କରାଯିବ । ଏବଂ ଯାହା ଦ୍ୱାରା ନାଗରିକମାନେ ଅଯଥା ଦ୍ୱନ୍ଦ୍ୱରେ ପଡ଼ିବେ ନାହିଁ ସେ ନେଇ ଅନ୍‌ଲାଇନ୍ ତାଲିମ ଦିଆଯିବ । ପର୍ଯ୍ୟାୟକ୍ରମେ ଏହି ତାଲିମ ଦିଆଯିବ। ଏକ ମାସ ଭିତରେ ତାଲିମ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ ।


Discover more from

Subscribe now to keep reading and get access to the full archive.

Continue reading