ପଟ୍ଟାମୁଣ୍ଡାଇତା ୧୧/୧୦-ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ୧୮ନଂ ୱାର୍ଡ ଦକ୍ଷିଣଦିଆ ଗ୍ରାମର ତାତନା ରାସ୍ତାରେ କିଆ ଯୋଡି ଗ୍ରାମର ଇତିଶ୍ରୀ ଶୁଭଦର୍ଶନୀ ତରାଇ ନାମକ ଜନୈକା ମହିଳା ଘର ଭଡା ନେଇ ରହୁଥିଲେ । ସେ ପଟ୍ଟାମୁଣ୍ଡାଇ ପୌର ପରିଷଦରେ ମୁକ୍ତା ପ୍ରକଳ୍ପ ସଂଯୋଜକ ଚାକିରୀ କରନ୍ତି । ସେ ଦଶହରା ଛୁତିରେ ନିଜ ଘରକୁ ଯାଇଥିବା ବେଳେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ କେତେକ ଦୁବୃର୍ତ୍ତ ତାଙ୍କ ଭଡା ଘରେ ପଶି ୬୦ ଗ୍ରାମ ସୁନା ଅଳଙ୍କାର ସହିତ ନଗଦ ୬୦ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଏ ସମ୍ପର୍କରେ ଘର ମଳିକଙ୍କ ଠାରୁ ଜାଣିବା ପରେ ଇତିଶ୍ରୀ ପଟ୍ଟାମୁଣ୍ଡାଇ ଆସି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ସୁଶାନ୍ତ ସାହୁଙ୍କ ନିର୍ଦେଶରେ ସ୍ଥାନୀୟ ପୋଲିସ ଏକ ମାମଲା ନଂ ୨୯୬/୨୪ରେ ଏକ ରୁଜୁ କରି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଂଚି ଏହି ମାମଲାର ତନାଘନା ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ ଓ ପୌର ପରିଷଦ କର୍ମଚାରୀ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦଶହରା ପୂଜା ଉତ୍ସବ ପାଇଁ ପୋଲିସ ବ୍ୟସ୍ତ ରହୁଥିବାରୁ ତଦନ୍ତ ପ୍ରକ୍ରିୟା କିଛି ପରିମାଣରେ ପ୍ରଭାବିତ ହୋଇଛି । ପୂଜା ଉତ୍ସବ ପରେ ଆଦର୍ଶ ଥାନା ପୋଲିସ ଏହି ମାମଲାର ପର୍ଦାଫାଶ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ଆଇ ଆଇ ସି ଶ୍ରୀସାହୁ ପ୍ରକାଶ କରିଛନ୍ତି ।