
ପଟ୍ଟାମୁଣ୍ଡାଇ ତା ୨୫/୧୦-ସାମୁଦ୍ରିକ ଝଡ଼ ବାତ୍ୟା ଦାନା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲଗାଣ ବର୍ଷା ଓ ପବନରେ ବହୁ କଚ୍ଚା, ଆଜବେଷ୍ଟ ଘର ଭାଙ୍ଗି ଯାଇଥିବାବେଳେ ବ୍ୟାପକ ଫସଲ ହାନୀ ଘଟିଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବହୁ ରାସ୍ତାଘାଟ ଧୋଇ ଯାଇଛି । ବଡ଼ ବଡ଼ ଗଛ ଉପୁଡି ପଡି ଗମନାଗମନ ବାଧାପ୍ରାପ୍ତ ହୋଇଛି । ଯଦିଓ ପଟ୍ଟାମୁଣ୍ଡାଇ ସହରରେ ବିଦ୍ୟୁତ ଓ ଟେଲିସେବା ବ୍ୟବସ୍ଥିତ କରାଯାଇଛି ।ଏବେବି ଗ୍ରାମାଞ୍ଚଳ ଅନ୍ଧକାର ରହିଛି । ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ତହସିଲଦାର ପଞ୍ଚାନନ ନାୟକ, ବିଡ଼ିଓ ଶୁଭ୍ରାଂଶୁ ସାହୁ,ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ,ବ୍ଲକ ସହକାରୀ ଯନ୍ତ୍ରୀ ଇଂ ଜଳଧର ବେହେରା,ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସର ଡା ନିରାକାର ପରିଡା,ଆଦର୍ଶ ଥାନା ଆଇ ଆଇ ସି ସୁଶାନ୍ତ ସାହୁ ଓ ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ପଦ୍ମାଳୟା ପ୍ରଧାନ ଓ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ରଥ, ଅଗ୍ନିଶମ ଅଧିକାରୀ ପ୍ରମୁଖ ଟିମ ସହିତ ବାତ୍ୟା ପୂର୍ବରୁ ଓ ପରେ ବିଧ୍ୱସ୍ତ ଅଂଚଳ ବୁଲି ରିଲିଫ ଓ ଉଦ୍ଧାର କାର୍ଯ୍ୟ ନିରୀକ୍ଷଣ କରିବା ସହିତ କ୍ଷୟକ୍ଷତି ଆକଳନ କରିଛନ୍ତି ।
ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଡ଼ ଅଲେଖ କୁମାର ଜେନା ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳ ଭାବେ ପରିଚିତ ଅଣ୍ଢରା,ଅମୃତ ମଣୋହି, ବଲୁରିଆ, ତରଡ଼ିପାଳ, ପେଣ୍ଠପାଳ, ଅଳପୁଆ,ସିଂହଗାଁ ନୀଳକଣ୍ଠପୁର , ବାଲିପାଟଣା, ବାଛରା, ଶାସନ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଓ ଭେଡ଼ା ଅଂଚଳ ଭାବେ ପରିଚିତ ଉତିକଣ ଅଂଚଳର ସଂସାରଫଳ, ଚନ୍ଦନନଗର, ଓଉପଦା, ବିଲିକଣା,ଖଣତା ଦୋଷିଆ, ବଡ଼ପଡା,ବଡ଼ମୋହନପୁର
ଦିହୁଡିପୁର, ସାନଜରିଆ, ଅରଡ଼ପଲ୍ଲୀ, ଗଙ୍ଗାରାମପୁର, କଖାରୁଣୀ, ଖଡ଼ିଅଣ୍ଟା,ଡିହାପଡା ବଡ଼ମୂଳବସନ୍ତ, ନରସିଂହପୁର ଆଦି ପଂଚାୟତରେ କଚ୍ଚା ଘର ଆଜବେଷ୍ଟ ଘର ଭାଙ୍ଗିବା, ସହିତ ବଡ଼ ବଡ଼ ଗଛ ଉପୁଡି ପଡି ଗମନାଗମନ ବାଧାପ୍ରାପ୍ତ ହୋଇଛି । ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଶହ ଶହ ଏକର ଜମିର ଫସଲହାନୀ ଘଟିଛି ।

ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚକ ର ବାଲିପଡ଼ା, କଷଣଅଣ୍ଟା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, ନୂଆଗାଁ, କାକୁଡିପଲ୍ଲୀ, ଅଳଭା, ପୋଖରୀଆପଡା, ମାଟିଆ, ବକ୍ତାରପୁର, ତନୁପୁର,ନନ୍ଦିନୀ ନଗର, ବେଲତଳ, ଦକ୍ଷିଣଦିଆ, ଷଣ୍ଢପଲ୍ଲୀ ଆଦି ଅଂଚଳରେ କଚ୍ଚା ଘର, ଆଜବେଷ୍ଟ ଘର ଭାଙ୍ଗିଯାଇଛି । ବଡ଼ ବଡ଼ ଗଛ ଉପୁଡି ପଡି ଗମନାଗମନରେ ବାଧା ସୃଷ୍ଟି ହୋଇଛି । ଶହ ଶହ ଏକର ଜମିର ଫସଲ ହାନୀ ଘଟିଛି । ଲଗାଣ ବର୍ଷା ଯୋଗୁଁ ବହୁ ଜାଗାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି ।
ରାଜନଗର ବିଧାୟକ ଧ୍ରୁବ ସାହୁ ବିଭିନ୍ନ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ ଜାଗାରେ ନିଜେ ଗଛ କାଟି ରାସ୍ତା ସଫା କରିବା ଦେଖାଯାଉଛି । ବର୍ଷା ଲାଗି ରହିଥିବାରୁ ଉଭୟ ବ୍ଲକ ଓ ପୌରାଞ୍ଚକରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ବାତ୍ୟା ପୂର୍ବରୁ ଓ ବାତ୍ୟା ପରେ ପ୍ରଶାସନ ପକ୍ଷରୁ ବ୍ଲକ ଓ ପୌରାଞ୍ଚଳର ସମସ୍ତ ଆଶ୍ରୟସ୍ଥଳୀ ଓ ପଂଚାୟତ ଏବଂ ୱାର୍ଡକୁ ଚୁଡା, ଗୁଡ଼, ମହମବତୀ, ଦିଆସିଲି, ପିଇବାପାଣି ଆଦି ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ବାତ୍ୟା ଯୋଗୁଁ ପାନୀୟ ଜଳ ଦୂଷିତ ହେବା ଆଶଙ୍କା ଥିବାରୁ ବ୍ଲିଚିଙ୍ଗ ପାଉଡର ଓ କିରୋସିନ ଯୋଗାଇ ଦିଆଯାଇଛି । ଏଥି ସହିତ ପଶୁ ସମ୍ପଦ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ଯୋଗାଇ ଦିଆଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଂଚାୟତ ଅନୋଳି ଗ୍ରାମର ଭାଗ୍ୟଧର ମଲିକ ଘର ଉପରେ ଗଛ ପଡିଛି । ଅଳପୁଆ ପଂଚାୟତ ଜେନାସାହି ସୀତାକାନ୍ତ ଜେନାଙ୍କ ଘର ଭାଙ୍ଗି ଯାଇଛି । ସେ ପଡିଶା ଘରେ ପରିବାର ସହ ଆଶ୍ରୟ ନେଇଛନ୍ତି । ଶ୍ରୀରାମପୁର ପଂଚାୟତ ମଠସାହିରେ ରାସ୍ତା ଉପରେ ଗଛ ପଡି ଗମନାଗମନ ବ୍ୟାହତ ହୋଇଛି । କଖାରୁଣୀ ପଂଚାୟତ ପ୍ରଶାନ୍ତ ମଲିକ ଘର ସମ୍ମୁଖରେ ପାଣି ଜମି ପୋଖରୀ ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମର ମୂଷା ମଲିକ ଘର ଭାଙ୍ଗି ଯାଇଥିବାବେଳେ ନୂଆଗାଁ ଶରତ ମଲିକ ଓ ଟେରୁ ମଲିକ କଚ୍ଚା ଘର ଭାଙ୍ଗି ଯାଇଛି । ମୋଟାମୋଟି ଭାବେ ସାମୁଦ୍ରିକ ଝଡ଼ ବାତ୍ୟା ଦାନା ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଥିବାବେଳେ ଚାଷୀଙ୍କ ବର୍ଷକର ଦାନା ଛଡାଇ ନେଇଛି ।










