
କେନ୍ଦ୍ରାପଡ଼ା,୨୯ା୧୦: ମଙ୍ଗଳବାର ପୂର୍ବାହ୍ନ ୮ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଉପଲକ୍ଷେ ପଥ ଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ଏକ ପଦଯାତ୍ରା ଓ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନୂଆ ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରି ଥିବାବେଳେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ସୂଚନା ଯୋଗ୍ୟ ଯେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଚଳିତ ଅକ୍ଟୋବରମାସ ୨୯ ତାରିଖରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିଛି। ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ଭୁଲ ଓ ଶୁଦ୍ଧ ଭୋଟର ତାଲିକାର ଆବଶ୍ୟକତା ରହିଛି। ତେଣୁ ବିଶେଷ ଅଭିଯାନ ଦିବସ ଭାବେ ନଭେମ୍ବର-୨, ୧୦ ଓ ୨୪ ତାରିଖରେ ନିଜ ଘର ପାଖ ବୁଥରେ ଭୋଟର ତାଲିକାରେ ନାମ ଯୋଗ ଓ ସଂଶୋଧନ କରିବା ନିମନ୍ତେ ଏହି ସଚେତନତା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଓ ପଦଯାତ୍ରାର ଅଂଶଗ୍ରହଣ କାରୀମାନେ ସହର ପରିକ୍ରମା କରି ପୈାରସଂସ୍ଥା ଟାଉନ ହଲରେ ପହଞ୍ଚିଥିଲେ। ସେଠାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ନିମନ୍ତେ ଆୟୋଜିତ ସାଧାରଣ ସଭାରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ। ଭୋଟରମାନେ ନିକଟସ୍ଥ ବୁଥରେ ଭୋଟର ତାଲିକାରେ ଥିବା ନାମ ଯୋଗ ଓ ସଂଶୋଧନ କରିବାକୁ ମୁଖ୍ୟ ଅତିଥି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ସମସ୍ତଙ୍କୁ ଅନୁରୋଧ ରଖିବା ସହ ସଚେତନତାର ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ପଦଯାତ୍ରା, ପଥ ଉତ୍ସବ ଓ ସଭା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଉପ ଜିଲ୍ଲାପାଳ ଅଶୋକ କୁମାର ଦାସ, ଡେପୁଟି କଲେକ୍ଟର (ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ଡେପୁଟି କଲେକ୍ଟର (ନିଜାରତ) ପଲ୍ଲବୀ ପାତ୍ର, ଡେପୁଟି କଲେକ୍ଟର (ରାଜସ୍ୱ) କୁଇନ ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ବିଭିନ୍ନ ସ୍ୱଚ୍ଛସେବୀ ସଂଗଠନ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ରଙ୍ଗୋଲୀ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ନୃତ୍ୟ ପ୍ରିୟା ଡାନ୍ସ ଏକାଡ଼େମୀ, ନୂପୁର ଡାନ୍ସ ଏକାଡ଼େମୀ ନୃତ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା ବାର୍ତ୍ତଥିବା ବେଳେ ଯୋଗ ବେଦାନ୍ତ କଳା ନିକେତନ ପକ୍ଷରୁ ଯୋଗ ପ୍ରଦର୍ଶନ କରାଯାଇଥିଲା।











