ଅଦିନିଆ ବର୍ଷାରେ ଫସଲ ନଷ୍ଟ , ସମବାୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ


ଭୁବନେଶ୍ୱର, ୨୭/୧୨/୨୦୨୪ ବିଭିନ୍ନ ଗଣମାଧ୍ୟମରେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ସମ୍ପର୍କିତ ପ୍ରକାଶିତ ଓ ପ୍ରସାରିତ ଖବରକୁ ଗମ୍ଭୀରତାର ସହ ଗ୍ରହଣ କରି ଶୁକ୍ରବାର ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏକ ସମୀକ୍ଷା ବୈଠକ କରିଛନ୍ତି । ଚାଷୀମାନଙ୍କଠାରୁ ସୂଚନା ପାଇବା ପରେ କିପରି ଯଥାଶୀଘ୍ର କ୍ଷେତ୍ର ଅନୁଧ୍ୟାନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ଏବଂ ଚାଷୀଙ୍କୁ ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୀମା କମ୍ପାନୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସମବାୟ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ଏବଂ କୃଷି ବିଭାଗର ବରିଷ୍ଠ ଅଧିକାରୀ, ଓଡ଼ିଶାରେ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରୁଥିବା ଚାରି ଗୋଟି ବୀମା କମ୍ପାନୀ, ଯଥା – ରିଲାୟନ୍ସ ଜି.ଆଇ.ସି., ଏସ୍‌.ବି.ଆଇ. ଜି.ଆଇ.ସି., ଫ୍ୟୁଚର ଜେନେରାଲି, ଏ.ଆଇ.ସି.ଆଇ. ର ରାଜ୍ୟସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

ସୂଚନାଯୋଗ୍ୟ, ଚଳିତ ଖରିଫ ୨୦୨୪ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟରେ ମୋଟ ୨୨ ଲକ୍ଷ ୪୮ ହଜାର ଚାଷୀ ଫସଲ ବୀମା ପଞ୍ଜୀକରଣ କରିଛନ୍ତି । ବୀମା ପଞ୍ଜିକୃତ ଚାଷୀମାନେ କ୍ଷତିପୂରଣ ପାଇବାକୁ ହେଲେ କୃଷି ରକ୍ଷକ ଆପ (Krushi Rakhyak App) କିମ୍ବା ହେଲ୍ପ ଲାଇନ ନମ୍ବର (Help Line No) ୧୪୪୪୭ ରେ ଫସଲ କ୍ଷତିର ୭୨ ଘଣ୍ଟା ମଧ୍ୟରେ ସୂଚନା ଦେବାକୁ ଗଣମାଧ୍ୟମ ଜରିଆରେ ସମବାୟ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ନିବେଦନ କରାଯାଇଛି । ଚାଷୀମାନଙ୍କ ମଧ୍ୟରେ ଅଧିକ ସଚେତନତା ପାଇଁ ସମବାୟ ବିଭାଗର ଅଧିକାରୀମାନେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମବାୟ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ନିର୍ଦ୍ଦେଶ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading