ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

BISWA PRATHANA DIVAS PALAN PAIN PRASTUTI BAITHAK-min


କେନ୍ଦ୍ରାପଡା,୩୦ା୧୨: ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ଜାନୁଆରୀ ପହିଲାରେ କେନ୍ଦ୍ରାପଡାର ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ପୀଠରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରାର୍ଥନା ଦିବସ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ସେହି ଦିନ ପୂର୍ବାହ୍ନ ୮ଟା ସମୟରେ ଶ୍ରୀଜୀଉଙ୍କ ରଥଦାଣ୍ଡରେ ବିଶ୍ୱ ପ୍ରାର୍ଥନା ଦିବସ ଉପଲକ୍ଷେ ବିଶ୍ୱଶାନ୍ତି ନିମନ୍ତେ ସମବେତ ପ୍ରାର୍ଥନା କରାଯିବ। ସମସ୍ତେ ବିଶ୍ୱର କଲ୍ୟାଣ ନିମନ୍ତେ ଏହି ସମବେତ ପ୍ରାର୍ଥନାରେ ସାମିଲ ହେବାକୁ ଶ୍ରୀ’ମା ନିବେଦନ କରିଛନ୍ତି। ଦୀର୍ଘ ୮ବର୍ଷ ଧରି ଶ୍ରୀମା’ଙ୍କ ଉଦ୍ୟମ ଓ ପ୍ରଚେଷ୍ଟାରେ ଏହି ଦିବସ ସାରା ରାଜ୍ୟ ସମେତ ଦେଶର ବିଭିନ୍ନ କୋଣ ଅନୁକୋଣରେ ପାଳନ ହୋଇଆସୁଅଛି। ଚଳିତବର୍ଷ କେନ୍ଦ୍ରାପଡା, କଟକ, ପୁରୀ, ଭୁବନେଶ୍ୱର, ରାଉରକେଲା ସମେତ ଓଡିଶାର ବିଭିନ୍ନ ସ୍ଥାନରେ ଏହା ପାଳନ ହେବାକୁ ଯାଉଛି। ପ୍ରତ୍ୟେକ ଧର୍ମର ଲୋକମାନେ ଜାନୁଆରୀମାସ ପହିଲା ଦିନ ସକାଳୁ ସେମାନଙ୍କ ଅନୁଷ୍ଠାନ, ଧର୍ମସ୍ଥଳୀ, ଶିକ୍ଷାନୁଷ୍ଠାନ ବା ଘରେ ସମସ୍ତେ ଏକାଠି ହୋଇ ବିଶ୍ୱ କଲ୍ୟାଣ ପାଇଁ ସମବେତ ପ୍ରାର୍ଥନା କରିବାକୁ ଶ୍ରୀମା ଅନୁରୋଧ କରିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ଆଶ୍ରମର ଉପାଧ୍ୟକ୍ଷ ଡ. କାଳୀପ୍ରସନ୍ନ ଶତପଥୀ, ପୁରୀଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶୈଳାଧିରାଜ ତନୟା, ଗାୟକ ଗୋପବନ୍ଧୁ ନାଥ, କ୍ଷୀରୋଦ ନାଥ, ପ୍ରଫୁଲ୍ଲ ପଣ୍ଡା, ଗଗନବିହାରି ସିଂହ, ପୁନମ ନାୟକ, ଅନୁଷ୍ଟୁପ ଶତପଥୀ, ବଳଦେବସେନାର ପପୁନ ସ୍ୱାଇଁ,ଶିବାନୀ ଓ ବ୍ରହ୍ମଚାରୀ ନୃସିଂହ ଦାସ ପ୍ରମୁଖ ବହୁ ବିଶିଷ୍ଟବ୍ୟକ୍ତିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।