ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ବୃହତ କୁମ୍ଭୀର ଦେଖି ଲୋକେ ଛାନିଆ



ପଟ୍ଟାମୁଣ୍ଡାଇ ୨୩.୬-ସମ୍ପ୍ରତି ଦୁଇ ଦୁଇଟି କୁମ୍ଭୀର ଆକ୍ରମଣ ଘଟଣାରେ ଜଣେ ନାବାଳକ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ ପୁନରାୟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଦେଖାଦେବା ଘଟଣା ସାଧାରଣରେ ଆତଙ୍କ ସୃଷ୍ଟି କରିଛି । କୁମ୍ଭୀର ଆକ୍ରମଣରେ ଦୁଇ ଦୁଇଟି ଅମୁଲ୍ୟ ଜୀବନହାନି ଘଟିବା ଘଟଣା ପରେ ମଧ୍ୟ ଜଙ୍ଗଲ ବିଭାଗ ଓ ପ୍ରଶାସନ ନୀରବ ରହିବା ଲୋକମାନଙ୍କୁ ବିସ୍ମିତ କରିଛି । ଏଥି ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ କଷଣଅଂଟା ଗ୍ରାମ ସଂଲଗ୍ନ ପତ୍ରପୁର ଘାଟ ବ୍ରାହ୍ମଣୀ ନଦୀରେ ସମ୍ପ୍ରତି କୁମ୍ଭୀର ଆତଙ୍କ ଦେଖାଦେଇଛି । ଏକ ବୃହତକାୟ ବଉଳା କୁମ୍ଭୀର ନଦୀ ମଧ୍ୟରେ ଯାତାୟତ କରୁଥିବା ଉଭୟ କଷଣଅଂଟା ଓ ପତ୍ରପୁର ଗ୍ରାମବାସୀ ସମେତ ନଦୀ ଉପକୂଳ ଗ୍ରାମବାସୀମାନେ ଦେଖିବାକୁ ପାଇଛନ୍ତି । ଫଳରେ ନଦୀ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ନଦୀ ତଟସ୍ଥ ଲୋକମାନଙ୍କ ମଧ୍ୟରେ ସଦାସର୍ବଦା କୁମ୍ଭୀର ଭୟ ରହିଥାଏ । ମାତ୍ର ନିକଟରେ ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଶାସନ ଗ୍ରାମର ଜନୈକ ନାବାଳକ ସ୍କୁଲ ଛାତ୍ରକୁ ଗତ ରଜ ଅବସରରେ ଏକ ବଉଳା କୁମ୍ଭୀର ଆକ୍ରମଣ କରି ମାରି ଦେବା ଘଟଣାର ଦିନେ ଦୁଇ ଦିନ ମଧ୍ୟରେ ରାଜନଗର ଅଂଚଳରେ ଏକ ମହିଳାଙ୍କୁ ମଧ୍ୟ କୁମ୍ଭୀର ଆକ୍ରମଣ କରି ମାରିଦେଇଛି । ଏଭଳି ଲୋମଟାଙ୍କୁରା ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ ସମ୍ପ୍ରତି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ ପରିସ୍ଥିତିକୁ ସଂଗୀନ କରିଦେଇଛି ।ଲୋକମାନେ ନଦୀକୁ ଯିବାକୁ ଭୟ କରୁଛନ୍ତି । ବ୍ରାହ୍ମଣୀ ନଦୀ ତଟରେ ଥିବା ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକର ବହୁ ପଂଚାୟତର ଲୋକମାନେ ଭୟଭୀତ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ସଦାସର୍ବଦା ମୃତ୍ୟୁର ଭୟରେ ଲୋକମାନେ ଥରି ଉଠୁଛନ୍ତି । ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ଅଂଚଳରେ କୁମ୍ଭୀର ଆକ୍ରମଣ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ରାଜ୍ୟ ସରକାର, ଜଙ୍ଗଲ ବିଭାଗ ଉଚ୍ଚକତୃପକ୍ଷ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।


Next Post

ଜ୍ଞାନପ୍ରଭା ମିଶନ ପକ୍ଷରୁ ରାଜ୍ୟ ସ୍ତରୀୟ “ଶକ୍ତି ରୂପେଣ ସଂସ୍ଥିତା” ବାଳିକା ସମାବେଶ

Sat Jun 24 , 2023
କେନ୍ଦ୍ରାପଡା ୨୪/୬- ନାରୀ ଜାତିର ଜାଗରଣ ଓ ମାତୃଶକ୍ତିର ମହିମା, ଗୌରବକୁ ପୁଣି ଥରେ ଜାଗରଣ କରିବା ପାଇଁ ଜ୍ଞାନପ୍ରଭା ମିଶନ, ଭୁବନେଶ୍ୱର ତରଫରୁ “ଶକ୍ତି ରୂପେଣ ସଂସ୍ଥିତା” ନାମରେ ଏକ ବାଳିକା ସମାବେଶର ଆୟୋଜନ କରିଛନ୍ତି । ହରିହରାନନ୍ଦ ବାଳାଶ୍ରମ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶ୍ରୀ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ ଦିବ୍ୟ ସାନ୍ନିଧ୍ୟ ଓ ଛାତ୍ରୀ ମାନଙ୍କୁ ଉଚିତ ମାର୍ଗରେ ଶିକ୍ଷାଲାଭ କରିବା […]

KANIKA