ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ବିଷ୍ଣୁ ମହାଯଜ୍ଞ ଆରମ୍ଭ



କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ଶ୍ରି ଶ୍ରୀ ବିଷ୍ଣୁ ମହାଯଜ୍ଞର ଗୁରୁବାର ଶୁଭାରମ୍ଭ ହୋଇଯାଇଛି। ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ସମାଜର ମଙ୍ଗଳ କାମନା ନିମନ୍ତେ ଏହି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଶ୍ରୀମା’ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତିବର୍ଷ ଭଳି ଚଳିତବର୍ଷ ସାତଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ମହାଯଜ୍ଞର ପ୍ରଥମ ଦିବସରେ କଳସ ଯାତ୍ରା, ଜଳାଭିଷେକ, ମନ୍ତ୍ରପାଠ, ହୋମ, ହବନ, ଅଗ୍ନିସ୍ଥାପନ, ସମିଦ୍ଧ ଓ ନାମ ସଙ୍କୀର୍ତ୍ତନ ପ୍ରଭୃତି କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଐଶ୍ୱରିକ କୃପା ଲାଭ କରିଛନ୍ତି। ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସଦାସର୍ବଦା ଚେଷ୍ଟିତ ଶ୍ରୀମା’ ଆଜିର ବିଶୃଙ୍ଖଳିତ ସମାଜରେ ଭାଇଚାରା ପ୍ରତିଷ୍ଠା ଓ ପ୍ରତ୍ୟେକ ଲୋକର ଅନ୍ତରରେ ଶାନ୍ତି,ମୈତ୍ରୀ, ଦୟା, କ୍ଷମା ଓ ପ୍ରେମ ଭାବ ଉଦ୍ରେକ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ସାତଦିନ ବ୍ୟାପି ହେବାକୁ ଥିବା ଯଜ୍ଞର ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସତ୍‌ସଙ୍ଗ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଧର୍ମକାର୍ଯ୍ୟରେ ଯୋଗଦେଇ ଯଜ୍ଞ ନାରାୟଣଙ୍କ କୃପା ଲାଭ କରିବାକୁ ଜନସାଧାରଣଙ୍କୁ ଆଶ୍ରମ ପକ୍ଷରୁ ନିବେଦନ କରାଯାଇଛି। ଆସନ୍ତା ୯ତାରିଖରେ ସ୍ୱାମୀ ଶିବାନନ୍ଦ ତୋରଣ ଉଦଘାଟନ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି।


Discover more from

Subscribe now to keep reading and get access to the full archive.

Continue reading