ମା’ ବନ୍ଧମଙ୍ଗଳାଙ୍କ ତୃତୀୟ ବାର୍ଷିକ ଉତ୍ସବ



କେନ୍ଦ୍ରାପଡା,୧୨ା୨: କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତ ଅନ୍ତର୍ଗତ ରାମନଗରପାଟଣାସ୍ଥିତ ମା’ ବନ୍ଧମଙ୍ଗଳାଙ୍କ ତୃତୀୟ ବାର୍ଷିକ ଉତ୍ସବ ଚଳିତ ମାଘ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗତ ରବିବାର ଦିନ ଅଙ୍କୁରାରୋପଣ କରାଯିବା ପରେ ସୋମବାର ଦିନ ଗ୍ରାମବାସୀଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରାରେ ଗୋବରୀ ଘାଟରୁ ପାଣି ଆଣି ମଙ୍ଗଳା ମନ୍ଦିର ପରିସରରେ ଘଟ ସ୍ଥାପନ କରାଯିବା ପରେ ମୁଖ୍ୟ ପୁରୋହିତ ରଶ୍ମିରଞ୍ଜନ ପାଣି ଓ ସାଥୀମାନଙ୍କ ଦ୍ୱାରା ଯଜ୍ଞକୁଣ୍ଡରେ ଅଗ୍ନି ସ୍ଥାପନ କରାଯାଇଥିଲା । ମଙ୍ଗଳବାର ଦିନ ସୂର୍ଯ୍ୟପୂଜା, ଗୁରୁପୂଜା, ଗୋପୂଜା, ପୀଠଚଣ୍ଡୀ ଯଜ୍ଞ କର୍ମ ଅନୁଷ୍ଠିତ ହୋଇଥିଲା । ସେହିପରି ବୁଧବାର ଦିନ ସୂର୍ଯ୍ୟପୂଜା, ଗୁରୁପୂଜା ସହିତ ୫୦ରୁ ଅଧିକ ଗୋ-ମାତାଙ୍କୁ ଅଣାଯାଇ ସେମାନଙ୍କୁ ସ୍ନାନ କରାଯିବାପରେ ଗୋପୂଜା କରାଯାଇଥିଲା । ଏଥିସହିତ ପୀଠଚଣ୍ଡୀ ଯଜ୍ଞ କର୍ମ ଅନୁଷ୍ଠିତ ହେବାପରେ ସୁନ୍ଦରାକାଣ୍ଡ ପଠନ ଓ ପଣ୍ଡିତମାନଙ୍କ ଦ୍ୱାରା ପାରାୟଣ କରାଯାଇଥିଲା । ଏହି ଉତ୍ସବରେ ତିନିଦିନ ଧରି ଶ୍ରୀରାମ ଭଜନ ସନ୍ଧ୍ୟା ଭଜନ ପରିବେଷଣ କରିଥିଲେ ଓ ନିୟୁ ଷ୍ଟାର ଡ୍ୟାନ୍ସ ଏକାଡେମୀ ତରଫରୁ ନୃତ୍ୟ ପରିବେଷଣ କରାଯାଇଥିଲା । ସଭାପତି ବଟକୃଷ୍ଣ ମହାରଣା ଓ ସମ୍ପାଦକ ଜୟୀରାମ ଦାସଙ୍କ ନେତୃତ୍ୱରେ ବାର୍ଷିକ ଉତ୍ସବକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ଦିରର ମୁଖ୍ୟ ପୂଜକ ରବିନ୍ଦ୍ର ଦାସ, କୋଷାଧ୍ୟକ୍ଷ ଶ୍ରୀକାନ୍ତ ରାୟ, ଭଜହରି ମହାରଣା, ମଥୁରୀ ମହାରଣା, ଗୌରାଙ୍ଗ ବାରିକ, ବୈକୁଣ୍ଠନାଥ ସେଠୀ, ଗୟାଧର ବାରିକ, କିଶୋର ମହାରଣା, ହରେକୃଷ୍ଣ ମହାରଣା, ରତ୍ନାକର ବାରିକ, ମହେଶ୍ୱର ସାହୁ, ଜଗନ୍ନାଥ ବାରିକ ଓ ଗୁଲନଗର ପଞ୍ଚାୟତର ସମସ୍ତ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଉତ୍ସବକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ।


Next Post

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ୬୨ତମ ସ୍ୱନକ୍ଷତ୍ର ଦିବସରେ ବରିଷ୍ଠ କୃଷି ବିଜ୍ଞାନୀ ସମ୍ମାନୀତ

Thu Feb 13 , 2025
କେନ୍ଦ୍ରାପଡ଼ା,୧୨।୨: ରାଜ୍ୟର ଅଗ୍ରଣୀ ବେସରକାରୀ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ୬୭ ତମ ସ୍ୱନକ୍ଷତ୍ର ଦିବସ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ପାଳିତ ହୋଇଯାଇଛି। ଚଳିତ ବର୍ଷ ପାଇଁ ବରିଷ୍ଠ କୃଷି ବିଜ୍ଞାନୀ ତଥା ମୃତ୍ତିକା ବିଶେଷଜ୍ଞ ତଥା କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ଅମରେଶ ନାୟକଙ୍କୁ ଦୀନବନ୍ଧୁ ସାହୁ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା। ସେଥିପାଇଁ ଉପାୟନ, ମାନପତ୍ର ଓ ତିରିଶ ହଜାର ଟଙ୍କାର […]

You May Like