
କେନ୍ଦ୍ରାପଡ଼ା,୧୨।୨: ରାଜ୍ୟର ଅଗ୍ରଣୀ ବେସରକାରୀ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ୬୭ ତମ ସ୍ୱନକ୍ଷତ୍ର ଦିବସ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ପାଳିତ ହୋଇଯାଇଛି। ଚଳିତ ବର୍ଷ ପାଇଁ ବରିଷ୍ଠ କୃଷି ବିଜ୍ଞାନୀ ତଥା ମୃତ୍ତିକା ବିଶେଷଜ୍ଞ ତଥା କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ଅମରେଶ ନାୟକଙ୍କୁ ଦୀନବନ୍ଧୁ ସାହୁ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା। ସେଥିପାଇଁ ଉପାୟନ, ମାନପତ୍ର ଓ ତିରିଶ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଛି । ରାଜ୍ୟର ମହାବିଦ୍ୟାଳୟର ପରିଚାଳନା ପରିଷଦ ସଭାପତି ତଥା ଅତିରିତ ଜିଲ୍ଲାପାଳଙ୍କ ନିଲୁ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ କିପରି ଭଲ ମଣିଷ ହେବେ ତାହାର ଗୁରୁ ଦାୟିତ୍ୱ ଅଧ୍ୟାପକ/ଅଧ୍ୟାପିକାଙ୍କ ଉପରେ ନ୍ୟସ୍ତ ରହିଛି। ଶିକ୍ଷା ପଦ୍ଧତ୍ତିରେ ଯେଉଁ ସବୁ ପରିବର୍ତ୍ତନର ଆବଶ୍ୟକତା ରହିଛି ତାହା ଜାତୀୟ ଶିକ୍ଷାନୀତି-୨୦୨୦ରେ ବର୍ଣ୍ଣନା କରାଯାଇଛି। ଏହାକୁ ସଠିକ ଭାବେ ଲାଗୁ କରିବା ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିକ୍ଷା ଏବେ କେବଳ ଶ୍ରେଣୀ କକ୍ଷରେ ସୀମିତ ହୋଇ ରହିନାହିଁ। ଅନଲାଇନ୍ ଜରିଆରେ ଶିକ୍ଷା ବ୍ୟାପକ ହୋଇଛି। ଅନ୍ଲାଇନ୍ରେ ବିଭିନ୍ନ ଆପ ଜରିଆରେ ଉନ୍ନତ ଧରଣର ଶିକ୍ଷା ପ୍ରଦାନ କରାଯାଉଛି। ତେଣୁ ଛାତ୍ରଛାତ୍ରୀମାନେ ମୋବାଇଲର ସଠିକ ବ୍ୟବହାର କରି ଏଥିରୁ ଜ୍ଞାନ ଅର୍ଜନ କରିବା ପାଇଁ କୂଳପତି କହିଥିଲେ। ଏହି ଉତ୍ସବରେ ମୁଖ୍ୟ ବକ୍ତାଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ପ୍ରଫେସର ବୈଷ୍ଣବ ଚରଣ ସାମଲ ଯୋଗଦେଇ କହିଲେ ଛାତ୍ରଛାତ୍ରୀମାନେ ସୁରୁଚି ଓ ସୁନୀତି ମଧ୍ୟରୁ କେଉଁ ଆଦର୍ଶକୁ ଗ୍ରହଣ କରି ନିଜ ଜୀବନକୁ ଅଗେଇ ନେବେ ତାହାର ନିଷ୍ପତ୍ତି ସେମାନଙ୍କ ହାତରେ। ସୁରୁଚି ଚିନ୍ତାଧାରାକୁ ଆପଣାଇଲେ ସବୁ ଜିନିଷ ମଜା ଲାଗିବ। କିନ୍ତୁ ସୁନୀତି ଆଦର୍ଶକୁ ଆପଣାଇଲେ ବହୁ କଷ୍ଟ ସହିବାକୁ ପଡିବ ସେ କହିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ. ସଂଯୁକ୍ତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ବୁଲେଟିନ୍ ‘କମୁନିକ’କୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡ଼ା, ଡ. ସେକ ସମସୁର, ଡ. ବିନାୟକ ଦାସ, କୈଳାଶ ଚନ୍ଦ୍ର ବରାଳ, ବିନ୍ଦୁ ମିତ୍ର ବଳ, ଡ. ପ୍ରଦୀପ୍ତ କିଶୋର ଦାଶ, ଡ. ଦେବେନ୍ଦ୍ର ଗୋଚ୍ଛାୟତ, ଡ. କୈଳାଶ ଚନ୍ଦ୍ର ଲେଙ୍କା, ଡ. ପ୍ରମୋଦ କୁମାର ଦାସ, ଦୁର୍ଯ୍ୟୋଧନ ପରିଡ଼ା, ଭଗବାନ ପତ୍ରୀ, ତପନ କୁମାର ପତି, ଡ. ଶ୍ରୀଧର ସାମଲ, ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ରଞ୍ଜିତ ଦାସ, ଡ. ଜ୍ଞାନୀନ୍ଦ୍ର ଦାଶ, ଡ. ପ୍ରଭାକର ମଲ୍ଲିକ, ଅଶୋକ କୁମାର ଦାସ, ରମାନାଥ ମହାନ୍ତି, ଗୌର ପ୍ରସାଦ ଷଡ଼ଙ୍ଗୀ, ଦେବକାନ୍ତ ଷଡ଼ଙ୍ଗୀ, ଡ. ଦିପ୍ତୀ ରାୟ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଚାକିରିରୁ ଅବସର ନେଇଥିବା ଦୁଇ ଜଣ ପ୍ରାଧ୍ୟାପକ ଡ. ଉସ୍ମାନ ଅଲ୍ଲୀ ଖାନ୍ ଓ ଦିଲ୍ଲୀପ କୁମାର ଭୂୟାଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାପଟେନ୍ ସୀମା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଡ. ଆନନ୍ଦ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।










