କେନ୍ଦ୍ରାପଡା,୧୫ା୨: କେନ୍ଦ୍ରାପଡା ଜିଲ୍ଲାରେ ପ୍ରଶାସନିକ ଅଚଳାବସ୍ଥା ଯୋଗୁଁ କର୍ମଚାରୀଙ୍କ ପଦୋନ୍ନତି ପାଇଁ ରହିଥିବା ବିଧି ବ୍ୟବସ୍ଥା ଡି.ପି.ସି.(ବିଭାଗୀୟ ପଦୋନ୍ନତି କମିଟି)ବସିପାରୁନାହିଁ। ଏହାଦ୍ୱାରା କର୍ମଚାରୀମାନେ ପଦୋନ୍ନତି ପାଇପାରୁନାହାନ୍ତି। ଫଳରେ ସେମାନେ ଦୀର୍ଘବର୍ଷ ଧରି ଯେଉଁ ପଦରେ କାର୍ଯ୍ୟ କରୁଛନ୍ତି ସେହି ପଦରେ ସୀମିତ ରହିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ସେମାନଙ୍କ ଦରମା ବୃଦ୍ଧି ପାଇ ପାରୁନାହିଁ କି ର୍ୟାଙ୍କ ମଧ୍ୟ ବଢୁନାହିଁ। ଫଳରେ ସେମାନଙ୍କ ଚାକିରୀ ସର୍ତ୍ତାବଳୀ ଉଲ୍ଲଙ୍ଘନ ହେଉଥିବା କେତେକ କର୍ମଚାରୀ କହିଛନ୍ତି। ଏଥିସହିତ ଜନସାଧାରଣ ମଧ୍ୟ ଆବଶ୍ୟକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଜିଲ୍ଲା ପ୍ରଶାସନରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜସ୍ୱ ବିଭାଗରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ(ଜେ. ଆର. ଏ.)ମାନେ ବରିଷ୍ଠ ରାଜସ୍ୱ ସହାୟକ ହୋଇପାରୁନାହାନ୍ତି। ବରିଷ୍ଠ ରାଜସ୍ୱ ସହାୟକ (ଏସ.ଆର.ଏ.) ମାନେ ସେକ୍ସନ ଅଫିସର(ଏସ.ଓ.) ହୋଇପାରୁ ନାହାନ୍ତି। ସେହିପରି ଅମିନ ପଦରେ ଥିବା କର୍ମଚାରୀମାନେ ସହକାରୀ ରାଜସ୍ୱ ନିରୀକ୍ଷକ(ଏ.ଆର.ଆଇ.) ହୋଇପାରୁନାହାନ୍ତି। ସହକାରୀ ରାଜସ୍ୱ ନିରୀକ୍ଷକ ପଦରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ରାଜସ୍ୱ ନିରୀକ୍ଷକ ପଦକୁ ପଦୋନ୍ନତି ପାଇପାରୁନାହାନ୍ତି। ଅନୁରୂପ ଭାବେ ରାଜସ୍ୱ ନିରୀକ୍ଷକ(ଆର.ଆଇ.) ପଦରେ କାର୍ଯ୍ୟ କରୁଥିବା କର୍ମଚାରୀ ରାଜସ୍ୱ ପରିଦର୍ଶକ(ଆର.ଏସ.) ପଦକୁ ପଦୋନ୍ନତି ପାଇପାରୁନାହାନ୍ତି। କର୍ମଚାରୀମାନେ ପଦୋନ୍ନତି ପାଇପାରୁନଥିବାରୁ ଅନେକ ପଦବୀ ଖାଲି ପଡିଛି। କାରଣ ଯେଉଁ କର୍ମଚାରୀ ଅବସର ନେଉଛନ୍ତି ତାଙ୍କ ସ୍ଥାନରେ ଅନ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଉନଥିବାରୁ ସେହି ପଦଟି ଖାଲି ପଡୁଛି। ଉଦାହରଣ ଭାବେ ଜିଲ୍ଲାରେ ୧୫୪ଟି ମଞ୍ଜୁରୀପ୍ରାପ୍ତ କନିଷ୍ଠ ରାଜସ୍ୱ ସହାୟକ ପଦ ରହିଥିବା ବେଳେ ଅଛନ୍ତି ମାତ୍ର ୯୦ଜଣ। ୬୪ଟି ପଦବୀ ଦୀର୍ଘଦିନ ଧରି ଖାଲି ପଡିଛି। ସେହିପରି ୧୦୬ଟି ମଞ୍ଜୁରୀପ୍ରାପ୍ତ ବରିଷ୍ଠ ରାଜସ୍ୱ ସହାୟକ ପଦ ରହିଥିବା ବେଳେ ଅଛନ୍ତି ୮୩ଜଣ। ଖାଲି ପଡିଛି ୨୩ଟି ପଦବୀ। ସେପଟେ ପଦୋନ୍ନତି ଅପେକ୍ଷାରେ କନିଷ୍ଠ ରାଜସ୍ୱ ସହାୟକମାନେ ମାନସିକ ଭାବେ ନିର୍ଯାତିତ ହେଉଥିବା ପ୍ରକାଶ କରିଛନ୍ତି। ମଞ୍ଜୁରୀପ୍ରାପ୍ତ ସେକ୍ସନ ଅଫିସର ପଦବୀ ୨୪ଟି ଥିବା ବେଳେ ଅଛନ୍ତି ୨୨ଜଣ। ଖାଲି ପଡିଛି ୨ଟି ପଦବୀ। ସେହିପରି ଜିଲ୍ଲାରେ ୮୮ଟି ମଞ୍ଜୁରୀପ୍ରାପ୍ତ ଅମିନ ପଦବୀ ରହିଥିବା ବେଳେ ଅଛନ୍ତି ୪୦ଜଣ ଓ ଖାଲି ପଡିଛି ୪୮ଟି ପଦବୀ। ଫଳରେ ଜିଲ୍ଲାର ବିଭିନ୍ନ ତହସିଲରେ ଲୋକମାନେ ଦୀର୍ଘବର୍ଷରୁ ଜମି ମାପଚୂପ ପାଇଁ ଆବେଦନ କରି ଅନାଇ ରହିଥିଲେ ମଧ୍ୟ ସେମାନଙ୍କ ଜମି ମାପ ହୋଇପାରୁନାହିଁ। ୧୦୨ଟି ମଞ୍ଜୁରୀପ୍ରାପ୍ତ ସହକାରୀ ରାଜସ୍ୱ ନିରୀକ୍ଷକ ପଦ ଥିବା ବେଳେ ଅଛନ୍ତି ମାତ୍ର ୫୧ଜଣ ଓ ଖାଲି ପଡିଛି ୫୧ଟି ପଦ। ସେହିପରି ୧୩୭ଟି ମଞ୍ଜୁରୀପ୍ରାପ୍ତ ରାଜସ୍ୱ ନିରୀକ୍ଷକ ପଦ ରହିଥିବା ବେଳେ ଅଛନ୍ତି ୮୮ଜଣ ଓ ଖାଲି ପଡିଛି ୪୯ଟି ପଦବୀ। ଫଳରେ ଜିଲ୍ଲାର ସମସ୍ତ ରାଜସ୍ୱ ସର୍କଲରେ ରାଜସ୍ୱ ନିରୀକ୍ଷକ ନାହାନ୍ତି। କେଉଁଠି ଜଣେ ରାଜସ୍ୱ ନିରୀକ୍ଷକ ଏକାଧିକ ସର୍କଲ ଦାୟିତ୍ୱରେ ଅଛନ୍ତି ତ ଆଉ କେଉଁଠି ଜଣେ ସହକାରୀ ରାଜସ୍ୱ ନିରୀକ୍ଷକ ରାଜସ୍ୱ ନିରୀକ୍ଷକଙ୍କ ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଉଛନ୍ତି। ସେଥିପାଇଁ ଜିଲ୍ଲାର ବହୁ ରାଜସ୍ୱ ସର୍କଲରେ କାର୍ଯ୍ୟ ସଠିକ ଭାବରେ ହୋଇପାରୁନଥିବା ବେଳେ କେନ୍ଦ୍ରାପଡା ତହସିଲର ଭରତପୁର ରାଜସ୍ୱ ସର୍କଲ ଭଳି କେତେକ ସ୍ଥାନରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଫଳରେ ଜନସାଧାରଣ ଆବଶ୍ୟକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏସମସ୍ତ ବିଷୟକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗତ ତା ୩୦.୦୪.୨୦୨୦ରିଖରେ ପତ୍ର ସଂଖ୍ୟା -୧୦୭୦୩ରେ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଜାରିକରାଯାଇଥିଲା ଯେ ଜିଲ୍ଲା ସ୍ତରରେ କ୍ରମାଗତ ଭାବେ ଜିଲ୍ଲା ପଦୋନ୍ନତି କମିଟି ବୈଠକ ବସିବାକୁ ନିର୍ଦେଶ ଥିଲେ ମଧ୍ୟ ତାହା ବସୁନାହିଁ। ଫଳରେ କର୍ମଚାରୀମାନେ ସେମାନଙ୍କ ପଦୋନ୍ନତିରୁ ବଞ୍ଚିତ ହେଉଛନ୍ତି। ତେଣୁ ସରକାର ନିର୍ଦେଶ ଜାରି କରିଛନ୍ତି ଯେ ପ୍ରତ୍ୟେକ ବର୍ଷ ଜୁନ ଓ ଡିସେମ୍ବରମାସ ଶେଷ ସପ୍ତାହରେ ପଦୋନ୍ନତି ଅଦାଲତ ବସି ପଦୋନ୍ନତିରୁ ବଞ୍ଚିତ ହୋଇଥିବା କର୍ମଚାରୀଙ୍କ ଅଭିଯୋଗ ଶୁଣିବା ସହ ତାହାର ସମାଧାନ କରିବ। କିନ୍ତୁ ସରକାରଙ୍କ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରାଯାଉନଥିବାରୁ କର୍ମଚାରୀମାନେ ସେମାନଙ୍କ ପଦୋନ୍ନତିରୁ ବଞ୍ଚିତ ହେଉଛନ୍ତି। ଏସକ୍ରାନ୍ତରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ ଅମିନ ଓ ଏ.ଆର.ଆଇ. ମାନଙ୍କୁ ରାଜସ୍ୱ ନିରୀକ୍ଷକ ପଦକୁ ପଦୋନ୍ନତି ପାଇଁ ଡି.ପି.ସି. ବସି ସାରିଛି। ଖୁବ ଶୀଘ୍ର ସେହି ପଦୋନ୍ନତି ତାଲିକା ପ୍ରକାଶ ପାଇବ। ଅନ୍ୟ ପଦବୀ ପାଇଁ ଖୁବ ଶୀଘ୍ର ଡିପିସି ବସିବ।
Posted inଆସନ୍ତୁ ଭାବିବା ରାଜ୍ୟ
ବସିପାରୁନି ଡିପିସି, ପଦୋନ୍ନତି ପାଉନାହାନ୍ତି କର୍ମଚାରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଜନସାଧାରଣ
