ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି କେନ୍ଦ୍ରାପଡା ସହର



କେନ୍ଦ୍ରାପଡ଼ା,୬ା୧୦:କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ସହର ଏବେ ରଙ୍ଗୀନ ଆଲୋକମାଳାରେ ଝଲସୁଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ନିକଟରେ ରଙ୍ଗୀନ ଆଲୋକରେ ଗେଟ୍ ନିର୍ମାଣ ହୋଇଛି। ଏହି ଝଲସୁଥିବା ମନଲୋଭା ଗେଟ୍ ଦେଖିବା ପାଇଁ ସନ୍ଧ୍ୟାରେ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। କେନ୍ଦ୍ରାପଡ଼ା ସହର ସମେତ ପୁରପଲ୍ଲୀରୁ ଲୋକମାନଙ୍କ ଭିଡ଼ ଜମୁଛି କେନ୍ଦ୍ରାପଡ଼ା ସହର ସମେତ ଏହାର ଉପକଣ୍ଠରେ ହୋଇଥିବା ରଙ୍ଗୀନ ଆଲୋକମାଳାର ଗେଟ୍ ଦେଖିବା ପାଇଁ। ଗଜଲକ୍ଷ୍ମୀ ପୂଜା ପାଇଁ ଏବେ ପ୍ରତି ଘରେ ବନ୍ଧୁବାନ୍ଧବ ଓ କୁଣିଆ ମୈତ୍ରଙ୍କ ଭିଡ଼ ଲାଗି ରହିଛି। ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଧାଳୁମାନେ ଗଜଲକ୍ଷ୍ମୀ ପୂଜାକୁ ଉପଭୋଗ କରୁଛନ୍ତି। ସନ୍ଧ୍ୟାରେ ସହରର ନୂଆ ବସଷ୍ଟାଣ୍ଡ, ଗଣାମାହାଲ, ମହିପାଳ, ବଣିଆମାଳ, କାକଟ, ଲକ ପୋଲ, ମୀରପାଟଣା, ନସଡ଼ିପୁର, ସାନ୍ତସାହି ପୋଲ, ପୁରୁଣା ବସଷ୍ଟାଣ୍ଡ, ମଢିଆଳ ବଜାର, ବଳଗଣ୍ଡି, ଅଯୋଧ୍ୟାନଗର ପ୍ରମୁଖ ସ୍ଥାନ ଆକର୍ଷଣୀୟ ଆଲୋକମାଳାରେ ଝଲସି ଉଠୁଛି। ପୂଜା ପାଇଁ ସହରରେ ପ୍ରବଳ ଗହଳି ମଧ୍ୟ ଲାଗି ରହିଛି। ସହରରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବିଭିନ୍ନ ସ୍ଥାନରେ୨୦ପ୍ଲାଟୁନ ପୋଲିସ ବଳ ଜଗି ରହିଛନ୍ତି। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଏସପି ସିଦ୍ଧାର୍ଥ କଟ୍ଟାରିଆ ନିଜେ ପରିଚାଳନା କରୁଛନ୍ତି। ତାଙ୍କୁ ସହଯୋଗ କରିବା ପାଇଁ ଜଣେ ଅତିରିକ୍ତ ଏସପି, ୧୩ଜଣ ଡିଏସପି, ୧୭ଜଣ ଇନସପେକ୍ଟର କାର୍ଯ୍ୟ କରୁଛନ୍ତି। ସହରର ବିଭିନ୍ନ ସ୍ଥାନରେ ୧୨୨ଜଣ ସବଇନସପେକ୍ଟର ଓ ଏ.ଏସ.ଆଇ.ଙ୍କୁ ମୁତୟନ କରାଯାଇଛି। ଲୋକଙ୍କୁ ୨୪ ଘଣ୍ଟା ସୁରକ୍ଷା ପ୍ରଦାନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ବୋଲି ଏସ୍‌ପି ଶ୍ରୀ କଟ୍ଟାରିଆ ସୂଚନା ଦେଇଛନ୍ତି।


Discover more from

Subscribe now to keep reading and get access to the full archive.

Continue reading