
କେନ୍ଦ୍ରାପଡ଼ା,୨ା୧୧:ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରଳମ୍ବାସୁର ବଦ୍ଧ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଭୁ ଶ୍ରୀବଳଦେବଜୀଉ ଶ୍ରୀକ୍ଷେତ୍ରରୁ ଆସିଥିବା ପାଟ ଶାଢ଼ୀ ପରିଧାନ କରି ସଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଅନୁଯାୟୀ ଆଜି ବଳଦେବଜୀଙ୍କ ମନ୍ଦିରରେ ପ୍ରଳମ୍ବାସୁର ବଦ୍ଧ ନୀତି ଅନୁଷ୍ଠିତ ହୋଇଥିଲା। ଏକାଦଶୀ ଓ ଦ୍ୱାଦଶୀ ତିଥି ଗୋଟିଏ ଦିନରେ ପଡିଥିଲା। ଏହି ତିଥିରେ ପ୍ରଳମ୍ବାସୁରକୁ ବଦ୍ଧ କରାଯାଇଥିଲା। ତେଣୁ ମନ୍ଦିରରେ ସନ୍ଧ୍ୟା ନୀତି ସମ୍ପନ୍ନ ପରେ ପୂଜା ପଣ୍ଡାଙ୍କ ଦ୍ୱାରା ବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀକ୍ଷେତ୍ରରୁ ଆସିଥିବା ପାଟ ଶାଢ଼ୀ ଶ୍ରୀବଳଦେବଜୀଉଙ୍କୁ ପରିଧାନ କରାଯିବା ସହ ଦୁର୍ଲଭ ବେଶରେ ସଜା ଯାଇଥିଲା। ଏହି ବେଶ ଦେଖିବାକୁ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ଆଜି ତୁଳସୀ ବିବାହ ଗରୁଡ଼ ଜନ୍ମ ନୀତି ଥିବାରୁ ମହାପ୍ରଭୁଙ୍କଙ୍କ ଚଳନ୍ତି ପ୍ରତିମା ଗୋବିନ୍ଦଜୀଉ ଭଗବାନପୁର ଗ୍ରାମରେ ଥିବା ତୁଳସୀ ମନ୍ଦିରକୁ ବିମାନରେ ଯାତ୍ରା କରିଥିଲେ। ସେଠାରେ ତୁଳସୀ ବିବାହ ନୀତି ସମ୍ପନ୍ନ ହୋଇଥିଲା। ରାତ୍ର ଧୂପ ସମ୍ପନ୍ନ ପରେ ପୂଜା ପଣ୍ଡାଙ୍କ ଦ୍ୱାରା ଦେବ ଉତଥାପନ ନୀତି ସିଂହାସନରେ କରାଯାଇଥିଲା। ପରେ ଜଗମୋହନରେ ଦଣ୍ଡାୟମାନ ଥିବା ଗରୁଡ଼ଙ୍କ ଜନ୍ମ ଜୟନ୍ତୀ ନୀତି ପାଳନ କରାଯାଇଥିଲା। ତୁଳସୀ ଚଉରାରେ ରାଜ ପୁରୋହିତଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା ପାଠ କରାଯାଇଥିଲା। ସମସ୍ତ ନୀତି ସମ୍ପନ୍ନ ପରେ ଅନ୍ୟ ନୀତି କରାଯାଇଥିଲା। କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ କୃଷ୍ଣ ବଳରାମ ଦୁଇ ଭାଇ ଗୋପାଳଙ୍କ ସହିତ ଥିବାରୁ ଦୁଷ୍ଟ ପ୍ରଳମ୍ବାସୁର ସହ ମୁହା ମୁହିଁ ହୋଇଥିଲେ। ବଡ଼ ଭାଇ ବଳରାମ ନିଜ ମୁଷଳରେ ପ୍ରଳମ୍ବାସୁରକୁ ସଂହାର କରିଥିଲେ। ଫଳରେ ଶ୍ରୀକୃଷ୍ଣ ତାଙ୍କ କାନ୍ଧରୁ ଉତ୍ତରୀୟ ବସ୍ତ୍ର ବାହାର କରି ବଳରାମଙ୍କ ମସ୍ତକରେ ପିନ୍ଧାଇଥିଲେ। ସେହି ପ୍ରଥା ପରମ୍ପରା ଉଭୟ ଶ୍ରୀକ୍ଷେତ୍ର ଓ ତୁଳସୀକ୍ଷେତ୍ରରେ ରହିଛି। ଶ୍ରୀ ମନ୍ଦିର ସତ୍ୱଲିପି ଅନୁଯାୟୀ ପ୍ରତ୍ୟେକ ବର୍ଷ ତିନି ଖଣ୍ଡ ପାଟ ଶାଢ଼ୀ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ତୁଳସୀକ୍ଷେତ୍ରକୁ ନେଇ ଆସିଥାନ୍ତି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ପ୍ରଳମ୍ବାସୁର ବଧ ନୀତି ଅନୁଷ୍ଠିତ ହୋଇଥାଏ। ସେହି ପାଟଶାଢୀ ପରିଧାନ କରି ଶ୍ରୀବଳଦେବଜୀଉ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।











