ଆଧୁନିକତା ଉଜାଡି ଦେଇଛି ଗାଁର ମାଦକତା ଓ ଭାଇଚାରା



ପଟ୍ଟାମୁଣ୍ଡାଇ, ୨୫/୧୧-ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନୁଯାୟୀ ପ୍ରାଚୀନ ଭାରତର ଆତ୍ମା ଗାଁରେ ରହିଛି । ଆଧୁନିକତାର ସ୍ପର୍ଶରେ ବଦଳି ଯାଇଛି ଗାଁର ପରିପାଟି ଓ ଚଳଣି । ମାତ୍ର ଉଜୁଡି ଯାଇଛି ଗାଁର ପୂର୍ବ ମାଦକତା ଓ ସ୍ନେହ ପ୍ରେମ ଓ ଭାଇଚାରା ଓ ଆଧୁନିକତାରେ ବିଭୋର ହୋଇ ଗାରିମାମୟ ଗାଁକୁ ଆଉ କଳୁଷିତ ଓ ବିକଳାଙ୍ଗ କରାନଯାଉ ବୋଲି ଅଇନିପଡ଼ା-ପଛପଡ଼ା ଗାଁଉତ୍ସବ ‘ବସୁଧା’ର ପଞ୍ଚଦଶତମ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି।

ଶିକ୍ଷାବିତ ସ୍ବର୍ଗତ ପ୍ରହଲ୍ଲାଦ ନାଥଙ୍କ ସ୍ମୃତି ଉଦେଶ୍ୟରେ ଗଠିତ ସ୍ମୃତି କମିଟି ସଭାପତି ରଜନୀକାନ୍ତ ନାଥଙ୍କ ପୌରହିତ୍ୟ ରେ ଆୟୋଜିତ ମନୋଜ୍ଞ ଉତ୍ସବରେ ରାଜ୍ୟ ସଂସ୍କୃତି ବିଭାଗର ପୂର୍ବତନ ଯୁଗ୍ମ ସଚିବ ବିଶିଷ୍ଟ କବି ଡକ୍ଟର ରଂଜନ କୁମାର ଦାସ ଉଦ୍‌ଘାଟକ ଭାବେ ଯୋଗ ଦେଇ ସାମ୍ପ୍ରତିକ ସମୟରେ ବିଲୁପ୍ତ ହୋଇଥିବା ଗାଁର ଅଭୁଲା କଳା, ସଂସ୍କୃତି, ଭାଇଚାରା ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ବସୁଧା ଆରମ୍ଭ କରିଥିବା ପ୍ରୟାସ ସଫଳ ହେଉ ବୋଲି କାମନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍, ଆୟାର୍ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗାଁ ର କୁନି କୁନି ପିଲାମାନଙ୍କୁ ସଫଳ କ୍ୟାରିୟର ଗଠନ କରି ଜୀବନର ସବୁ କ୍ଷେତ୍ରରେ ସଫଳ ହେବା ଦିଗରେ ଉପଯୁକ୍ତ ମାର୍ଗ ଦର୍ଶନ କରିବାକୁ ଗ୍ରାମବାସୀ ଓ ଅଭିଭାବକମାନଙ୍କୁ ଆହ୍ୱାନ ଦେଇଥିଲେ ଓ ବରିଷ୍ଠ ସାମ୍ବାଦିକ ମାନସ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଲୁପ୍ତ ହୋଇଥିବା ଗାଁ ର ସ୍ନେହ ପ୍ରେମ ଓ ଭାଇଚରା ପୁନଃ ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ଗାଁରେ ବସୁଧା ଭଳି ଗାଁ ଉତ୍ସବ ପାଳନ କରାଗଲେ ଅଇନିପଡା – ପଛ ପଡା ଗାଁ ଉତ୍ସବ ବସୁଧା ଆୟୋଜନ ର ଲକ୍ଷ୍ୟ ଓ ଉଦେଶ୍ୟ ସଫଳ ହେବା ସହିତ ସୁନ୍ଦର ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ଓ ଏଇ ଅବସରରେ ବସୁଧା ପକ୍ଷରୁ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଶାରଦା ପ୍ରସନ୍ନ ମହାନ୍ତିଙ୍କୁ ବସୁଧା ସମ୍ମାନ, ଲୋକପ୍ରିୟ ଚଳଚିତ୍ର ଅଭିନେତ୍ରୀ ନମ୍ରତା ଦାସଙ୍କୁ ବସୁଧା କଳାରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ମନୋଜ୍ଞ ଉତ୍ସବର ଅନ୍ୟତମ ବିଶିଷ୍ଟ ଅତିଥି ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଶରତ ନାୟକ ଓ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଫେସର୍ ଡକ୍ଟର ଅନସୂୟା ନାଥ ମନଛୁଆଁ ସଂଗୀତ ପରିବେଷଣ କରିଥିଲେ । ସାରା ରାଜ୍ୟରେ କଣ୍ଠସଂଗୀତ କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ଉଦୀୟମାନ କଣ୍ଠଶିଳ୍ପୀ ପ୍ରୀତିନନ୍ଦା ପରିଡ଼ାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବଦ୍ଧିତ କରାଯାଇଥିଲା। ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତରେ ବିଶାରଦ ଡିଗ୍ରୀ ହାସଲ କରିଥିବା ପ୍ରୀତିନନ୍ଦା ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ହୋଇଥିବା ବେଳେ ଓଡ଼ିଶା ସମେତ ଓଡ଼ିଶା ବାହାରେ ସଂଗୀତ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି। ଜାତୀୟ ଟିଭି ରିୟଲିଟି ସୋ’ ଇଣ୍ଡିଆନ୍ ଆଇଡଲରେ ଭାଗ ନେଇ ବିଚାରକ ଙ୍କ ମନ ଜିଣିଥିବା ପ୍ରୀତିନନ୍ଦାଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକ ଗୋବିନ୍ଦପୁର ଗ୍ରାମରେ ଓ ସେ ଏବେ ଡାକ ବିଭାଗରେ କାର‌୍ୟ୍ୟ କରୁଛନ୍ତି। ସଂପାଦକ ସଞ୍ଜିତ ବେହେରା ବିବରଣୀ ପାଠ କରିଥିଲେ ଓ ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ ଓ ଶେଷରେ ରଜନୀକାନ୍ତ ନାୟକ ଧନ୍ୟବାଦ ଦେଇଥିଲେ। ଏଇ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ର ୧୦ ଜଣ ମାଟ୍ରିକ୍ ଟପର୍ ସୌଭାଗ୍ୟ ଜ୍ୟୋତି ରାଉତ, ଅନନ୍ୟା ସ୍ଥିତିପ୍ରଜ୍ଞା ସାହୁ, କରିସ୍ରା ପ୍ରିୟଦର୍ଶିନୀ ସାହୁ, ସମୀକ୍ଷା କର, ସାଇରୁପା ନଦ, ରାକେଶ ମଲ୍ଲିକ ଅନନ୍ୟା ପାତ୍ର, ସ୍ବଦେଶ ଦାସ, ଅଲାରକାନ୍ତ ଷଢ଼ଙ୍ଗୀ, ନିବେଦିତା ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।


Next Post

ODISHA EXPRESS KPD- 24.11.2025

Wed Nov 26 , 2025
ODISHA EXPRESS KPD- 24.11.2025ODISHA EXPRESS KPD- 24.11.2025 ODISHA EXPRESS KPD- 24.11.2025  

KANIKA