କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଉତିକଣ ଭେଡା କଖାରୁଣୀ ପାଟରେ ଲଘୁଚାପ ପ୍ରଭାବ ଓ କେନାଲ ପାଣି ଉପରକୁ ମୁଣ୍ଡକୁ ନ ଚଢି ଜମାଟ ହୋଇ ଧାନ ଗଛ ଉଚ୍ଚରେ ଜମିରେ ଲହଡି ମାରୁଛି । ଯାହା ଫଳରେ ଚାଷ ଜମିରୁ ବର୍ଷାପାଣି ନିଷ୍କାସିତ ହୋଇ ନପାରି ସବୁଜ ଶ୍ୟାମଳ ଦିଶୁଥିବା କ୍ଷେତ ଆଜି ପୋଖାରୀର ଭ୍ରମ ସୃଷ୍ଟି କରୁଛି । ଏ ନେଇ ଚାଷୀକୃଳ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
କଖାରୁଣି ଗ୍ରାମର ଚାଷୀ ରଞିତ ପ୍ରଧାନ,ବିଗ୍ଣେସ୍ଵର ପ୍ରଧାନ, ସୁନକର ପ୍ରଧାନ, ସୌରି ମହାନ୍ତି କୁହନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣି ପଂଚୟତର ଓସଙ୍ଗରା, ତଳପଡା ଗ୍ରାମ ପାଟରେ ଏବେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଡ୍ରେନେଜ କଟ ବିଭାଗର ଅପାରଗତା ପାଇଁ ଚାଷ ତଳି ପଚି ଯିବାକୁ ବସିଲାଣି । ଡ୍ରେନେଜ ବିଭାଗର ବେପରୁଆ କାର୍ଯ୍ୟ ଓ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ଚାଷୀ ମାନଙ୍କ ହିତରେ ଲାଗି ପାରୁନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଯଦି ଏହିପରି ଲାଗି ରହେ ତେବେ ଖାଲୁଆ ଜମିରେ ରୁଆ ଯାଇଥିବା ଧାନ ପାଣିରେ ଲିନ ହୋଇଯିବାର ସମ୍ଭାବନା ଦେଖଦେବ ବୋଲି ସେ କହିଛନ୍ତି ।
ସାମାଜିକ କର୍ମୀ ନରେଶ ଜେନା କୁହନ୍ତି, ଗତ ୨୧ ମସିହାରେ କଖାରୁଣି କୋଟମୁଣ୍ଡରୁ ତଳପଡା ପର୍ଯ୍ୟନ୍ତ ଡ୍ରେନେଜ କଟ ବିଭାଗ ପକ୍ଷରୁ ୧ କୋଟି ୨୩ ଲକ୍ଷ ଟଙ୍କାର ଏକ ଜଳ ନିଷ୍କାସନ ପଥ ନିର୍ମାଣ କାମ ହୋଇଥିଲା । ମାତ୍ର ତାହା ଏବେ କୌଣସି କାର୍ଯ୍ୟରେ ଲାଗୁ ନଥିବା ବେଳେ ଶହଶହ ହେକ୍ଟର ଚାଷଜମିର ଚାଷୀ ଏବେ ସମସ୍ୟା ଘେରରେ । ଚାଷ ଜମିରୁ ଜଳ ନିଷ୍କାସନ ହୋଇପାରୁନଥିବା ବେଳେ ଦେଷିଆ ପାଖରେ ସୁଇଚଗେଟ ଭାଙ୍ଗିଥିବା ଯୋଗୁଁ ଚାଷ ଜମିରେ ପାଣି ଜମି ରହିଛି । ଫଳରେ ରୁଆତଳି ନଷ୍ଟ ହୋଇଯାଇଛି ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । କୃଷି ଉପରେ ନିର୍ଭର କରି ଚଳୁଥିବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ସହ ନାଳର ଭାଙ୍ଗିପଡିଥିବା ଗେଟ୍ ମରାମତି ଲାଗି ଗ୍ରାମବାସୀ ଦାବି କରିଛନ୍ତି ବୋଲି ସେ କହିଛନ୍ତି ।
ତଳପଡା ଚାଷୀ ଭରତ ସାହୁ କୁହନ୍ତି, ଏ ସମ୍ପର୍କରେ ଡ୍ରେନେଜ କଟ୍ ସହକାରୀ ଯନ୍ତ୍ରୀ ନିହାରରଞନ ରାଉତରାୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ଏଯାବତ୍ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରାୟ ହଜାର ଏକର ଫସଲ ଏବେ କୃତ୍ରିମ ବନ୍ୟାଜଳରେ ବୁଡି ରହିଛି । ଜମିରୁ ଉଦ୍ବୃତ ବର୍ଷାଜଳ ନିଷ୍କାସନ କରିବାକୁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରା ନଯାଏ ରୁଆ ଯାଇଥିବା ଧାନ ପାଣିରେ ଲିନ ହୋଇଯିବ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ଡ୍ରେନେଜ କଟ୍ ସହକାରୀ ଯନ୍ତ୍ରୀ ନିହାରରଞନ ରାଉତରାୟଙ୍କୁ ପଚାରିବାରେ ଏବାବଦରେ ଅଭିଯୋଗ ପାଇ ଉପର ଅଫିସରଙ୍କୁ ଜଣାଇଛି ବୋଲି ସେ କହିଥିଲେ ।